ଷ୍ଟୋଇନିସଙ୍କ ଝଡରେ ଉଡିଲା ଶ୍ରୀଲଙ୍କା, ବିଜୟ ଖାତା ଖୋଲିଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | October 25, 2022 IST

ପର୍ଥ: ଷ୍ଟୋଇନିସଙ୍କ ଝଡରେ ଉଡିଲା ଶ୍ରୀଲଙ୍କା। ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ଵ କପ୍‌ର ସୁପର-୧୨ ମୁକାବିଲାରେ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ହାତରୁ ହାରିବା ପରେ ଏହି ମ୍ୟାଚ୍ ଜିତିବା ଘରୋଇ ଦଳ ପାଇଁ ଜରୁରୀ ଥିଲା। ଅଷ୍ଟ୍ରେଲିଆ ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ହରାଇ ସହଜ ବିଜୟ ହାସଲ କରିଛି। ଶ୍ରୀଲଙ୍କା ଦ୍ଵାରା ଧାର୍ଯ୍ୟ ୧୫୮ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୩ ଓ୍ଵିକେଟ୍ ହରାଇ ୧୬.୩ ଓଭରରେ ହାସଲ କରି ନେଇଛି। ଷ୍ଟୋଇନିସ୍ ମାତ୍ର ୧୮ ବଲ୍‌ରୁ ୫୯ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ଶ୍ରୀଲଙ୍କା ଦ୍ଵିତୀୟ ମ୍ୟାଚ୍‌ରୁ ପ୍ରଥମ ପରାଜୟ ଭୋଗିଥିବା ବେଳେ ସମାନ ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ପ୍ରଥମ ବିଜୟ ହାସଲ କରିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୭ ରନ କରିଥିଲା। ପଥୁନ ନିଶଙ୍କା ଦଳ ପକ୍ଷରୁ ସର୍ବାଧିକ ୪୦ ରନ କରିଥିଲେ ହେଁ ୪୫ ବଲ୍ ଖେଳିଥିଲେ। ଅଶଲଙ୍କା ୨୫ ବଲ୍‌ରୁ ୩ ଚୌକା ଏବଂ ୨ ଛକା ଜରିଆରେ ୩୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଚମିକା କରୁଣାରତ୍ନେ ୭ ବଲ୍‌ରୁ ୧୪ ରନ କରିବାରୁ ଶ୍ରୀଲଙ୍କା ୧୫୭ ରନରେ ପହଞ୍ଚି ପାରିଥିଲା। ଧନଞ୍ଜୟ ଡି ସିଲଭା ୨୬ ରନ କରିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ରହିଥିଲେ।

ଜବାବରେ ଅଷ୍ଟ୍ରେଲିଆର ଆରମ୍ଭ ଧିମା ରହିଥିଲା। ଶ୍ରୀଲଙ୍କା ବୋଲର ଘରୋଇ ଦଳର ବ୍ୟାଟସମ୍ୟାନଙ୍କୁ ହାତଖୋଲା ସଟ୍ ଖେଳିବାକୁ ଦେଇନଥିଲେ। ଡେଭିଡ୍ ଓ୍ଵାର୍ଣ୍ଣର ୧୧ ରନ କରି ଆଉଟ୍ ହୋଇଥିଲେ। ମିଚେଲ୍ ମାର୍ଶ(୧୭ ରନ) ବିଦାୟ ନେଇଥିଲେ। ଗୋଟିଏ ପଟେ ଆରୋନ ଫିଞ୍ଚ ଦ୍ରୁତ ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲେ ହେଁ କ୍ରିଜରେ ଜମି ରହିଥିଲେ। ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଥିଲା। ତେବେ  ମାର୍କସ ଷ୍ଟୋଇନିସ୍ କ୍ରିଜକୁ ଆସିବା ମାତ୍ରେ ମ୍ୟାଚ୍‌ର ଗତିପଥ ସଂପୂର୍ଣ୍ଣ ବଦଳି ଯାଇଥିଲା। ଷ୍ଟୋଇନିସ୍‌ଙ୍କ ନିର୍ଧୁମ ପ୍ରହାରରେ ଅଷ୍ଟ୍ରେଲିଆ ସହଜ ବିଜୟ ହାସଲ କରି ନେଇଛି। ଷ୍ଟୋଇନିସ୍ ମାତ୍ର ୧୭ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ସେ ମାତ୍ର ୧୮ ବଲ୍‌ରୁ ୪ ଚୌକା ଏବଂ ୬ ଛକା ବଳରେ ୫୯ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି।ଶ୍ରୀଲଙ୍କା ପକ୍ଷରୁ ଓ୍ଵାନିନ୍ଦୁ ହସରଙ୍ଗା   ୩ ଓଭରରେ ୫୩ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.