ପ୍ରିୟଙ୍କା ସକ୍ରିୟ ରାଜନୀତିକୁ ଆସିବା ପରେ, ରାଜନୈତିକ ଚମତ୍କାର ହେବା ଆଶାରେ ବିଜେପି ଛାଡି କଂଗ୍ରେସରେ ଯୋଗଦେଲେ ବିଧାୟକ

Published By : Prameya-News7 Bureau | February 15, 2019 IST

ଫରିଦାବାଦ ୧୫|୨: ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ରାଜନୀତିକୁ ଆସିଛନ୍ତି । ଏଥିସହ ସେ ଉତ୍ତର ପ୍ରଦେଶ ଦାୟିତ୍ବ ନେଇଛନ୍ତି । ପ୍ରିୟଙ୍କା ସକ୍ରିୟ ରାଜନୀତିରେ ପାଦ ଦେବା ପରେ ଦେଶର ରାଜନୈତିକ ସ୍ଥିତି ବଦଳିବା ସମ୍ଭାବନାକୁ ଆଖି ଆଗରେ ରଖି ପୂର୍ବତନ ସାଂସଦ ତଥା ଉତ୍ତର ପ୍ରଦେଶର ମୀରାପୁର ବିଧାନସଭା ନିର୍ବାଚନମଣ୍ଡଳିର ବିଜେପି ବିଧାୟକ ଅବତାର ଭଡାନା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ।

ଭଡାନା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଥିଲେ । ଗତକାଲି ସେ ଦଳ ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପଦରୁ ବିଧିବଦ୍ଧଭାବେ ଇସ୍ତଫା ପ୍ରଦାନ କରିଛନ୍ତି  । ବର୍ଷା ଯୁଆଡେ ଛତା ସିଆଡେ ନ୍ୟାୟରେ ନିଜ ପାଇଁ ସୁରକ୍ଷିତ ରାଜନୈତିକ ଦୁର୍ଗ ସଂଧାନରେ ଭଡାନା ଦଳ ପରିବର୍ତ୍ତନ କରିବା କିଛି ନୂଆ କଥା ନୁହେଁ । ରାଜନୈତିକ ସଫଳତା ଓ ସ୍ବାର୍ଥ ପାଇଁ ଭଡାନା ବହୁବାର ଦଳ ପରିବର୍ତ୍ତନ କରିଛନ୍ତି । ଭଡାନା ବିଜେପି ତ୍ୟାଗ କରିଥିଲେ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇନାହାଁନ୍ତି । ତେବେ ଖୁବଶୀଘ୍ର ସେ ବାଚସ୍ପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି ।

{"id":85453}

ସୂଚନାଯୋଗ୍ୟ ଯେ, ଅବତାର ଭଡାନା ଫରିଦାବାଦ ଲୋକସଭା ଆସନରୁ ଟିକଟ ଚାହୁଁଥିଲେ । ତେବେ ସେହି ଆସନ ପାଇଁ ଦଳ କୃଷ୍ଣ ସିଂ ଗୁଜ୍ଜରଙ୍କୁ ଟିକେଟ ଦେବା ପାଇଁ ନିଷ୍ପତ୍ତି ନେଇଥିବାରୁ ଭଡାନା ବିଜେପି ଛାଡିଥିବା କୁହାଯାଉଛି । କଂଗ୍ରେସରେ ଯୋଗ ଦେବାପରେ ଭଡାନା କହିଛନ୍ତି ଯେ, ଏହା ତାଙ୍କ ପାଇଁ ଘର ବାହୁଡା । ସୂଚନାଯୋଗ୍ୟ ଯେ, ୨୦୧୪ ସାଧାରଣ ନିର୍ବାଚନ ବେଳେ ଫରିଦାବାଦ ଲୋକସଭା ଆସନରୁ ଭଡାନା କଂଗ୍ରେସ ଚିକେଟରେ ଲଢିଥିଲେ । ବିଜେପିର କୃଷ୍ଣପାଲ ଗୁଜ୍ଜରଙ୍କଠୁ ୪.୬୭ଲକ୍ଷ ଭୋଟରେ ପରାସ୍ତ ହୋଇଥିଲେ । ଏହାପରେ ଅବତାର ଭଡାନା ଇଣ୍ଡିଆନ ନ୍ୟାସନାଲ ଲୋକଦଳରେ ଯୋଗ ଦେଇଥିଲେ । ତେବେ ଠିକ୍ ଉତ୍ତରପ୍ରଦେଶ ବିଧାନସଭା ପୂର୍ବରୁ ଅବତାର ବିଜେପିରେ ଯୋଗ ଦେଇ ମୀରାପୁର ଆସନରୁ ପ୍ରାର୍ଥୀ ହେବା ସହ ନିର୍ବାଚତ ହୋଇଥିଲେ ।   

ଅବତାର ବିଜେପି ଛାଡି କଂଗ୍ରେସରେ ଯୋଗଦେବା ପଛରେ ଅବତାରଙ୍କ ପତ୍ନୀ ମମତା ଭଡାନା ଓ ମହାରାଷ୍ଟ୍ରର କଂଗ୍ରେସ ନେତା ତଥା କ୍ଷେତ କିଶାନ ମଜଦୁର ସଂଘର ଅଧ୍ୟକ୍ଷ ନାନା ପଟେଲଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କୁହାଯାଉଛି । ପ୍ରିୟଙ୍କାଙ୍କ ଦରବାରରେ ମମତା ଏବଂ ରାହୁଲଙ୍କ ଦରବାରରେ ନାନା ପଟେଲଙ୍କ ଲବି ଯୋଗୁଁ ଅବତାରଙ୍କୁ ପୁଣି କଂଗ୍ରେସ ଗ୍ରହଣ କରିଛି । ଅବତାର ବିଜେପିରେ ଯୋଗ ଦେବାପରେ ମଧ୍ୟ ମମତା କଂଗ୍ରେସ ରାଜନୀତିରେ ସକ୍ରିୟ ଥିଲେ ।

{"id":85451}

ଅବତାରଙ୍କ ରାଜନୈତିକ କ୍ୟାରିଅରକୁ ଦେଖିଲେ ବେଶ ଭଲଭାବେ ବୁଝିହେବ ଯେ, ସେ କେତେ ସୁବିଧାବାଦୀ ରାଜନେତା ।

୧୯୮୮ ମସିହାରେ ହରିୟାଣାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଦେବୀଲାଲ ଅବତାର ବିଧାୟକ ନିର୍ବାଚିତ ହୋଇନଥିବା ସତ୍ତ୍ବେ ୬ ମାସ ପାଇଁ ରାଜ୍ୟମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିଲେ । ୧୯୮୯ରେ ଅବତାର ଜନତାଦଳ ଟିକେଟରେ ଦୌସା ଆସନରୁ ନିର୍ବାଚନ ଲଢି କଂଗ୍ରେସର ରାଜେଶ ପାଇଲଟଙ୍କଠାରୁ ପରାସ୍ତ ହୋଇଥିଲେ । ୧୯୯୧ ମସିହାରେ ଫରିଦାବାଦ ଲୋକସଭା ଆସନରୁ କଂଗ୍ରେସ ପ୍ରର୍ଥୀଭାବେ ଅବତାର ବିଜୟୀ ହୋଇଥିଲେ ।

{"id":85452}

୧୯୯୬ ମସିହାରେ ଏହି ଆସନରୁ ପୁଣି ଅବତାର ପ୍ରାର୍ଥୀ ହୋଇଥିଲେ । ତେବେ ବିଜେପିର ରାମଚନ୍ଦ୍ର ବେଂଦାଙ୍କ ଦ୍ବାରା ପରାସ୍ତ ହୋଇଥିଲେ । ୧୯୯୮ ମସିହାରେ ଏହି ଆସନ ପାଇଁ କଂଗ୍ରେସ ଟିକଟ ନମିଳିବାରୁ ସେ କଂଗ୍ରେସ ଦଳ ଛାଡି ସମାଜବାଦୀ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଏହି ଦଳର ଟିକଟରେ ଫରିଦାବାଦରୁ ପ୍ରର୍ଥୀ ହୋଇଥିଲେ । ତେବେ ଭାରତୀୟ ଜନତା ପାର୍ଟିର ପ୍ରର୍ଥୀଙ୍କଠାରୁ ପୁନର୍ବାର ନିର୍ବାଚନ ହାରିଥିଲେ । ନିର୍ବାଚନ ହାରିବାପରେ ପୁଣି ସେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ୧୯୯୯ ମସିହା ସାଧାରଣ ନିର୍ବାଚନ ବେଳେ ମେରଠ ଆସନରୁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇ ଦ୍ବିତୀୟ ଥର ପାଇଁ ସାଂସଦଭାବେ ନିର୍ବାଚିତ ହୋଇଥିଲେ ।

୨୦୦୪ ମସିହାରେ କଂଗ୍ରେସ ପ୍ରାର୍ଥୀଭାବେ ଫରିଦାବାଦ ଆସନରୁ ତୃତୀୟ ଥର ସାଂସଦ ହୋଇଥିଲେ । ୨୦୦୯ ମସିହାରେ ମଧ୍ୟ ସେ କଂଗ୍ରେସ ପ୍ରର୍ଥୀଭାବେ ଏହି ଆସନରୁ ୪ର୍ଥ ଥର ସାଂସଦଭାବେ ନିର୍ବାଚିତ ହୋଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.