ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣାରେ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରିକଲା ଡିଜିସିଏ

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ: ନ୍ୟୁୟର୍କ ଫେରନ୍ତା ଏୟାର ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିବା ଘଟଣାରେ ଗୁରୁବାର ବିମାନ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବେସାମରିକ ବିମାନ ଚଳାଚଳ ବିଭାଗ(ଡିଜିସିଏ)।

ଏହି ନୋଟିସ୍‌ରେ ଡିଜିସିଏ କମ୍ପାନୀ ଠାରୁ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲା। ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ଉତ୍ତରେ ଏହା ଜଣାପଡ଼ିଛି ଯେ ବେଆଦବ ଯାତ୍ରୀଙ୍କୁ ଠିକ୍ ଭାବରେ ନିୟନ୍ତ୍ରଣ କରିବା ପାଇଁ ଥିବା ନିୟମକୁ ଠିକ୍ ଭାବରେ ପାଳନ କରାଯାଇ ନାହିଁ।   

ଏନେଇ ଡିଜିସିଏ କହିଛି “ସ୍ଥିତି ନିୟନ୍ତ୍ରଣରେ ଅଣପେଷାଦାର ଭଳି ଏୟାରଲାଇନ୍‌ କାର୍ଯ୍ୟ କରିବାରୁ ସୁପରିଚାଳନା ଫେଲ୍ ମାରିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ୁଛି ଯେ ବେଆଦବ ଯାତ୍ରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ଦିଷ୍ଟକ ଏୟାରକ୍ରାଫ୍ଟ ରୁଲ୍ସ ୧୯୩୭ର ପାଳନ କରାଯାଇ ନାହିଁ। ”

ସୂଚନା ଅନୁସାରେ, ଘଟଣା ନଭେମ୍ବର ୩୦ ତାରିଖରେ ଘଟିଥିଲା। ଏୟାର ଇଣ୍ଡିଆର ଏକ ବିମାନ ୧୪୦ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଅଭିମୁଖେ ଆସୁଥିଲା। ମଧ୍ୟାହ୍ନ ଭୋଜନ ପରେ ଯେତେବେଳେ ବିମାନର ଲାଇଟ୍ ବନ୍ଦ କରାଗଲା ସେତେବେଳେ ଏଭଳି ଅଭଦ୍ରାମୀ କରିଥିଲେ ମଦ୍ୟପ ବ୍ୟକ୍ତି। ମହିଳାଙ୍କ ଶିଟ୍ ପାଖକୁ ଆସି ଚେନ୍ ଖୋଲି ତାଙ୍କ ଉପରେ ପରିସ୍ରା କରିଥିଲେ। ପରିସ୍ରା କରିସାରିବା ପରେ ବି ବୟସ୍କା ମହିଳାଙ୍କ ସାମ୍ନାରେ ଛିଡ଼ା ହୋଇ ରହିଥିଲେ ଅଭିଯୁକ୍ତ।

ତେବେ ମହିଳାଙ୍କ ପାଖରେ ବସିଥିବା ଯାତ୍ରୀ ଏଥିରେ ଅସନ୍ତୁଷ୍ଟ ହୋଇ କରି ଏଠାରୁ ଚାଲିଯିବାକୁ କହିଥିଲେ। ପୀଡ଼ିତା ମହିଳା ଜଣଙ୍କର ଘଟଣା ସମ୍ପର୍କରେ ଟାଟା ଗ୍ରୁପର ଚେୟାରମ୍ୟାନ୍‌ ଏନ୍‌ ଚନ୍ଦ୍ରଶେଖରନଙ୍କୁ ଜଣାଇବା ପରେ ମାମଲା ସାମ୍ନାକୁ ଆସିଥିଲା। ଘଟଣାକୁ ନେଇ କମ୍ପାନୀ କହିଥିଲା ଯେ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସୂଚିତ କରାଯାଇଛି। ମାମଲାରେ ତଦନ୍ତ ଜାରି ରହିବା ସହିତ ଟିମ୍ ନିୟମିତ ପୀଡିତାଙ୍କ ସଂସ୍ପର୍ଶରେ ରହିଛି ବୋଲି ଏୟାରଇଣ୍ଡିଆ କହିଛି। ଆଉ ଆଜି ଉକ୍ତ ଅଭିଯୁକ୍ତ ବିରୋଧରେ ୩୦ ଦିନିଆ ବ୍ୟାନ୍ ଲଗାଇଛି ବିମାନ କମ୍ପାନୀ। ତା ସହିତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ମାମଲା ବି ହୋଇଥିବା ବିମାନ କମ୍ପାନୀ ସୂଚନା ଦେଇଛି। ବର୍ତ୍ତମାନ ପୁଲିସ ଅଭିଯୁକ୍ତକୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.