ଭୁଲବଶତଃ ଇଣ୍ଡିଗୋ ବିମାନର ଜରୁରିକାଳୀନ ଗେଟ୍ ଖୋଲିଥିଲେ ତେଜସ୍ୱୀ ସୂର୍ଯ୍ୟା: କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ
18/01/2023 at 4:51 PM

ନୂଆଦିଲ୍ଲୀ: ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା ଇଣ୍ଡିଗୋ ବିମାନର ଜରୁରୀକାଳିନ ଗେଟ୍ ଖୋଲିବା ନେଇ ଗତକାଲି ଅଭିଯୋଗ ଆଣିଥିଲା କଂଗ୍ରେସ। ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂର୍ଯ୍ୟା ଭୁଲ୍ ବଶତଃ ବିମାନର ଡୋର୍ ଖୋଲିଦେଇଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି।
ସେହିପରି ମାମଲାକୁ ନେଇ ଗତକାଲି ଇଣ୍ଡିଗୋ ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଥିଲା। ଡିସେମ୍ବର ୧୦ ତାରିଖରେ ଯାତ୍ରୀ ଭୁଲ ବଶତଃ ଏପରି ଗେଟ୍ ଖୋଲି ଦେଇଥିଲେ। ପରେ ସେ କ୍ଷମାପ୍ରାର୍ଥନା ବି କରିଥିଲେ ବୋଲି କମ୍ପାନୀ କହିଥିଲା। ହେଲେ କଂଗ୍ରେସ କଥା ଉଠାଇବା ପରେ ସୂର୍ଯ୍ୟାଙ୍କ ଭୁଲ୍ ସାମ୍ନାକୁ ଆସିଥିଲା।
ସୂଚନା ଥାଉକି, ଡୋର ଖୋଲା ହେବା ବେଳେ ବିମାନଟି ଏୟାରପୋର୍ଟରେ ଥିଲା। ଏବଂ ତିରୁଚିରାପଲ୍ଲୀ ପାଇଁ ଉଡାଣ ଭରିବା ପୂର୍ବରୁ ଇଞ୍ଜିନିୟରିଂ ଯାଞ୍ଚ କରାଯାଇଥିଲା। ଏନେଇ ବେସାମରିକ ବିମାନ ପ୍ରାଧିକରଣ ମହାନିର୍ଦ୍ଦେଶାଳୟ(ଡିଜିସିଏ)ର ବରିଷ୍ଠ ଅଧିକାରୀ କହିଥିଲେ ଯେ, ଏହି ମାମଲାରେ ସୁରକ୍ଷା ସହ କୌଣସି ପ୍ରକାରର ସାଲିସ୍ କରାଯାଇ ନାହିଁ। ଅଭିଯୁକ୍ତ ଦୋଷ ସ୍ୱୀକାର କରିବା ପରେ ଇଞ୍ଜିନିୟରଙ୍କ ଦ୍ୱାରା ଭଲଭାବରେ ଚେକ୍ କରି ବିମାନ ଉଡ଼ାଣକୁ ଅନୁମତି ଦିଆଯାଇଥିଲା ବୋଲି କମ୍ପାନୀ କହିଛି।