ଦେଶର ୨ନମ୍ବର ଧନୀ ରାଧାକିଶନ୍ ଦମାନି , ୧୮ବର୍ଷରେ ସମ୍ପତ୍ତି ୧.୨ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | February 20, 2020 IST

ନୂଆଦିଲ୍ଲୀ ୨୦/୨: ବ୍ୟବସାୟୀ ରାଧାକିଶନ୍‌ ଦମାନିଙ୍କୁ ନେଇ ଏବେ ଦେଶବ୍ୟାପୀ କାହିଁରେ କେତେ ଚର୍ଚ୍ଚା । ୧୮ ବର୍ଷ ତଳେ ତାଙ୍କୁ କେହି ଚିହ୍ନି ନଥିଲେ । ଏବେ ବ୍ୟବସାୟ ଜଗତ ତାଙ୍କର ଗୁଣଗାନ କରୁଛି । ଆର୍‌ଆଇଏଲ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ପଛକୁ ଭାରତର ଦ୍ୱିତୀୟ ଶ୍ରେଷ୍ଠ ଧନୀ ହେବାର ଗୌରବ ହାସଲ କରିଛନ୍ତି ସେ । ୧୮ ବର୍ଷ ତଳେ ଅର୍ଥାତ୍‌ ୨୦୦୨ରେ ମୁମ୍ବାଇରେ ଗୋଟିଏ କ୍ଷୁଦ୍ର ଷ୍ଟୋର ଖୋଲି ଦେଶର ଖୁଚୁରା ବଜାରରେ ପାଦ ଥାପିଥିଲେ ଦମାନି । ତାଙ୍କର ପରିଶ୍ରମ, ଅଧ୍ୟବସାୟ ଏବଂ ପରିବାର ସଦସ୍ୟଙ୍କ ଅକୁଣ୍ଠ ସହଯୋଗ ତାଙ୍କୁ ଚରମ ସୋପାନରେ ପହଞ୍ଚାଇଛି । ତାଙ୍କର ନିଟ୍‌ ସମ୍ପତ୍ତି ମୂଲ୍ୟ ୧.୨ ଲକ୍ଷ କୋଟି ଟଙ୍କା ଛୁଇଁଛି । ଦେଶରେ ତାଙ୍କର ଖୁଚୁରା ଷ୍ଟୋର ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି । ଷ୍ଟକ୍‌ ମାର୍କେଟ୍‌ରେ ଏବେ ସେ ରାଜ୍‌ କରୁଛନ୍ତି । ତାଙ୍କ କମ୍ପାନିର ସେୟାର କିଣିବା ପାଇଁ ନିବେଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ।

{"id":226722,"sizeSlug":"large"}

ଫୋର୍ବସର ଧନୀ ତାଲିକାରେ ଲମ୍ବା ଲମ୍ଫ ପ୍ରଦାନ କରିଥିବା ଦମାନିଙ୍କ ଆଭିନ୍ୟୁ ସୁପରମାର୍ଟସ (ଡି-ମାର୍ଟ ଷ୍ଟୋର୍‌ ଚଳାଉଥିବା ସଂସ୍ଥା) ୨୦୧୭ରେ ଏହାର ପ୍ରଥମ ଆଇପିଓ ଆରମ୍ଭ କରିଥିଲା । ପ୍ରଥମ ଦିନରେ ଆଭିନ୍ୟୁ ସୁପରମାର୍ଟସର ସେୟାର ମୂଲ୍ୟ ୧୧୪.୩୦% ବଢ଼ିଥିଲା । ଫଳରେ ଏହାର ବଜାର ମୂଲ୍ୟ ୬୧,୭୩୧.୩୨ କୋଟି ଟଙ୍କାରେ ପହଞ୍ଚିଥିଲା । ଏହି ଅଭିବୃଦ୍ଧି ଦମାନିଙ୍କୁ ଦେଶର ଶ୍ରେଷ୍ଠ ୨୦ ଧନୀଙ୍କ ମଧ୍ୟରେ ସ୍ଥାନ ଦେଇଥିଲା ।

{"id":226723,"sizeSlug":"large"}

ନିକଟରେ ଦମାନିଙ୍କ ଆଭିନ୍ୟୁ ସୁପରମାର୍ଟସର ସେୟାର ମୂଲ୍ୟ ୫%ରୁ ଅଧିକ ବଢ଼ିଛି । ଫଳରେ ଦେଶର ଦ୍ୱିତୀୟ ଧନୀ ଶିବ ନାଦାରଙ୍କୁ ସେ ପଛରେ ପକାଇଛନ୍ତି । ବଜାରରେ ତାଲିକାଭୁକ୍ତ ହେବା ଦିନ କମ୍ପାନିର ସେୟାର ୧୧୪% ବଢ଼ିବା ପଛରେ ଦମାନିଙ୍କ ବ୍ୟବସାୟିକ ସଫଳତା ଲୁଚି ରହିଛି । ୨୦୦୨ରେ ପ୍ରଥମ ଷ୍ଟୋର ଖୋଲିବା ପରେ ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ିଥିଲେ ସେ । ଦୀର୍ଘ ୧୫ ବର୍ଷର ରାସ୍ତା ଅତିକ୍ରମ କରିବା ପରେ ନିଜ କମ୍ପାନିକୁ ଷ୍ଟକ୍‌ ମାର୍କେଟ୍‌ରେ ପ୍ରବେଶ କରାଇଥିଲେ ।

{"id":226724,"sizeSlug":"large"}

୬୫ ବର୍ଷୀୟ ଦମାନି ବହୁ ଆଗରୁ ଭାରତର ଖାଉଟି ବଜାରରେ ରହିଥିବା ସୁଯୋଗକୁ ଭଲ ଭାବେ ଦେଖିପାରିଥିଲେ । ତେଣୁ ଏଥିରେ ନିଜର ପୁଞ୍ଜି ଖଟାଇଥିଲେ । ମୁମ୍ବାଇ ଭିତ୍ତିକ ଡି-ମାର୍ଟ ଏବେ ଖାଦ୍ୟ, ପୋଷାକପତ୍ର ଏବଂ ଅନ୍ୟ ଖାଉଟି ସାମଗ୍ରୀ ଏହାର ୨୦୦ରୁ ଅଧିକ ଷ୍ଟୋରରେ ବିକ୍ରି କରୁଛି । ୨୦୧୯ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ବର୍ଷରେ କମ୍ପାନିର ରାଜସ୍ୱ ୨୦,୭୧୨ କୋଟି ଟଙ୍କା ହୋଇଛି । ବଜାରରେ ତାଲିକାଭୁକ୍ତ ହେବା ଦିନଠାରୁ ତାଙ୍କ କମ୍ପାନିର ସେୟାର ମୂଲ୍ୟ ୨୩୦% ବଢ଼ିଛି ।

{"id":226725,"width":578,"height":434,"sizeSlug":"large"}

ରାଧାକିଶନ୍‌ ଦମାନିଙ୍କୁ ଏତେ ସଫଳତା ମିଳିବା ପଛରେ ତାଙ୍କ ଭାଇ, ପତ୍ନୀ ଏବଂ ସନ୍ତାନ ଅଛନ୍ତି । ଡି-ମାର୍ଟର ଦ୍ରୁତ ଅଭିବୃଦ୍ଧିରେ ଏମାନଙ୍କ ହାତ ରହିଛି । ଆଭିନ୍ୟୁ ସୁପରମାର୍ଟସରେ ତାଙ୍କ ଝିଅ ନିର୍ଦ୍ଦେଶକ ପଦରେ ଅଛନ୍ତି । ଡି-ମାର୍ଟରେ ୫୮% ଅଂଶଧନ ବ୍ରାଇଟ୍‌ ଷ୍ଟାର ପାଖରେ ରହିଛି, ଯାହାର ମାଲିକାନା ଦମାନି, ତାଙ୍କ ପତ୍ନୀ ଏବଂ ପିଲାଙ୍କ ହାତରେ ରହିଛି। ଏବେ ଦେଶର ଦ୍ୱିତୀୟ ଶ୍ରେଷ୍ଠ ଧନୀ ହେବା ପରେ ଦମାନି ପରିବାର ବ୍ୟବସାୟ ଜଗତ ପାଇଁ ଉଦାହରଣ ପାଲଟିଛି ।

{"id":226726,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.