୨ ବିଲିୟନ ଡଲାରରୁ ଅଧିକ ମୂଲ୍ୟର କମ୍ପାନୀକୁ ମାତ୍ର ୧ ଡଲାରରେ ବିକିଲେ ଭାରତୀୟ ଉଦ୍ୟୋଗପତି
18/12/2020 at 6:40 PM

ଆବୁଧାବୀ ୧୮।୧୨: ବ୍ୟବସାୟୀକ କ୍ଷତି ଓ ଠକେଇ ଭଳି ଅଭିଯୋଗ ଲାଗି ପ୍ରବାସୀ ଭାରତୀୟ ଉଦ୍ୟୋଗପତି ତାଙ୍କ କମ୍ପାନୀକୁ ମାତ୍ର ୧ ଡଲାରରେ ବିକିଛନ୍ତି। ଆଶ୍ଚର୍ଯ୍ୟ ହେଲେ ବି ସତ ଗତବର୍ଷ ପର୍ଯ୍ୟନ୍ତ ତାଙ୍କ କମ୍ପାନୀର ମୂଲ୍ୟ ୧.୫ରୁ ୨ ବିଲିୟନ ଡଲାର ମୂଲ୍ୟାୟନ ହେଉଥିଲା। ତେବେ ପରିସ୍ଥିତିରେ ପଡି ସେ ଏହାକୁ ବିନା ମୂଲ୍ୟରେ ଛାଡିବାକୁ ବାଧ୍ୟ ହୋଇଛନ୍ତି। ଏହି ଉଦ୍ୟୋଗପତି ହେଉଛନ୍ତି ବି.ଆର.ସେଟ୍ଟି ଓ ୟୁଏଇରେ ଥିବା ତାଙ୍କ ଫିନାବ୍ଲର ପିଏଲସିକୁ ମାତ୍ର ୧ ଡଲାର ବିନିମୟରେ ଇସ୍ରାଏଲ-ୟୁଏଇ ସଂଘକୁ ବିକିଦେଇଛନ୍ତି।

ବି.ଆର.ସେଟ୍ଟୀଙ୍କ ଫାଇନାନସିଆଲ ସର୍ଭିସ କମ୍ପାନୀ ଫିନାବ୍ଲର ଏକ ଘୋଷଣାରେ ଗ୍ଲୋବାଲ ଫିନଟେକ୍ ଇନଭେଷ୍ଟମେଣ୍ଟ ହୋଲ୍ଡିଂସ(ଜିଏଫଆଇଏଚ୍) ସହ ଏକ ରାଜିନାମା କରିଥିବା କହିଛି। ଜିଏଫଆଇଏଚ୍ ଇଜ୍ରାଏଲର ପ୍ରିଜିମ ଗ୍ରୁପଙ୍କ ସହଯୋଗୀ କମ୍ପାନୀ। ଏହାକୁ ଫିନାବ୍ଲର ପିଏଲସି ତାର ସମସ୍ତ ସମ୍ପତ୍ତି ବିକ୍ରୟ କରୁଛି।

ଗତବର୍ଷ ଡିସେମ୍ବର ମାସରେ ଫିନାବ୍ଲରର ବଜାର ମୂଲ୍ୟ ପ୍ରାୟ ୨ ବଲିୟନ ଡଲାରରୁ ବି ଅଧିକ ଥିଲା। ତେବେ କମ୍ପାନୀ ଚଳିତବର୍ଷ ଏପ୍ରିଲରେ ଜାରି କରିଥିବା ସୂଚନାରେ ତା ଉପରେ ପ୍ରାୟ ୧ ବଲିୟନ ଡଲାରର ଋଣ ଥିବା କହିଥିଲା। ତେବେ ଫିନାବ୍ଲରର ବିକ୍ରୟକୁ ଏବେ ୟୁଏଇ ଓ ଇସ୍ରାଏଲ କମ୍ପାନୀଙ୍କ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଅଧିଗ୍ରହଣ ବୁଝାଯାଉଛି। ଫିନାବ୍ଲର ବ୍ୟତୀତ ସେଟ୍ଟୀଙ୍କର ଆବୁଧାବୀରେ ଏନଏମସି ହେଲଥ୍ ନାମରେ ମଧ୍ୟ କମ୍ପାନୀ ଅଛି। ହେଲେ ଗତବର୍ଷ ଡିସେମ୍ବରରୁ ଏହାର ସେୟାର ମୂଲ୍ୟ ଖସିବାରେ ଲାଗିଛି। ବିଲିୟୋନେୟାର ବିଜନେସ୍ ମ୍ୟାନ୍ ସେଟ୍ଟୀଙ୍କ କମ୍ପାନୀଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିବା ପରେ ଗତବର୍ଷରୁ ତାଙ୍କ କମ୍ପାନୀମାନଙ୍କୁ ସେୟାର ଓ ଷ୍ଟକ୍ ଏକ୍ସଚେଞ୍ଜରେ କାରବାର ମନା କରାଯାଇଛି।

ୟୁଏଇରେ ହେଲଥ୍କେୟାର ଇଣ୍ଡଷ୍ଟ୍ରିରେ ପ୍ରଗତି ହାସଲ କରିବାରେ ସେଟ୍ଟୀ ପ୍ରଥମ ଭାରତୀୟ ଉଦ୍ୟୋଗପତି। ସେ ୧୯୭୦ ମସିହାରେ ଏନଏମସି ହେଲଥ୍ କେୟାରର ସ୍ଥାପନା କରିଥିଲେ। ୨୦୧୨ ମସିହାରେ ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜରେ ସୂଚୀଭୁକ୍ତ ହେବା ବେଳକୁ ୟୁଏଇର ପ୍ରଥମ ଏପରି କମ୍ପାନୀ ଥିଲେ। କୁହାଯାଉଛି ସେଟ୍ଟୀ ମାତ୍ର ୮ ଡଲାର ପକେଟରେ ନେଇ ୟୁଏଇରେ ପହଞ୍ଚିଥିଲେ। ସେତେବେଳେ ଜୀବିକା ଅର୍ଜନ କରିବା ଲାଗି ସେ ସେଠାରେ ମେଡିକାଲ ରିପ୍ରେଜେଣ୍ଟେଟିଭ ଭାବେ କାମ ଆରମ୍ଭ କରିଥିଲେ।

୧୯୮୦ ମସିହାରେ ସେଟ୍ଟୀ ଏମିରେଟସ୍ର ସର୍ବ ପୁରାତନ ବ୍ୟବସାୟ ୟୁଏଇ ଏକ୍ସଚେଞ୍ଜ ଆରମ୍ଭ କରିଥିଲେ। ତେବେ ୨୦୧୮ ମସିହା ବେଳକୁ ତାଙ୍କ ବ୍ୟବସାୟୀକ ସାମ୍ରାଜ୍ୟ ସମସ୍ତଙ୍କ ନଜରକୁ ଆସିଥିଲା। ସେ ହେଲଥ୍ କେୟାର, ଫାଇନାନସିଆଲ ସର୍ଭିସ ବ୍ୟତୀତ ହସ୍ପିଟାଲିଟି, ପୁଡ ଏଣ୍ଡ ବିଭରେଜ ଓ ରିୟଲ ଇଷ୍ଟେଟ୍ କାରବାରରେ ମଧ୍ୟ ଜଡିତ ଥିଲେ।