ଫେଲ୍ ମାରିଲା ବିରାଟ ବାହିନୀ, ପରାଜୟରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ, ୬୬ ରନରେ ପ୍ରଥମ ଦିନିକିଆ ଜିତିଲା କଙ୍ଗାରୁ

Published By : Prameya-News7 Bureau | November 27, 2020 IST

ସିଡନୀ ୨୭।୧୧: ପରାଜୟରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କଲା ଭାରତ। ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଘରୋଇ ଅଷ୍ଟ୍ରେଲିଆ ପ୍ରତ୍ୟେକ ବିଭାଗରେ ଦମଦାର ପ୍ରଦର୍ଶନ କରି ଭ୍ରମଣକାରୀ ଭାରତକୁ ୬୬ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ କଙ୍ଗାରୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚଙ୍କ ୧୧୪ ରନ ଓ ଷ୍ଟିଭ୍ ସ୍ମିଥ୍‌ଙ୍କ ୧୦୫ ରନ ଚମତ୍କାର ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍ ହରାଇ ବିଶାଳ ୩୭୪ ରନ କରିଥିଲା। ଜବାବରେ ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୯୦ ରନ ଓ ଶିଖର ଧାଓ୍ଵନଙ୍କ ୭୪ ରନର ଅର୍ଦ୍ଧଶତକୀୟ ଇନିଂସ ସତ୍ଵେ ୫୦ ଓଭରରେ ୮ ଓ୍ଵିକେଟ୍ ହରାଇ ୩୦୮ ରନ କରିବାକୁ ସକ୍ଷମ  ହୋଇଛି। ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିବା ଷ୍ଟିଭ୍ ସ୍ମିଥ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍‌ ବିବେଚିତ ହୋେଇଛନ୍ତି। ସିରିଜ୍‌ର ଦ୍ଵିତୀୟ ଦିନିକିଆ ନଭେମ୍ବର ୨୯ରେ ସିଡନୀରେ ଖେଳାଯିବ।

୩୭୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତର ଦୁଇ ଓପନର ଶିଖର ଧାଓ୍ଵନ ଓ ମୟଙ୍କ ଅଗ୍ରଓ୍ଵାଲ ଭଲ ଆରମ୍ଭ କରିଥିଲେ। ପ୍ରଥମ ଓଭରରୁ ୨୦ ରନ ସଂଗ୍ରହ କରିଥିଲେ ଦୁଇ ବ୍ୟାଟସମ୍ୟାନ। ଦୁଇ ଓପନର ବିସ୍ପୋରକ ବ୍ୟାଟିଂ କରି ୫.୩ ଓଭରରେ ୫୩ ରନ ଯୋଡି ମୂଳଦୁଆ ପକାଇଥିଲେ। ହେଲେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ଆଉଟ୍ କରି ଜୋସ୍ ହେଜେଲଉଡ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ମୟଙ୍କ ୧୮ ବଲରୁ ୨୨ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ନିୟମିତ ଓ୍ଵିକେଟ୍ ହରାଇଥିଲା।  ଅଧିନାୟକ ବିରାଟ କୋହଲିଙ୍କ ଅଧିକ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। କୋହଲି(୨୧ ରନ) ହେଜେଲଉଡଙ୍କ ଦ୍ଵିତୀୟ ଶିକାର  ହୋଇଥିଲେ। ୭୮ ରନରେ କୋହଲିଙ୍କୁ ଦଳ ହରାଇବା ପରେ ୮୦ ରନ ସ୍କୋରରେ ଶ୍ରେୟସ ଆୟର(୨ ରନ) ହେଜେଲଉଡଙ୍କ ତୃତୀୟ ଶିକାର ହୋଇଥିଲେ। ଲୋକେଶ ରାହୁଲ(୧୨ ରନ) କରି ପାଭିଲିୟନ ଫେରିଥିଲେ।

{"id":368589,"sizeSlug":"large"}

୧୦୧ ରନରେ ୪ ଓ୍ଵିକେଟ୍ ହରାଇ ସଙ୍କଟରେ ପଡିଥିବା ଭାରତୀୟ ଇନିଂସକୁ ଓପନର ଶିଖର ଧାଓ୍ଵନ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ଭାଳିଥିଲେ। ଉଭୟ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିବା ପରେ ଦ୍ରୁତ ବ୍ୟାଟିଂ କରି ଇନିଂସକୁ ଆଗକୁ ବଢାଇଥିଲେ। ଏହି କ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବ୍ୟାଟିଂ କରି ଦିନିକିଆରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ଶିଖର ଧାଓ୍ଵନ ମଧ୍ୟ ଦିନିକିଆରେ ୨୯ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ କ୍ରିଜରେ ଥିବା ପର୍ଯ୍ୟନ୍ତ ଭାରତର ବିଜୟ ଆଶା ରହିଥିଲା। ପଞ୍ଚମ ଓ୍ଵିକେଟ୍‌ରେ ଶିଖର ଓ ପାଣ୍ଡ୍ୟା ୧୨୮ ରନ ଯୋଡିଥିଲେ। ୨୨୯ ରନ ସ୍କୋରର ଶିଖରଙ୍କୁ ଆଉଟ୍ କରି ଆଡମ ଜାମ୍ପା ଅଷ୍ଟ୍ରେଲିଆକୁ ବଡ ସଫଳତା ଦେଇଥିଲେ। ଧାଓ୍ଵନ ୮୬ ବଲରୁ ୧୦ ଚୌକା ସହ ୭୪ ରନ କରିଥିଲେ। ଅନ୍ୟପଟେ ଶତକ ଆଡକୁ ଅଗ୍ରସର ହେଉଥିବା ହାର୍ଦ୍ଦିକ ପାଣ୍ଡ୍ୟା ବଡ ସଟ୍ ଖେଳିବାକୁ ଯାଇ ଆଡମ ଜାମ୍ପାଙ୍କ ବଲରେ ଆଉଟ୍ ହୋଇଥିଲେ। ସେ ୭୬ ବଲରୁ ୭ ଚୌକା ଓ ୪ ଛକା ସହ ୯୦ ରନର ଚମତ୍କାର ଇନିଂସ ଖେଳିଥିଲେ।

ଦୁଇ ସେଟ୍ ବ୍ୟାଟସମ୍ୟାନଙ୍କ ଆଉଟ୍ ପରେ ଭାରତ ବିଜୟଠୁ ଦୂରେଇ ଯାଇଥିଲା। ଶେଷ ଆଡକୁ ରବିନ୍ଦ୍ର ଜାଡେଜା ୨୫ ରନ କରି ପାଭିଲିୟନ ଫେରିଥିଲେ। ନବଦୀପ ସାଇନି ୨୯ ରନ କରି ଅପରାଜିତ ଥିଲେ। ନିର୍ଦ୍ଧାରିତ ଓଭରରେ ଭାରତ ୮ ଓ୍ଵିକେଟ୍ ହରାଇ ୩୦୮ ରନରେ ସୀମିତ ରହିଥିଲା। ଅଷ୍ଟ୍ରେଲିଆ ତରଫରୁ ସଫଳ ବୋରଲ ଭାବେ ଆଡମ ଜାମ୍ପା ସର୍ବାଧିକ ୪ ଓ୍ଵିକେଟ୍ ନେଇଥିଲେ। ଜୋସ୍ ହେଜେଲଉଡ ୩ ଓ ମିଚେଲ ଷ୍ଟାର୍କ ୧ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.