ଓ୍ଵାର୍ଲ୍ଡ ଓ୍ଵାଇଡ୍ ୧୫୦୦ କୋଟି ଟଙ୍କା ଅତିକ୍ରମ କଲା ‘ଅବତାର: ଦ ଓ୍ଵେ ଅଫ ଓ୍ଵାଟର’, ଜାଣନ୍ତୁ ଭାରତରେ ଫିଲ୍ମର ଆୟ କେତେ

Published By : Prameya-News7 Bureau | December 18, 2022 IST

ନୂଆଦିଲ୍ଲୀ: ଜେମ୍ସ କ୍ୟାମେରୁନଙ୍କ ଫିଲ୍ମ ‘ଅବତାର: ଦ ଓ୍ଵେ ଅଫ ଓ୍ଵାଟର’(Avatar: The Way of Water) ବକ୍ସ ଅଫିସ୍‌ରେ ଧମାଲ କରି ଚାଲିଛି। ଦର୍ଶକ ବହୁ ପ୍ରତୀକ୍ଷିତ ଏହି ଫିଲ୍ମକୁ ବେଶ ପସନ୍ଦ କରୁଛନ୍ତି, ଯାହାର ଅନୁମାନ ଆପଣ ପ୍ରଥମ ଦୁଇ ଦିନର କାରବାରରୁ ଜାଣି ପାରିବେ। ଅବତାର ଦୀର୍ଘ ୧୩ ବର୍ଷ ପରେ ରିଲିଜ୍ ହୋଇଛି। ଫିଲ୍ମ ଗୋଟିଏ ପଟେ ଓ୍ଵାର୍ଲ୍ଡ ଓ୍ଵାଇଡ୍‌ରେ ଖୁବ୍ ବ୍ୟବସାୟ କରୁଥିବା ବେଳେ ଭାରତରେ ମଧ୍ୟ ଫିଲ୍ମର ଆୟ ଆଶାତୀତ ରହିଛି।

‘ଅବତାର: ଦ ଓ୍ଵେ ଅଫ ଓ୍ଵାଟର’କୁ କେବଳ କ୍ରିଟିକ୍ସ ନୁହନ୍ତି ବରଂ ଦର୍ଶକଙ୍କ ଖୁବ୍ ଭଲ ପାଇବା ମିଳୁଛି। ଚଳଚ୍ଚିତ୍ର ସମଗ୍ର ବିଶ୍ଵରେ ୧୫୦୦  କୋଟିରୁ ଅଧିକ ବ୍ୟବସାୟ କରି ସାରିଲାଣି। ଅନ୍ୟପକ୍ଷେ ଭାରତୀୟ ବକ୍ସ ଅଫିସରେ ଫିଲ୍ମଟି ପ୍ରଥମ ଦିନରେ ୫୧ କୋଟି ଆୟ କରିଥିବା ବେଳେ ଦ୍ଵିତୀୟ ଦିନରେ ମୋଟ୍ ଆୟ ୧୦୦ କୋଟି ଅତିକ୍ରମ କରିଛି। ପୁଣି ଆଜି ରବିବାର ଥିବାରୁ ଫିଲ୍ମର କାରବାର ୧୫୦ କୋଟି ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

‘ଅବତାର: ଦ ଓ୍ଵେ ଅଫ ଓ୍ଵାଟର’ର ବଜେଟ୍ ୨୦୦୦ କୋଟି

ଉଲ୍ଲେଖନୀୟ ଅବତାରର ପ୍ରଥମ ପାର୍ଟ ୨୦୦୯ରେ ରିଲିଜ୍ ହୋଇଥିଲା। ପ୍ରାୟ ୧୩ ବର୍ଷ ପରେ ଫିଲ୍ମର ସିକ୍ଵେଲ ପରଦାକୁ ଆସିଛି। ଫିଲ୍ମର ନିର୍ଦ୍ଦେଶକ ଜେମ୍ସ କ୍ୟାମେରୁନ ନିଜ କମାଲ ନିର୍ଦ୍ଦେଶନା ଏବଂ ସମୟ ଆଗର ବୈଷେୟିକ ଜ୍ଞାନ କୌଶଳ ଉପଯୋଗ କରିବାରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ଏଥିପାଇଁ ତାଙ୍କ ଫିଲ୍ମର ବଜେଟ୍ ବହୁତ ମହଙ୍ଗା ହୋଇଥାଏ। ଅବତାର ୨ର ବଜେଟ୍ ୨୫୦ ମିଲିୟନ ଡଲାର(୨୦୦୦ କୋଟି) ହୋଇଥିବା କୁହାଯାଉଛି। ତେଣୁ ହିଟ୍ ହେବାକୁ ହେଲେ ଫିଲ୍ମକୁ ବହୁତ ଆୟ କରିବାକୁ ପଡିବ।

ସୂଚନାଯୋଗ୍ୟ, ଜେମ୍ସ କ୍ୟାମେରୁନ ଅବତାର ପୂର୍ବରୁ ଟାଇଟାନିକ ନିର୍ମାଣ କରିଥିଲେ। ଏହାର ୧୨ ବର୍ଷ ପରେ ଅବତାର ସିନେମାଘରକୁ ଆସିଥିଲେ। ପୁଣି ୧୩ ବର୍ଷ ପରେ ଏହାର ଦ୍ଵିତୀୟ ଭାଗ ପରଦାକୁ ଆସିଛି। ଅବତାର ପୂର୍ବରୁ ଟାଇଟାନିକ ଦୁନିଆରେ ସର୍ବାଧିକ ଆୟକାରୀ ଫିଲ୍ମ ହୋଇଥିଲା। କିନ୍ତୁ ୨୦୦୯ରେ ଅବତାର ଏହାର ରେକର୍ଡ ଭାଙ୍ଗିଥିଲା। ଟାଇଟାନିକ ପ୍ରାୟ ୧୮ ହଜାର କୋଟି କାରବାର କରିଥିବା ବେଳେ ଅବତାର ୨୪ ହଜାର କୋଟି ଟଙ୍କା ଆୟ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.