ସଂଘର୍ଷ କରି ହାରିଲା ଦକ୍ଷିଣ ଆଫ୍ରିକା, ଅଷ୍ଟମ ଥର ଫାଇନାଲ୍‌ରେ ଅଷ୍ଟ୍ରେଲିଆ

Published By : Prameya-News7 Bureau | November 16, 2023 IST

କୋଲକାତା: ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଅଷ୍ଟ୍ରେଲିଆ। ସଂଘର୍ଷ କରି ପୁଣି ଥରେ ସେମିରେ ଝୁଣ୍ଟିଲା ଦକ୍ଷିଣ ଆଫ୍ରିକା। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ବିଶ୍ଵକପ୍ ୨୦୨୩ର ଦ୍ଵିତୀୟ ସେମି ଫାଇନାଲ୍‌ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି କଙ୍ଗାରୁ ଟିମ୍। ବୃଥା ହୋଇଛି ମିଲରଙ୍କ ଶତକ। ଏବେ ଟାଇଟଲ୍  ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ଥରର ଚାମ୍ପିଅନ ଭାରତ ଓ ୫ ଥରର ଚାମ୍ପିଅନ ଅଷ୍ଟ୍ରେଲିଆ। ଫାଇନାଲ୍ ମୁକାବିଲା ନଭେମ୍ବର ୧୯ ତାରିଖ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏଥରର ବିଶ୍ଵକପ୍‌କୁ ମିଶାଇ ମୋଟ୍ ଆଠ ଥର ଫାଇନାଲ୍‌ରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ଅନ୍ୟପଟେ ପୁଣି ଚୋକର୍ସ ସାବ୍ୟସ୍ତ ହୋଇଛି ଦକ୍ଷିଣ ଆଫ୍ରିକା। ବିଶ୍ଵକପ୍ ଜିତିବାର ସ୍ଵପ୍ନ ପୁଣି ଥରେ ଧୂଳିସାତ ହୋଇଛି। ଅନ୍ୟପଟେ ୨୦୦୩ ବିଶ୍ଵକପ୍ ପରେ ପୁଣି ଥରେ ଫାଇନାଲ୍‌ରେ ପରସ୍ପରକୁ ଭେଟିବେ ଭାରତ ଓ ଅଷ୍ଟ୍ରେଲିଆ।

wp:heading {"level":4}

ଅଧିକ ପଢନ୍ତୁ- ସେଞ୍ଚୁରୀ ପରେ ଶ୍ରେୟସଙ୍କ ମନର କଥା ; ୨୦୧୧ରେ ସାଙ୍ଗଙ୍କ ସହ ବସି ମୁଁ ଖେଳ ଦେଖିଥିଲି, ଆଉ କହିଥିଲି…

/wp:heading

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଡେଭିଡ୍ ମିଲରଙ୍କ ୧୦୧ ରନ ବଳରେ ୪୯.୪ ଓଭରରେ ୨୧୨ ରନରେ ଅଲଆଉଟ୍ ହୋଇଥିଲା। ହେନରିଚ୍ କ୍ଲାସେନ ୪୭ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଜବାବରେ ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତିବା ପାଇଁ ୪୭.୨ ଓଭର ଯାଏ ଖେଳିବାକୁ ପଡ଼ିଥିଲା। ଶେଷରେ କଙ୍ଗାରୁ ଦଳ ୭ ଓ୍ଵିକେଟ୍  ହରାଇ ବହୁ କଷ୍ଟରେ ବିଜୟ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି। ଦଳ ପକ୍ଷରୁ ଟ୍ରେଭିସ୍ ହେଡ୍ ୬୨ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ତେବେ ମିଚେଲ୍ ଷ୍ଟାର୍କ ୧୬ ରନ ଓ ପାଟ୍ କମିନ୍ସ ୧୪ ରନ ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି। ଦକ୍ଷିଣ ଆଫ୍ରିକା ବେଲରଙ୍କ ସକଳ ପ୍ରୟାସ ବ୍ୟର୍ଥ ହୋଇଛି।

ऑस्ट्रेलियाई स्टार प्लेयर स्टीव स्मिथ. (Getty)
aajtak

୨୧୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଟ୍ରେଭିସ୍ ହେଡ୍ ବିସ୍ଫୋରକ ବ୍ୟାଟିଂ କରି ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ମାତ୍ର ୬.୧ ଓଭରରେ ୬୦ ରନ ଯୋଡ଼ି ଦଳ ବିଜୟରେ ମୂଳଦୁଆ ପକାଇଥିଲେ। ତେବେ ଓପନିଂ ଯୋଡ଼ିକୁ ଭାଙ୍ଗି ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଓ୍ଵାର୍ଣ୍ଣର ୧୮ ବଲ୍‌ରୁ ୪ ଚୌକା ଓ ୧ ଛକା ସହ ୨୯ ରନ କରି ଆଉଟ୍  ହୋଇଥିଲେ। ମିଚେଲ୍ ମାର୍ଶ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଟ୍ରେଭିସ୍  ହେଡ ଓ ଷ୍ଟିଭେନ ସ୍ମିଥ୍ ତୃତୀୟ ଓ୍ଵିକେଟ୍ ପାଇଁ ୪୫ ରନ ଯୋଡ଼ି ଦଳର ସ୍କୋରକୁ ୧୦୦ ପହଞ୍ଚାଇଥିଲେ। ଟ୍ରେଭିସ୍ ଦ୍ରୁତ ବ୍ୟାଟିଂକରି ୪୮ ବଲ୍‌ରୁ ୯ ଚୌକା ଓ ୨ ଛକା ସହ ୬୨ ରନ କରି ଆଉଟ୍ ହୋଇଥିଲେ।

{"id":870709,"sizeSlug":"full","linkDestination":"none"}
BCCI

ମାର୍ନସ ଲାବୁସେନ(୧୮) ଓ ଗ୍ଲେନ ମ୍ୟାକ୍ସଓ୍ଵେଲ୍(୧) ଆଉଟ୍ ହେବାରୁ ମ୍ୟାଚ୍ ରୋମାଞ୍ଚକ ମୋଡ଼ ନେଇଥିଲା। ୧୩୭ ରନରେ କଙ୍ଗାରୁ ଦଳ ୫ ଓ୍ଵିକେଟ୍ ହରାଇ କିଛି ସମୟ ଅକଳରେ ପଡ଼ିଥିଲା। କ୍ରିଜରେ ଜମି ଥିବା ସ୍ମିଥ୍ ୩୦ ରନ କରି ପାଭିଲିୟନ ହୋଇଥିଲେ। ଏହାପରେ ଜୋସ୍ ଇଙ୍ଗ୍ଲିସ ଦାୟିତ୍ଵପୂର୍ଣ୍ଣ ବ୍ୟାଟିଂ କରି ୨୮ ରନ କରି ଆଉଟ୍ ହେବାରୁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ପ୍ରତିଟି ରନ ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ଆଉ ଶେଷ ଯାଏ ଦୁଇ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲା। ଶେଷ ଆଡ଼କୁ ମିଚେଲ୍ ଷ୍ଟାର୍କ(୧୬) ଓ  ଅଧିନାୟକ ପାଟ୍ କମିନ୍ସ(୧୪) ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୪୭.୨ ଓଭରରେ ଜିତାଇଛନ୍ତି।

ବୋଲିଂରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ତବରିଜ ସମ୍ସି ୧୦ ଓଭରରେ୪୨ ରନ ଦେଇ ୨ଟି ଓ୍ଵିକେଟ୍, ଗେରାଲ୍ଡ କୋଏତିଜ ୯ ଓଭରରେ ୪୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇ  ଅଷ୍ଟ୍ରେଲିଆକୁ ଅକଳରେ ପକାଇଥିଲେ ହେଁ ତାହା ଯଥେଷ୍ଟ ନ ଥିଲା।  ଆଡନ ମାରକ୍ରମ ୮ ଓଭରରେ ମାତ୍ର ୨୩ ରନ ଦେଇ କଙ୍ଗାରୁ ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ। କାଗିସୋ ରାବଡା ୬ ଓଭରରେ ୪୧ ରନ ଦେଇ ୧ ଓ୍ଵିକେଟ୍ ନେଇଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

wp:heading

ଦକ୍ଷିଣ ଆଫ୍ରିକା ଇନିଂସ

/wp:heading

ଟସ୍  ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଅଧିନାୟକ ତେମ୍ବା ବାଭୁମା ଖାତା ଖୋଲି ପାରି ନ ଥିଲେ। ଫର୍ମରେ ଥିବା କ୍ଵିଣ୍ଟନ ଡିକକ୍‌(୩) ଆଉଟ୍ ହୋଇଥିଲେ। ଆଡନ ମାରକ୍ରମ(୧୦) ଓ ରସି ଭାନଡର ଡସେନ(୬) ଦଳକୁ ନିରାଶ କରିଥିଲେ। ଏହାପରେ ହେନରିଚ୍ କ୍ଲାସେନ ଓ ଡେଭିଡ୍ ମିଲର ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ ପାଇଁ ୯୫ ରନ ଯୋଡ଼ି ଦଳର ସ୍ଥିତି ସୁଧାରିଥିଲେ। ହେଲେ ୧୧୯ ରନ ସ୍କୋରରେ କ୍ଲାସେନଙ୍କୁ ଆଉଟ୍ କରି ଟ୍ରେଭିସ୍ ହେଡ୍ ଦକ୍ଷିଣ ଆଫ୍ରିକାକୁ ବହୁତ ବଡ଼ ଝଟକା ଦେଇଥିଲେ। ସେ ୪୮ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୭ ରନ କରିଥିଲେ। ସେହି ସମାନ ସ୍କୋରରେ ମାର୍କୋ ଜନସେନ(୦) ଟ୍ରେଭିସ୍ ହେଡ୍‌ଙ୍କ ଶିକାର ହୋଇଥିଲେ।

Aajtak

ଏହା  ପରେ ମିଲର ଓ ଗେରାଲ୍ଡ କୋଏତଜି ସପ୍ତମ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡ଼ିଥିଲେ। କ୍ରିଜରେ ସେଟ୍ ହୋଇ ଆସୁଥିବା ବେଳେ କୋଏତଜି ୧୯ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ମିଲର ସାହସିକ ଇନିଂସ ଖେଳି ଶତକ ଅର୍ଜନ କରିଛନ୍ତି। ସେ ୧୧୬ ବଲ୍‌ରୁ ୮ ଚୌକା ଓ ୫ ଛକା ସହ ୧୦୧ ରନର ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ଇନଂସ ଖେଳିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ଇନିଂସ ୪୯.୩ ଓଭରରେ ୨୧୨ ରନରେ ଅଲଆଉଟ୍ ହୋଇଛି। କାଗିସୋ ରାବଡ଼ା ୧୦  କରି ଆଉଟ୍ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.