oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିର୍ଧୁମ ଛେଚା ଖାଇଲେ ବୋଲର, ୨୦୮ ରନ ବିଶାଳ ସ୍କୋର କରି ବି ହାରିଲା ଭାରତ

20/09/2022 at 10:45 PM

ମୋହାଲି: ଏସିଆ କପ୍‌ରେ ଖରାପ ବୋଲିଂର ପ୍ରଦର୍ଶନକୁ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ଜାରି ରଖିଛି। ପୁଣି ଥରେ ନିରାଶ କରିଛନ୍ତି ଭାରତୀୟ ବୋଲର। ୨୦୮ ରନର ବିଶାଳ ସ୍କୋର କରିଥିଲେ ହେଁ ମୋହାଲିର ହାଇ ସ୍କୋରିଂ ପିଚ୍‌ରେ ଏହି ସ୍କୋରକୁ ବଞ୍ଚାଇ ପାରି ନାହିଁ ଭାରତ। ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ୪ ଓ୍ଵିକେଟ୍‌ରେ ଜିତି ନେଇଛି। ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୭୧ ରନ, କେଏଲ ରାହୁଲଙ୍କ ୫୫ ରନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ୪୬ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୦୮ ରନ କରିଥିଲା। ଜବାବରେ  କ୍ୟାମେରୁନ ଗ୍ରୀନଙ୍କ ବିସ୍ଫୋରକ ୬୧ ରନ ଏବଂ ମାଥ୍ୟୁ ଓ୍ଵାଦେଙ୍କ ଅପରାଜିତ ୪୫ ରନ ବଳରେ ଅଷ୍ଟ୍ରେଲିଆ ୨୦୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ୧୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଷ୍ଟିଭ୍ ସ୍ମିଥ୍ ୩୫ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ଅକ୍ଷର ପଟେଲ୍‌(୩ ଓ୍ଵିକେଟ୍)ଙ୍କୁ ବାଦ୍ ଦେଲେ ବାକି ବୋଲର ନିରାଶ କରିଛନ୍ତି।

୨୦୯ ରନର ବିଶାଳ ବିଜୟ ଲକ୍ଷ୍ୟ କରିଥିବା ଅଷ୍ଟ୍ରେଲିଆ ଆରମ୍ଭର ବିସ୍ଫୋରକ ବ୍ୟାଟିଂ କରିଥିଲା। ୩.୩ ଓଭରରେ ଦୁଇ ଓପନର ଫିଞ୍ଚ ଏବଂ ଗ୍ରୀନ ୩୯ ରନ ଯୋଡିଥିଲେ। ଏହା ପରେ ଗ୍ରୀନ ଏବଂ ଷ୍ଟିଭ୍ ସ୍ମିଥ୍ ଦଳର ଇନିଂସକୁ ଆଗେଇ ନେଇଥିଲେ।  ବିଶେଷ କରି ଗ୍ରୀନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୭୦ ରନ ଯୋଡି ଦଳ ବିଜୟର ମୂଳଦୁଆ ପକାଇଥିଲେ। ଅକ୍ଷର ପଟେଲ୍ ଗ୍ରୀନଙ୍କୁ ଆଉଟ୍ କରି ଏହି ଯୋଡି ଭାଙ୍ଗିଥିଲେ। ଗ୍ରୀନ ମାତ୍ର ୩୦ ବଲ୍‌ରୁ ୮  ଚୌକା ଏବଂ ୪ ଛକା ସହ ୬୧ ରନ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ସଅଳ ଓ୍ଵିକେଟ୍ ହରାଇଥିଲା।

ସ୍ମିଥ୍ ୩୫ ରନ କରି ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ(୧) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଜୋସ୍ ଇଙ୍ଗ୍ଲିସ ୧୭ ରନରେ ବିଦାୟ ନେଇଥିଲେ। ୧୪୫ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡିଥିବା ଅଷ୍ଟ୍ରେଲିଆକୁ ମାଥ୍ୟୁ ଓ୍ଵାଦେ ଏବଂ ଟିମ୍ ଡେଭିଡ୍  ବିଜୟ ଆଡକୁ ନେଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଭାରତୀୟ ହାତରୁ ବିଜୟ ଛଡାଇ ଆଣିଥିଲେ। ବିଶେଷ କରି ଓ୍ଵାଦେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୧ ବଲ୍‌ରୁ ୬ ଚୌକା ଏବଂ ୨ ଛକା ବଳରେ ୪୫ ରନର ଅପରାଜିତ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ଜିତାଇଛନ୍ତି। ପାଟ୍ କମିନ୍ସ ବିଜୟ ସୂଚକା ଚୌକା ମାରିଛନ୍ତି। ଦଳ ୧୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ୨୧୧ ରନ କରି ୪ ଓ୍ଵିକେଟ୍‌ରେ ବିଜୟ ହାସଲ କରିଛି।

ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ୫୨ ରନ ଦେଇ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ହର୍ଷଲ ପଟେଲ୍ ମଧ୍ୟ ୪୯ ରନ ବ୍ୟୟ କରିଛନ୍ତି। ଅକ୍ଷର ପଟେଲ୍ ୧୭ ରନରେ ୩ ଓ୍ଵିକେଟ୍ ନେବାରେ ସଫଳ ହୋଇଥିଲେ। ଉମେଶ ଯାଦବ ୨ ଓଭରରେ ୨୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

ଭାରତୀୟ ଇନିଂସ

ଭାରତର ଆରମ୍ଭ ଆଶାନୁରୂପ ରହିନଥିଲା। ଅଧିନାୟକ ରୋହିତ ଶର୍ମା(୧୧) ସଅଳ ଆଉଟ୍ ହୋଇଥିଲେ। ଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ବିରାଟ କୋହଲି(୨) ପାଭିଲିୟନ ଫେରିଥିଲେ। ୩୫ ରନରେ ଦୁଇ ବଡ ବ୍ୟାଟସମ୍ୟାନଙ୍କୁ ହରାଇବା ପରେ ଲୋକେଶ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଦମଦାର ବ୍ୟାଟିଂ କରିଥିଲେ। ଲୋକେଶ ରାହୁଲ ଚମତ୍କାର ସଟ୍ ଖେଳି ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। କେଏଲ ରାହୁଲ ୩୫ ବଲ୍‌ରୁ ୪ ଚୌକା ଏବଂ ୩ ଛକା ସହ ଅର୍ଦ୍ଧଶତକୀୟ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ସେ ସୂର୍ଯ୍ୟକୁମାରଙ୍କ ସହ ତୃତୀୟ ଓ୍ଵିକେଟ୍‌ରେ ୬୮ ରନ ଯୋଡିଥିଲେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ନିଜର ଫର୍ମ ବଜାୟ ରଖି ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୫ ବଲ୍‌ରୁ ୨ ଚୌକା ଏବଂ ୪ ଛକା ସହ ୪୬ ରନ କରିଥିଲେ।

ଦିନେଶ କାର୍ତ୍ତିକ ୬ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଚିରାଚରିତ ଶୈଳୀରେ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ଦମଦାର ବ୍ୟାଟିଂ ବଳରେ ଭାରତ ବିଶାଳ ସ୍କୋର କରି ପାରିଛି। ପାଣ୍ଡ୍ୟା ମାତ୍ର ୩୦ ବଲ୍‌ରୁ ୭ ଚୌକା ଏବଂ ୫ ଛକା ସହ ଅପରାଜିତ ୭୧ ରନ କରିଛନ୍ତି। ଶେଷରେ ଭାରତ ୬ ଓ୍ଵିକେଟ୍ ହରାଇ ୨୦୮ ରନ  କରିପାରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍ ୩୦ ରନ ଦେଇ ୩ ସଫଳତା ପାଇଛନ୍ତି। ହେଜେଲଉଡ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଗ୍ରୀନ ୧ ଓ୍ଵିକେଟ୍ ନେଇଛନ୍ତି।

   Related Posts