ଭାରତକୁ ବିଶ୍ଵ କପ୍ ଜିତିବାର ଅଛି ତ, ଦଳରେ ବୁମରା ରହିବା ଜରୁରୀ: ବ୍ରେଟଲି

Published By : Prameya-News7 Bureau | October 02, 2022 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ପିଠିରେ ଆହତଜନିତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ  ଟି-୨୦ ସିରିଜ୍‌ରୁ ବାଦ୍ ପଡିଛନ୍ତି। ତାଙ୍କର ଟି-୨୦ ବିଶ୍ଵ କପ୍ ୨୦୨୨ ଖେଳିବା ନେଇ ମଧ୍ୟ ସଂଶୟ ରହିଛି। ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ବୁମରାଙ୍କୁ ନେଇ ବିସିସିଆଇର ଆନୁଷ୍ଠାନିକ ବୟାନର ଅପେକ୍ଷାରେ ରହିଛି। ବୁମରା ବର୍ତ୍ତମାନ ଏନସିଏରେ ବିସିସିଆଇ ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ଅଛନ୍ତି। ଗାଙ୍ଗୁଲି ଶୁକ୍ରବାର ଜଣାଇଥିଲେ ଯେ, ବୁମରାଙ୍କୁ ନେଇ ଆଗାମୀ କିଛି ଦିନରେ ନିଷ୍ପତ୍ତି ଆସିପାରେ।

ଅଷ୍ଟ୍ରେଲିଆରେ ଆସନ୍ତାମାସରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍‌ ପୂର୍ବରୁ ଅନେକ ଦଳର କିଛି ଖେଳାଳି ଆଘାତ ସମସ୍ୟା ଦେଇ ଗତି କରୁଛନ୍ତି ଏବଂ ସମୟ ପୂର୍ବରୁ ଫିଟ୍ ହେବା ପାଇଁ ସଂଘର୍ଷ କରୁଛନ୍ତି। ଟି-୨୦ ବିଶ୍ଵ କପ୍ ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଯାଉଛି। ଅଷ୍ଟ୍ରେଲିଆର ଖ୍ୟାତାନାମା ଦ୍ରୁତ ବୋଲର ବ୍ରେଟ୍ ଲି ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ କହିଛନ୍ତି, ଯଶପ୍ରୀତ ବୁମରାଙ୍କ ଉପଲବ୍ଧତା ଟି-୨୦ ବିଶ୍ଵ କପ୍‌ରେ ଭାରତର ବିଜୟ ସମ୍ଭାବନାକୁ ବଢାଇ ପାରିବ। ଡେଥ ଓଭରରେ ବୁମରାଙ୍କ ୟର୍କର ଫିଙ୍ଗିବାର କ୍ଷମତା ଏହା ନିର୍ଦ୍ଧାରିତ କରିପାରେ ଯେ, ଭାରତ ବିଶ୍ଵ କପ୍ ଜିତିବ ନା ଟପ୍ ୪ରେ ସ୍ଥାନ ପାଇବ।

ବ୍ରେଟ୍ ଲି କହିଛନ୍ତି, ବୁମରା ଦଳରେ ରହିବା ଅତି ଜରୁରୀ। ତାଙ୍କ ବିନା ଭାରତ ବିଶ୍ଵ କପ୍ ଜିତିବା ମୁସ୍କିଲ ହୋଇପାରେ। ମୋ ହିସାବରେ ବୁମରା ଜରୁରୀ ସଦସ୍ୟ। ଆଶା କରୁଛି ସେ ଶୀଘ୍ର ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ସେ ଆହତ ସମସ୍ୟାରୁ ଶୀଘ୍ର ମୁକୁଳିବେ। ତାଙ୍କୁ ସବୁଠୁ ଉନ୍ନତ ଚିକିତ୍ସା ଏବଂ ସର୍ବଶ୍ରେଷ୍ଠ ମ୍ୟାନେଜମେଣ୍ଟ ମିଳିବ ବୋଲି ବ୍ରେଟଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.