ବିଧାୟକଙ୍କ ମନ୍ତବ୍ୟକୁ ବିରୋଧ କରି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆଜାନ ପଢିଲେ ଯୁବକ; ଚେତାଇଲା ପୁଲିସ

Published By : Prameya-News7 Bureau | March 19, 2023 IST

ଶିବମୋଗା; ଆଜାନକୁ ନେଇ କର୍ଣ୍ଣାଟକ ବିଜେପି ବିଧାୟକ କେଏସ୍ ଈଶ୍ୱରପ୍ପାଙ୍କ ବୟାନ ପରେ କର୍ଣ୍ଣାଟକରେ ବିକ୍ଷୋଭ ପ୍ରଦର୍ଶନ। ଶିବମୋଗା ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଛିଡା ହୋଇ ଆଜାନ ପଢ଼ିଲେ ଯୁବକ। ଦରକାର ପଡ଼ିଲେ ବିଧାନସଭା ଆଗରେ ମଧ୍ୟ ଆଜାନ ପଢ଼ିବାକୁ ଆନ୍ଦୋଳନକାରୀ ଯୁବକ ଚେତାବନୀ ଦେଇଛନ୍ତି। ଆନ୍ଦୋଳନାକାରୀମାନେ ବିଜେପି ବିଧାୟକ ଈଶ୍ୱରପ୍ପାଙ୍କ ବିରୋଧରେ ମଧ୍ୟ ନାରାବାଜୀ କରିଛନ୍ତି।

କଲେକ୍ଟରଙ୍କ ଅଫିସ ସାମ୍ନାରେ ଛିଡ଼ା ହୋଇଥିବା ଯୁବକ ଜଣ ଚେତାବନୀ ଦେଇ କହିଛନ୍ତି  “ଯଦି ସେ ନେତା(ଈଶ୍ୱରପ୍ପା) ଆମ ବାପାମାଙ୍କ ବିରୋଧରେ କହିଥାନ୍ତେ ତେବେ ଆମେ ଛାଡ଼ି ଦେଇଥାନ୍ତୁ। କିନ୍ତୁ ସେ ଆଲ୍ଲାହ ଓ ଆଜାନ ଉପରେ କମେଣ୍ଟ କରିଛନ୍ତି। ଯଦି ଆବଶ୍ୟକ ପଡ଼େ ତେବେ ବିଧାନ ସୌଧ ସାମ୍ନାରେ ବି ଆଜାନ ପଢ଼ିବି। ଆମେ ଭୀରୁ ନୋହୁଁ। ସମସ୍ତ ମୁସ୍ଲିମ ସମ୍ପ୍ରଦାୟ ଏକାଠି ହେବା ଉଚିତ୍।”

ଏହି ଘଟଣାକୁ ନେଇ ଶିବମୋଗା ପୁଲିସ ଧାରା ୧୦୭ ଅନୁସାରେ ମାମଲା ରୁଜୁ କରିଛି। ଏନେଇ ଜିଲ୍ଲା ଏସ୍‌ପି କହିଛନ୍ତି “ ଆମେ ଯୁବ ଆଦନ୍ଦୋଳନକାରୀଙ୍କୁ ଏହି ଉପଦେଶ ଦେଉଛୁ ଯେ ଏଭଳି ଭୁଲ ନ କରି ସେମାନଙ୍କୁ ଯିବାକୁ ଦିଅନ୍ତୁ। ଏପର୍ଯ୍ୟନ୍ତ କାହାକୁ ବି ପୁଲିସ ହେପାଜତକୁ ନିଆଯାଇ ନାହିଁ। ତେବେ ଏହି ଘଟଣାରେ ପ୍ରଚ୍ଛଦପଟରେ କିଏ ଅଛି ସେ ନେଇ ତଦନ୍ତ ଜାରି ରହିଛି। ଯଦି କୌଣସି ସନ୍ଦେହଜନକ ଘଟଣା ଜଣାପଡ଼ିଲା, ତେବେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ”

ଅନ୍ୟପଟେ ଘଟାଣାକୁ ନେଇ ରାଜନୀତି ତେଜିଛି। ଜେଡିଏସ୍‌ ନେତା ଏଚ୍‌.ଡି କୁମାର ସ୍ୱାମୀ ବିଜେପି ନେତା ଈଶ୍ୱରପ୍ପାଙ୍କ ଉପରେ ବର୍ଷିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା। ଏଭଳି ଘଟଣା କାହିଁକି ଘଟୁଛି ତାର କାରଣ ହେଉଛି ବିଜେପି। ଈଶ୍ୱରପ୍ପା ହୁଅନ୍ତୁ ବା କୌଣସି ବିଜେପି ନେତା ସେମାନେ ସେମାନଙ୍କର ସୀମା ଭିତରେ ରହିବା ଉଚିତ୍। ଆମ ଦେଶ ଶାନ୍ତିରେ ରହିବା ଉଚିତ। ଯେଉଁମାନେ ଆମ ଦେଶର ସୌହ୍ୱାର୍ଦ୍ଧ୍ୟ ନଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କୁମାର ସ୍ୱାମୀ କହିଛନ୍ତି।

କଣ କହିଥିଲେ ଈଶ୍ୱରପ୍ପା ?
କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଜାରି ରହିଛି। ବିଜେପି ରାଜ୍ୟରେ ବିଜୟ ସଂକଳ୍ପ ଯାତ୍ରା କରୁଛି। ରବିବାର ଶାନ୍ତିନଗର ଠାରେ ବିଜେପି ବିଜୟ ସଂକଳ୍ପ ଯାତ୍ରା କରୁଥିବା ବେଳେ ବିଧାୟ ଈଶ୍ୱରପ୍ପାଙ୍କୁ ଆଜାନ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତରରେ ସେ କହିଥିଲେ ଯେ ଲାଉଡ୍‌ ସ୍ପିକ୍‌ରେ ଆଜାନ ପଢ଼ିବା ଦ୍ୱାରା ଲୋକେ ଡିଷ୍ଟର୍ବ ହେଉଛନ୍ତି। ବିଶେଷ କରି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଓ ହସ୍‌ପିଟାଲ୍‌ରେ ବେଡ୍‌ରେ ପଡ଼ିଥିବା ରୋଗୀ ଅଧିକ ଡିଷ୍ଟର୍ବ ହେଉଛନ୍ତି। ଈଶ୍ୱରପ୍ପାଙ୍କର ଏହି ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.