ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ୍ ଦୌଡ ରୋଚକ ମୋଡରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଓ୍ଵେଷ୍ଟଇଣ୍ଡିଜକୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୨-୦ରେ ପରାସ୍ତ କରିଛି। ଟେଷ୍ଟ ଶୃଙ୍ଖଳା ବିଜୟ ଫଳରେ ଅଷ୍ଟ୍ରେଲିଆର ସ୍ଥିତି ଆହୁରି ଦୃଢ ହୋଇ ଯାଇଛି। ଏପରିକି ପରବର୍ତ୍ତୀ କିଛି ମ୍ୟାଚ୍ ଜିତିଲେ ଅଷ୍ଟ୍ରେଲିଆ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବ। ଆଉ ଏଥିରେ ଭାରତୀୟ ଦଳର ଚିନ୍ତା ବଢି ଯାଇଛି।
ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ୨୦୨୧-୨୩ ସିଜିନର ପଏଣ୍ଟ ଟେବୁଲ୍ରେ ବର୍ତ୍ତମାନ ଅଷ୍ଟ୍ରେଲିଆ ୭୫ ପ୍ରତିଶତ ବିଜୟ ସହ ଶୀର୍ଷରେ ରହିଛି। ବିଜୟ ପ୍ରତିଶତ ୬୦ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଦ୍ଵିତୀୟରେ ରହିଛି। ତୃତୀୟରେ ଶ୍ରୀଲଙ୍କା ରହିଛି ଯାହାର ବିଜୟ ପ୍ରତିଶତ ୫୩.୩୩ ରହିଛି। ଭାରତ ୫୨.୦୮ ବିଜୟ ପ୍ରତିଶତ ସହ ଚତୁର୍ଥ ସ୍ଥାନରେ ରହିଛି।
ପଞ୍ଚମ ସ୍ଥାନରେ ପାକିସ୍ତାନ ଥିବା ବେଳେ ଷଷ୍ଠ ସ୍ଥାନରେ ଇଂଲଣ୍ଡ ରହିଛି। ଅଷ୍ଟ୍ରେଲିଆ ନିକଟରୁ ୦-୨ରେ ହାରିବା ପରେ ଓ୍ଵେଷ୍ଟଇଣ୍ଡିଜ ସପ୍ତମ ସ୍ଥାନକୁ ଖସି ଆସିଛି। ଡିଫେଣ୍ଡିଂ ଚାମ୍ପିଅନ ନ୍ୟୁଜିଲାଣ୍ଡ ଅଷ୍ଟମ ଏବଂ ବାଂଲାଦେଶ ନବମ ସ୍ଥାନରେ ରହିଛି।
ସଂପ୍ରତି ଶୀର୍ଷ ୪ ଦଳ ମଧ୍ୟରେ ଫାଇନାଲ୍ରେ ପ୍ରବେଶ ପାଇଁ ପ୍ରତିଦ୍ଵନ୍ଦ୍ଵିତା ଜାରି ରହିଛି। ଦକ୍ଷିଣ ଆଫ୍ରିକା ବନାମ ଅଷ୍ଟ୍ରେଲିଆ(୩ ମ୍ୟାଚ୍ର ଟେଷ୍ଟ ସିରିଜ୍) ଏବଂ ପୁଣି ଭାରତ ବନାମ ଅଷ୍ଟ୍ରେଲିଆ(୪ ମ୍ୟାଚ୍ର) ଟେଷ୍ଟ ସିରିଜ୍ରୁ ଜଣା ପଡିବ ଯେ, କେଉଁ ଦଳ ଫାଇନାଲ୍ରେ ପ୍ରବେଶ କରିବ। ଯଦି ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୩-୦ କିମ୍ବା ୨-୦ କିମ୍ବା ୨-୧ରେ ହରାଏ ତେବେ ଦଳ ଫାଇନାଲ୍ରେ ପ୍ରବେଶ କରିବ।
ଏମିତି ହେଲେ ଭାରତୀୟ ଦଳକୁ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ପୁଣି ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ର ଟେଷ୍ଟ ସିରିଜ୍ ମୂଳପୋଛ କରିବାକୁ ପଡିବ। ଏହା ପରେ ବି ଭାରତୀୟ ଦଳର ବିଜୟ ପ୍ରତିଶତ ୭୦ ତଳେ ରହିବ। ଏମିତି ସ୍ଥିତିରେ ଦକ୍ଷିଣ ଆଫ୍ରିକା ଦଳକୁ ଭାରତ ବିଜୟ ପ୍ରତିଶତ ମାମଲାରେ ପଛରେ ପକାଇ ଦେଇପାରେ। ତେବେ ଏବେଠୁ କିଛି କହିହେବ ନାହିଁ।