ସ୍ତବ୍ଧ...ନିରାଶ... ଭାରତର ବିଶ୍ଵକପ୍ ଜିତିବା ସ୍ଵପ୍ନ ଧୂଳିସାତ, ଷଷ୍ଠ ଥର ବିଶ୍ଵ ଚାମ୍ପିଅନ ଅଷ୍ଟ୍ରେଲିଆ

Published By : Prameya-News7 Bureau | November 19, 2023 IST

ଅହମ୍ମଦାବାଦ: ବିଶ୍ଵକପ୍ ଜିତିବା ସ୍ଵପ୍ନ ଧୂଳିସାତ। ସ୍ତବ୍ଧ ଖେଳାଳି ସ୍ତବ୍ଧ ଭାରତୀୟ ପ୍ରଶଂସକ। ହାତଛଡ଼ା ହେଲା ଟ୍ରଫି। ଭାଙ୍ଗିଗଲା ୧୪୦ କୋଟି ଭାରତୀୟଙ୍କ ସ୍ଵପ୍ନ। ୨୦୦୩ ପରାଜୟର ପ୍ରତିଶୋଧ ନେଇ ପାରିଲାନି ରୋହିତ ବାହିନୀ। ଅପରାଜୟ ସହ ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ କଲା ନିରାଶ। ଚାଲିଲାନି ଭାରତୀୟ ଦଳର କୌଣସି ଖେଳାଳିଙ୍କ ଯାଦୁ। ଆଉ ଷଷ୍ଠ ଥର ବିଶ୍ଵ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ। କପିଲ୍ ଦେବ ଓ ମହେନ୍ଦ୍ର ସିଂ ଧୋନୀଙ୍କ ସଫଳତାକୁ ଦୋହରାଇ ପାରିଲେ ନାହିଁ ରୋହିତ ଶର୍ମା। ବିଶ୍ଵର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଟାଇଟଲ୍ ମୁକାବିଲାରେ ବାଜି ମାରିନେଲା ଅଷ୍ଟ୍ରେଲିଆ। ବୋଲରଙ୍କ ପରେ ଟ୍ରେଭିସ୍ ହେଡଙ୍କ ମ୍ୟାଚ୍ ବିଜୟୀ ୧୩୭ ରନ ଓ ଲାବୁସେନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଟ୍ରଫି ଜିତିବାର ପ୍ରବଳ ଦାବିଦାର ଭାରତକୁ ୬ ଓ୍ଵିକେଟ୍‌ରେ  ହରାଇଛି କଙ୍ଗାରୁ ଦଳ। ଭାରତର ତୃତୀୟ ବିଶ୍ଵକପ୍ ଜିତିବା ସ୍ଵପ୍ନ ପୁଣି ସ୍ଵପ୍ନରେ ରହି ଯାଇଛି। ହେଡ୍ ଓ ଲାବୁସେନ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୯୨ ରନ ଯୋଡ଼ି ଦଳ ବିଜୟରେ ବିନ୍ଧାଣି ସାଜିଛନ୍ତି। ଅଷ୍ଟ୍ରେଲିଆ ପୁଣି ଥରେ ପ୍ରମାଣିତ କରି ଦେଇଛି ଦିନିକିଆ ବିଶ୍ଵକପରେ ସେ ହିଁ ବାଦଶାହା।

wp:heading {"level":4}

ଅଧିକ ପଢନ୍ତୁ- ଟିମ୍ ଇଣ୍ଡିଆକୁ ଆଫ୍ରିଦୀଙ୍କ ସମାଲୋଚନା; ଓଭରକନଫିଡେନ୍ସ ପାଇଁ ଟିମ୍ ଇଣ୍ଡିଆକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ

/wp:heading

ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ଯାହା କହିଥିଲେ, ତାହା କରି କି ଦେଖାଇଛନ୍ତି। ସେ ଶନିବାର କହିଥିଲେ ଆମେ ଦର୍ଶକଙ୍କୁ ଚୁପ୍ କରାଇବୁ। ଆଉ ଅଷ୍ଟ୍ରେଲିଆ ଦଳ ତାହା କରି କି ଦେଖାଇଛି। ଏପରିକି ୨୦୧୧ରୁ ଆୟୋଜକ ଚାମ୍ପିଅନ ହୋଇ ଆସୁଥିବା ପରମ୍ପରାକୁ ଭାଙ୍ଗି ପାରିଛି ଅଷ୍ଟ୍ରେଲିଆ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫ ବିଶ୍ଵକପରେ ଚାମ୍ପିଅନ ହୋଇଥିଲା। ଏହା ପୂର୍ବରୁ ଚଳିତ ବର୍ଷ ଜୁନରେ ଖେଳାଯାଇଥିବା ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ଅଷ୍ଟ୍ରେଲିଆ ଭାରତକୁ ହରାଇଥିଲା।ଆଉ ଆଜି ପୁଣି ଥରେ ବିଶ୍ଵକପ୍ ଫାଇନାଲ୍‌ରେ ମାତ୍ ଦେଇଛି।

{"id":871943,"sizeSlug":"full","linkDestination":"none"}
cricinfo.com

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ବହୁ କଷ୍ଟରେ ୨୪୦ ରନ କରିଥିଲା। କେଏଲ ରାହୁଲ ୬୬ ରନ କରିଥିବା ବେଳେ ବିରାଟ କୋହଲି ୫୪ ରନ ଓ ରୋହିତ ଶର୍ମା ୪୭ ରନକରିଥିଲେ। ଜବାବରେ ଟ୍ରେଭିସ୍ ହେଡ୍‌ଙ୍କ ୧୩୭ ରନ ଓ ଲାବୁସେନଙ୍କ ଅପରାଜିତ ୫୮ ରନ ବଳରେ ୪୩ ଓଭରରେ ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଭାରତୀୟ ବୋଲର ନିରାଶ କରିଛନ୍ତି। ବୋଲିଂରେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଜୋସ୍  ହେଜେଲଉଡ  ପାଟ୍ କମିନ୍ସ ମାପଚୁପ ବୋଲିଂ ୨ଟି ଲେଖାଏ ଓ୍ଵିକେଟ୍ ନେଇଥିଲେ।

୨୪୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆକୁ ଆରମ୍ଭରୁ ଝଟକା ଲାଗିଥିଲା। ୧୬ ରନ ସ୍କୋରରେ ଡେଭିଡ୍ ଓ୍ଵାର୍ଣ୍ଣର(୭)ଙ୍କୁ ମହମ୍ମଦ ଶାମି ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ୪୧ ରନ ସ୍କୋରରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଓ୍ଵିକେଟ୍ ହରାଇଥିଲା। ମିଚେଲ୍ ମାର୍ଶ(୧୫)ଙ୍କୁ ଆଉଟ୍ କରି ଯଶପ୍ରୀତ ବୁମରା ଭାରତକୁ ଦ୍ଵିତୀୟ ସଫଳତା ଦେଇଥିଲେ। ପୁଣି ଷ୍ଟିଭେନ ସ୍ମିଥ୍‌(୪) ଆଉଟ୍ ହେବା ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଥିଲା। ଦଳ ୪୭ ରନରେ ୩ ଓ୍ଵିକେଟ୍ ହରାଇବାରୁ ଲାଗୁଥିଲା ଭାରତ ମ୍ୟାଚ୍‌ରେ ଆଧିପତ୍ୟ  ବିସ୍ତାର କରିବ।

{"id":871944,"sizeSlug":"full","linkDestination":"none"}
cricinfo.com

କିନ୍ତୁ ଟ୍ରେଭିସ୍  ହେଡ୍ ଓ ମାର୍ନସ ଲାବୁସେନ ଖେଳିଲେ ଐତିହାସିକ ଇନିଂସ। ଉଭୟ ବ୍ୟାଟର ଧୈର୍ଯ୍ୟର ସହ ବ୍ୟାଟିଂ କରି କ୍ରିଜରେ ଜମିବାକୁ ଚେଷ୍ଟା କରିଥିଲେ। ଜମିବା ପରେ ହାତ ଖୋଲା ସଟ୍ ଖେଳିବା ଆରମ୍ଭ କରିଥିଲେ। ବିଶେଷ କରି ଟ୍ରେଭିସ୍ ହେଡ୍ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ ଆଉ କୌଣସି ସୁଯୋଗ ଦେଇ ନ ଥିଲେ। ରୋହିତ ଶର୍ମାଙ୍କ ସବୁ ରଣନୀତି ଏହି ଦୁଇ ବ୍ୟାଟରଙ୍କ ଆଗରେ ଫେଲ୍ ମାରିଥିଲା। ବୁମରା ହେଉ କି ଶାମି ଅବା ଜାଡ଼େଜା-କୁଲଦୀପ ଯୋଡ଼ି କଙ୍ଗାରୁ ବ୍ୟାଟରଙ୍କ ଆଗରେ ଅସହାୟ ନଜର ଆସିଥିଲେ। ଏହି କ୍ରମରେ ହେଡ୍ ଅର୍ଦ୍ଧଶତକ ପରେ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଐତିହାସିକ ଶତକ ହାସଲ କରିଛନ୍ତି। ଏହା ପରେ ଲାବୁସେନ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷରେ ୪୩ ଓଭରରେ ୪ ଓ୍ଵିକେଟ୍ ହରାଇ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛି। ଟ୍ରେଭିସ୍ ୧୨୦ ବଲ୍‌ରୁ ୧୫ ଚୌକା ୪ ଛକା ସହ ୧୩୭ ରନ କରି ଅଷ୍ଟ୍ରେଲିଆକୁ ବିଶ୍ଵ ବିଜୟୀ କରାଇଛନ୍ତି। ତାଙ୍କୁ ଉତ୍ତମ ସହଯୋଗ ଦେଇ ମାର୍ନସ ଲାବୁସେନ ୧୧୦ ବଲରୁ ୫୮ ରନ କରି ଅପରାଜିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.