ଅଷ୍ଟ୍ରେଲିଆର ଏହି କ୍ରିକେଟରଙ୍କୁ କରୋନା ହୋଇଥିବା ସନ୍ଦେହ, ଦିନିକିଆ ଶୃଙ୍ଖଳାରୁ ହେଲେ ବାହାର

Published By : Prameya-News7 Bureau | March 13, 2020 IST

ସିଡନୀ ୧୩।୦୩: ଅଷ୍ଟ୍ରେଲିଆର ଦ୍ରୁତ ବୋଲର କେନ୍ ରିଚାର୍ଡସନ ଅସୁସ୍ଥତା କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରୁ ଓହରି ଯାଇଛନ୍ତି। ରିଚାର୍ଡସନଙ୍କ ଗଳାଜନିତ କିଛି ସମସ୍ୟା ହେଉଥିଲା, ତେଣୁ ତାଙ୍କୁ ଦିନିକିଆ ଶୃଙ୍ଖଳାରୁ ବାହାରି ଯିବାକୁ ପଡିଛି। ରିଚାର୍ଡସନ ପ୍ରଥମ ମ୍ୟାଚ୍‌ର ଗୋଟିଏ ଦିନ ପୂର୍ବରୁ ନିଜର ଅସୁସ୍ଥତା ବିଷୟରେ ସୂଚନା ଦେଇଥିଲେ। ଅଷ୍ଟ୍ରେଲିଆ ଦଳର ଡାକ୍ତରୀ ଦଳ ରିଚାର୍ଡସନଙ୍କ କରୋନା ଭୂତାଣୁର ଯାଞ୍ଚ କରିଛନ୍ତି, ଯାହାର ପରିଣାମ ଆସିବା ବାକି ରହିଛି।

ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ମୁଖପାତ୍ର କହିଛନ୍ତି ଯେ, ଆମେ ଡାକ୍ତରୀ ଦଳଙ୍କ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରିଛୁ। ଆାଗାମୀ କିଛି ଦିନରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ଏବଂ ଦଳକୁ ଫେରିବେ। ସେ ଯାଏ ଆମେ କୌଣସି  ପ୍ରତିକ୍ରିୟା ଦେଇ ପାରିବୁ ନାହିଁ। କ୍ରିକେଟ୍ ଅଷ୍ଟ୍ରେଲିଆ ପୂର୍ବରୁ ଘୋଷଣା କରି ଦେଇଥିଲା ଯେ, ଚାପେଲ୍-ହେଡଲୀ ଶୃଙ୍ଖଳା ଖାଲି ଷ୍ଟାଡିୟମରେ ହିଁ ଖେଳାଯିବ। ଏଠାକୁ ଦର୍ଶକଙ୍କୁ ଆସିବାକୁ ମନା କରାଯାଇଛି। ଏହା ସହିତ ଅଷ୍ଟ୍ରେଲିଆର ମହିଳା କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଗସ୍ତକୁ ମଧ୍ୟ ରଦ୍ଦ କରାଯାଇଛି।

କରୋନା ଭୂତାଣୁର ପ୍ରକୋପକୁ ଦୃଷ୍ଟିରେ ରଖି ସମଗ୍ର ଦୁନିଆରେ ଅନେକ କ୍ରୀଡା ଆୟୋଜନକୁ ରଦ୍ଦ କରାଯାଇଛି କିମ୍ବା ଖାଲି ଷ୍ଟାଡିୟମରେ ଏହାର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନେକ କ୍ରୀଡା ଆୟୋଜନକୁ ଘୁଞ୍ଚାଇ ଦିଆଯାଇଛି। ଟୋକିଓ ଅଲିମ୍ପିରକ ଆୟୋଜନ ଉପରେ ମଧ୍ୟ କରୋନା ସଙ୍କଟର  ବାଦଲ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.