ରୋହିତ-କୋହଲିଙ୍କ ଅର୍ଦ୍ଧଶତକ ବୃଥା, ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ସିରିଜ୍ ଜିତିଲା ଭାରତ
27/09/2023 at 10:17 PM

ରାଜକୋଟ୍: ବିଶ୍ଵକପ୍ ପୂର୍ବରୁ ଭାରତର ବଡ଼ ପରାଜୟ। ବୃଥା ହେଲା ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ। ରାଜକୋଟ୍ରେ ଖେଳା ଯାଇଥିବା ଶେଷ ଦିନିକିଆରେ ବ୍ୟାଟିଂ ଉପଯୋଗୀ ପିଚ୍ରେ ବ୍ୟାଟରଙ୍କ ବିଫଳତା ଯୋଗୁଁ ଭ୍ରମଣକାରୀ ଅଷ୍ଟ୍ରେଲିଆ ନିକଟରୁ ଭାରତ ୬୬ ରନରେ ପରାସ୍ତ ହୋଇଛି। ପରାଜୟ ସତ୍ତ୍ଵେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଭାରତ ୨-୧ରେ ଜିତି ନେଇଛି। ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ବିଶ୍ଵକପ୍ ପୂର୍ବରୁ ମନସ୍ତାତ୍ଵିକ ବିଜୟ ହାସଲ କରିଛି।
ଅଧିକ ପଢନ୍ତୁ- ଦିନିକିଆ ବିଶ୍ୱକପ୍ ୨୦୨୩: ହାଇଦ୍ରାବାଦ୍ରେ ପହଞ୍ଚିଲା ପାକିସ୍ତାନ ଟିମ୍, ସ୍ୱାଗତ କରିବାକୁ ବିମାନ ବନ୍ଦରରେ ଫ୍ୟାନ୍ଙ୍କ ଭିଡ଼
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ମିଚେଲ୍ ମାର୍ଶଙ୍କ ୯୬ ରନ, ଷ୍ଟିଭ୍ ସ୍ମିଥଙ୍କ ୭୪ ରନ, ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୫୬ ରନ ଓ ମାର୍ନସ ଲାବୁସେନଙ୍କ ୭୨ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୩୫୨ ରନ ସ୍କୋର କରିଥିଲା। ଜବାବରେ ଭାରତ ରୋହିତ ଶର୍ମାଙ୍କ ୮୧ ରନ, ବିରାଟ କୋହଲିଙ୍କ ୬୫ ରନ ଓ ଶ୍ରେୟସ ଆୟରଙ୍କ ୪୮ ରନ ସତ୍ତ୍ଵେ ୪୯.୪ ଓଭରରେ ୨୮୬ ରନରେ ସୀମିତ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ମ୍ୟାକ୍ସଓ୍ଵେଲ୍ ୪ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
୩୫୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଆରମ୍ଭ ଦମଦାର ଥିଲା। ଆଜି ରୋହିତ ଶର୍ମାଙ୍କ ସହ ଓପନ କରିଥିଲେ ଓ୍ଵାଶିଂଟନ ସୁନ୍ଦର। ଦୁଇ ବ୍ୟାଟର ପ୍ରଥମ ଓ୍ଵିକେଟ୍ ପାଇଁ ୭୪ ରନ ଯୋଡ଼ିଥିଲେ। ସୁନ୍ଦର ୧୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଓ ବିରାଟ କୋହଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୦ ରନ ଯୋଡ଼ି ଦଳ ବିଜୟ ପାଇଁ ମାର୍ଗ ପ୍ରଶସ୍ତ କରିଥିଲେ। ତେବେ ୧୪୪ ରନ ସ୍କୋରର ରୋହିତ ଶର୍ମା ଆଉଟ୍ ହେବା ଭାରତକୁ ବହୁତ ବଡ଼ ଝଟକା ଲାଗିଥିଲା। ରୋହିତ ୫୭ ବଲ୍ରୁ ୫ ଚୌକା ଓ ୬ ଛକା ସହ ୮୧ ରନ କରିଥିଲେ। ବିରାଟ କୋହଲି ୫୬ ରନର ଇନିଂସ ଖେଳି ପାଭିଲିୟନ ଫେରିଥିଲେ।
ଏହା ପରେ ଶ୍ରେୟସ ଆୟର ଓ କେଏଲ ରାହୁଲ ଚତୁର୍ଥ ଓ୍ଵିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗିଦାରୀ ଯୋଡ଼ିଥିଲେ। ଦଳୀୟ ସ୍କୋର ୨୨୩ ରନରେ କେଏଲ ରାହୁଲ(୨୬) ରନରେ ଆଉଟ୍ ହୋଇଥିଲେ। ଏହାପରେ ଭାରତୀୟ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଲା। ଶ୍ରେୟସ ଆୟର ୪୮ ରନ ଓ ସୂର୍ଯ୍ୟକୁମାର ଯାଦବ(୮) ଆଉଟ୍ ହେବା ପରେ ଭାରତର ବିଜୟ ଅଶା ମଉଳି ଯାଇଥିଲା।ମ୍ୟାକ୍ସଓ୍ଵେଲ ଭାରତର ଟପ୍ ୪ ବ୍ୟାଟରଙ୍କୁ ଆଉଟ୍ କରି ଭାରତୀୟ ଦଳକୁ ପରାଜୟ ମୁହଁକୁ ଠେଲିଥିଲେ। ଶେଷ ଆଡ଼କୁ ରବୀନ୍ଦ୍ର ଜାଡ଼େଜା ୩୫ ରନ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ଶେଷରେ ଭାରତ ୪୯.୪ ୨୮୬ ରନରେ ଅଲଆଉଟ୍ ହୋଇଥିଲା।
ଭାରତ ଇନିଂସ
ବ୍ୟାଟରଙ୍କୁ ବେଶ ସୁହାଉଥିବା ଏହି ପିଚ୍ର ବେଶ ଫାଇଦା ଉଠାଇଛନ୍ତି ଅଷ୍ଟ୍ରେଲିଆ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ମିଚେଲ୍ ମାର୍ଶ। ଉଭୟ ଆରମ୍ଭରୁ ଟି-୨୦ ଶୈଳୀରେ ବ୍ୟାଟିଂ କରି ଭାରତ ବୋଲରଙ୍କୁ ଚାପରେ ରଖିଥିଲେ। ଓ୍ଵାର୍ଣ୍ଣର ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ୮ ଓଭରରେ ଦୁଇ ବ୍ୟାଟର ୭୮ ରନ ଯୋଡ଼ି ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ଓ୍ଵାର୍ଣ୍ଣରଙ୍କୁ ଆଉଟ୍ କରି ପ୍ରସିଦ୍ଧ କୃଷ୍ଣ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଓ୍ଵାର୍ଣ୍ଣର ୩୪ ବଲ୍ରୁ ୬ ଚୌକା ଓ ୪ ଛକା ସହ ୫୬ ରନ କରି ଆଉଟ୍ ହୋଇଥିଲେ।
ଏହା ପରେ ମିଚେଲ୍ ମାର୍ଶ ଓ ଷ୍ଟିଭେନ ସ୍ମିଥ ଦମଦାର ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ନିଜର ନିଜର ଅର୍ଦ୍ଧଶତକ ପୂରା କରିଥିଲେ ମାର୍ଶ ଓ ସ୍ମିଥ। ତେବେ ଶତକ ଆଡ଼କୁ ଅଗ୍ରସର ହେଉଥିବା ମାର୍ଶଙ୍କୁ ଦଳୀୟ ସ୍କୋର ୨୧୫ ରନରେ ଆଉଟ୍ କରିଥିଲେ କୁଲଦୀପ ଯାଦବ। ଏହି ଅଷ୍ଟ୍ରେଲିଆ ବ୍ୟାଟର ୮୪ ବଲ୍ରୁ ୧୩ ଚୌକା ଓ ୩ ଛକା ଜରିଆରେ ୯୬ ରନର ଆକର୍ଷଣୀୟ ଇନିଂସ ଖେଳିଛନ୍ତି। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୩୭ ରନ ଯୋଡ଼ିଥିଲେ।
କ୍ରିଜରେ ଜମି ରହିଥିବା ଷ୍ଟିଭ୍ ସ୍ମିଥ୍ ୭୪ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ। ଶେଷ ଆଡ଼କୁ ଭାରତୀୟ ବୋଲର ମାପଚୁପ ବୋଲିଂ କରିବାରୁ ଅଷ୍ଟ୍ରେଲିଆ ନିୟମିତ ଓ୍ଵିକେଟ୍ ହରାଇବା ସହ ରନ ଗତି ଧିମା ପଡ଼ିଥିଲା। ଆଲେକ୍ସ କେରୀ(୧୧) ଓ ଗ୍ଲେନ ମ୍ୟାକ୍ସଓ୍ଵେଲ୍(୫)ଙ୍କୁ ବୁମରା ଆଉଟ୍ କରିଥିଲେ। କ୍ୟାମେରୁନ ଗ୍ରୀନ(୧୧) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ତେବେ ମାର୍ନସ ଲାବୁସେନ ଦମଦାର ବ୍ୟାଟିଂ କରି ଶେଷ ଯାଏ ଦଳର ବ୍ୟାଟିଂ ସମ୍ଭାଳିଥିଲେ। ସେ ୫୮ ବଲରୁ ୯ ଚୌକା ସହ ୭୨ ରନର ଇନିଂସ ଖେଳି ୪୯ତମ ଓଭରରେ ଆଉଟ୍ ହୋଇଥିଲେ। ଶେଷରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୩୫୨ ରନ କରିଥିଲା। ଅଧିନାୟକ ପାଟ୍ କମିନସ ୧୯ ରନ କରି ଅପରାଜିତ ଥିଲେ।
ଭାରତ ପକ୍ଷରୁ ସଫଳ ବୋଲର ଭାବେ ଯଶପ୍ରୀତ ବୁମରା ୮୧ ରନ ବ୍ୟୟ କରିଥିଲେ ହେଁ ୩ଟି ଓ୍ଵିକେଟ୍ ନେଇଛନ୍ତି। କୁଲଦୀପ ଯାଦବ ୬ ଓଭରରେ ୪୮ ରନ ଦେଇ ୨ଟି ସଫଳତା ପାଇଥିବା ବେଳେ ମହମ୍ମଦ ସିରାଜ୍ ଓ ପ୍ରସିଦ୍ଧ କୃଷ୍ଣ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।