T20 WC: ଷଷ୍ଠ ଥର ବିଶ୍ଵ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ ମହିଳା ଟିମ୍, ଦ. ଆଫ୍ରିକାର ସ୍ଵପ୍ନ ଧୂଳିସାତ
26/02/2023 at 9:45 PM

କେପଟାଉନ: ମହିଳା ଟି-୨୦ ବିଶ୍ଵକପ୍ରେ ଅଷ୍ଟ୍ରେଲିଆ ଦଳର ପ୍ରାଧ୍ୟାନ୍ୟ ବିସ୍ତାର ଜାରି ରହିଛି। ପୁଣି ଥରେ ବିଶ୍ଵ ଚାମ୍ପିଅନ ହୋଇଛି କଙ୍ଗାରୁ ଦଳ। କେପଟାଉନରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ଷଷ୍ଠ ଥର ଟାଇଟଲ୍ ଜିତି ପାରିଛି ଅଷ୍ଟ୍ରେଲିଆ। ଅନ୍ୟପଟେ ପ୍ରଥମ ଥର ଫାଇନାଲ୍ରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକାର ବିଶ୍ଵକପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଓପନର ମୋନିଙ୍କ ୭୪ ରନର ଦମଦାର ପାଳି ବଳରେ ୬ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୩୭ ରନ କରି ପାରିଥିଲା। ଓପନର ଲଉରା ଓ୍ଵଲଭାର୍ଡଙ୍କ ଦର୍ଶନୀୟ ୬୧ ରନ ଇନିଂସ ଖେଳିଥିଲେ ହେଁ ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ।
୧୫୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକା ୧୭ ରନରେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ତଜମିନ ବ୍ରିଟ୍ସ (୧୦)ଙ୍କ ପରେ ମରିଜନ କାପ(୧୧) ଆଉଟ୍ ହୋଇଥିଲେ। ଗୋଟିଏ ପଟେ ଓପନର ଲଉରା ଓ୍ଵଲଭାର୍ଡ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ଦକ୍ଷିଣ ଆଫ୍ରିକା ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଦଳର ରନ ଗତି ଧିମେଇ ଯାଇଥିଲା। ସଲ ଟ୍ରିଅନ ୨୫ ରନ କରିଥିଲେ। ଓ୍ଵଲଭାର୍ଡ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ହେଁ ଦଳ ପାଇଁ ପର୍ଯ୍ୟାପ୍ତ ନଥିଲା। ସେ ୪୮ ବଲ୍ରୁ ୫ ଚୌକା ଓ ୩ ଛକା ସହ ୬୧ ରନ କରି ପାଭିଲିୟନ ଫେରିଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍ ହରାଇ ୧୩୭ ରନ କରି ପାରିଥିଲା।
ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍ ସ୍କଟ୍ ୪ ଓଭରରେ ୨୩ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ଆସଲେ ଗାର୍ଡନର୍ ୪ ଓଭରରେ ୨୦ରନ ଦେଇ ଗୋଟିଏ ଓ୍ବିକେଟ, ଡାର୍ସି ବ୍ରାଉନ୍ ୨୫ରନ ଦେଇ ୧ ଓ୍ବିକେଟ, ଜେସ ଜୋନାସେନ୍ ୩ ଓଭରରେ ୨୧ରନ ୧ ଓ୍ବିକେଟ୍ ନେଇଥିଲେ।
ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଓପନର ହିଲି ଏବଂ ମୁନି ୩୬ ରନ ଯୋଡିଥିଲେ। ହିଲି(୧୮) ଆଉଟ୍ ହୋଇଥିଲେ। ଏହା ପରେ ମୁନି ଏବଂ ଗାର୍ଡନର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୬ ରନ ଯୋଡିଥିଲେ। ଗାର୍ଡନର ୨୯ ରନ କରି ପାଭିଲିୟନ ଫେରିଥିଲେ। ଗ୍ରେସ୍ ହାରିସ୍ ୧୦ ରନ କରିଥିଲେ। ତେବେ ମୁନି ଦମଦାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୫୩ ବଲ୍ରୁ ୯ ଚୌକା ଏବଂ ୧ ଛକା ସହ ୭୪ ରନ କରି ଅପରାଜିତ ଥିଲେ। ତାଙ୍କର ଏହି ପାଳି ବଳରେ ଅଷ୍ଟ୍ରେଲିଆ ୬ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା।