ଦିଲ୍ଲୀ ବିମାନ ବନ୍ଦରରେ ଅଳଙ୍କାର ଏବଂ ଟଙ୍କା ଚୋରି, ସିଆଇଏସଫ ଅଧିକାରୀଙ୍କ ବିରୋଧରେ ଏତଲା ଦେଲେ ଅଷ୍ଟ୍ରେଲିଆ ମହିଳା

Published By : Prameya-News7 Bureau | January 11, 2023 IST

ନୂଆଦିଲ୍ଲୀ: ସିଆଇଏସଫ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଦିଲ୍ଲୀ ବିମାନ ବନ୍ଦରରେ ସିଆଇଏସଏଫ ଅଧିକାରୀ ଜଣଙ୍କ ତାଙ୍କର ଅଳଙ୍କାର ଏବଂ ବୈଦେଶିକ ମୁଦ୍ରା ଚୋରି କରିଥିବା  ଅଷ୍ଟ୍ରେଲୀୟ ମହିଳା ଅଭିଯୋଗ କରିଛନ୍ତି। ମହିଳାଙ୍କ ଅନୁଯାୟୀ, ତାଙ୍କ ବ୍ୟାଗରେ ଅଳଙ୍କାର ସହ ଭାରତୀୟ ମୁଦ୍ରା ହିସାବରେ ୫୦ ହଜାର ଟଙ୍କା ଥିଲା। ଅନ୍ତରାଷ୍ଟ୍ରୀୟରୁ ଘରୋଇ ଟର୍ମିନାଲକୁ ସ୍ଥାନାନ୍ତର ବେଳେ ଏକ୍ସରେ ପରୀକ୍ଷଣ ସମୟରେ ତାଙ୍କ ସହ ଏହି ଘଟଣା ଘଟିଛି।

୪୦ ବର୍ଷୀୟ ଅକେଶନି ସିଂ ଗୌର ଦିଲ୍ଲୀ ବିମାନ ବନ୍ଦରରେ ଅଗଷ୍ଟ ୧୧ ତାରିଖରେ ଘଟିଥିବା ଏହି ତିକ୍ତ ଅନୁଭୂତି ବଖାଣିଛନ୍ତି। ସେହି ଦିନ ଏୟାର ଇଣ୍ଡିଆ ବିମାନରେ ସିଡନୀରୁ ଦିଲ୍ଲୀ ଯାତ୍ରା କରୁଥିଲେ ଏବଂ ଦିଲ୍ଲୀରୁ ହାଇଦ୍ରାବାଦ ଯିବା ପାଇଁ ଆଉ ଏକ ବିମାନ ଧରିଥିଲେ। ଶ୍ଵଶୁରଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହେବା ପାଇଁ ସେ ଗାଁକୁ ଯାଉଥିଲେ।

ସେ ଦାବି କରିଛନ୍ତି ଯେ, ମୋ ସହ ଘଟିଥିବା ଚୋରି ଘଟଣାରେ ଅନେକ ଅଧିକାରୀ ସାମିଲ୍ ଅଛନ୍ତି। ମୁଁ ନିଜ ଦୁଇ ପିଲା(୩ ବର୍ଷ ଏବଂ ୭ ବର୍ଷ)ଙ୍କ ଦୀର୍ଘ ୧୫ ଘଣ୍ଟା ଯାତ୍ରା କରୁଥିବା ବେଳେ ଥକି ପଡିଥିଲି ଏବଂ ଏହାର ଫାଇଦା ଉଠାଇ ସିଆଇଏସଏଫ ଅଧିକାରୀ ମୋର ଅଳଙ୍କାର ଏବଂ ଟଙ୍କା ଚୋରି କରିଛନ୍ତି।

ମହିଳାଙ୍କ ଅଭିଯୋଗ ଭିତ୍ତିରେ ଚଳିତ ମାସ ୪ ତାରିଖରେ ପୋଲିସ୍ ମାମଲା ରୁଜୁ କରିଛି। ଗୌର ଦାବି କରିଛନ୍ତି, ହାଇଦ୍ରାବାଦ ପହଞ୍ଚିବା ପରେ ଚୋରି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଆଉ ଏଥିରେ ସିଆଇଏସଏଫ ଅଧିକାରୀଙ୍କ ସଂପୃକ୍ତି ଥିବା ଦାବି କରିଛନ୍ତି। ପୂରା ଯାତ୍ରା ସମୟରେ କେବଳ ସ୍କ୍ରିନିଂ ସମୟରେ ହିଁ ତାଙ୍କ ନିକଟରେ ବ୍ୟାଗ୍ ନଥିଲା। ଆଉ ସେହି ସମୟରେ ହିଁ ଚୋରି ହୋଇଥିବା ସେ ଦାବି କରିଛନ୍ତି।

ଏହା ପରେ ସେ ବେସାମରିକ ବିମାନ ଚଳାଚଳ  କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଡିସେମ୍ବର ୩୦ରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଆସି ଘଟଣାର ତଦନ୍ତରେ ସହଯୋଗ କରିବା ପାଇଁ ତାଙ୍କ ନିକଟକୁ ମେଲ୍  ଆସିଥିଲା।

ଅକେଶନି କହିଛନ୍ତି, ଦିଲ୍ଲୀ ବିମାନରେ ତନଖି ସମୟରେ ସେ ନିଜ ଜିନିଷ ପାଇଁ ୫ଟି ଟ୍ରେ ବ୍ୟବହାର କରିଥିଲେ। ସେ ସ୍କ୍ରିନିଂ ପ୍ରକ୍ରିୟା ଦେଇ ନିଜ ପିଲାଙ୍କ ସହ ବାହାରିବା ପରେ ନିଜର ସାମଗ୍ରୀ ଉଠାଇଥିଲେ। ତେବେ ତାଙ୍କର ଗୋଟିଏ ସାମଗ୍ରୀ ଅନ୍ୟ ପାର୍ଶ୍ଵକୁ ଯାଉଥିବା ଦେଖିବାକୁ ପାଇଥିଲେ।

ମୁଁ ଅନ୍ୟ ପାର୍ଶ୍ଵକୁ ଯାଇଥିଲି ଏବଂ ଅଧିକାରୀ ମୋତେ ବୋର୍ଡିଂ ପାସ୍ ମାଗିଥିଲେ। ମୋର ପାସ୍ ଉକ୍ତ ବ୍ୟାଗ୍‌ରେ ଥିବା କହିଥିଲି। ଏହାପରେ ଅଧିକାରୀ ଯିବାକୁ କହିଥିଲେ। ଏକ୍ସରେ ସ୍କ୍ରିନର ନୀରିକ୍ଷଣ ପରେ ତାଙ୍କୁ ଯିବାକୁ କହିବାରୁ ସେ ଏ ବିଷୟରେ ଚିନ୍ତା କରିନଥିଲେ। କିନ୍ତୁ ତାଙ୍କୁ ଅଜବ ଲାଗିଥିଲା ଯେ, ଅଧିକାରୀ ତାଙ୍କ ବ୍ୟାଗ୍‌ର କୌଣସି ଯାଞ୍ଚ କରିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.