ନୂଆଦିଲ୍ଲୀ ୦୫।୦୯ : ମ୍ୟାଚ୍ ନୁହେଁ ତ ପୁରା ସିନେମା । ପାଓ୍ୱାର ପ୍ଲେରେ ହେଲା ଖାଲି ରନ୍ର ବର୍ଷା । ୧୫୪ ରନ୍ ଟାର୍ଗେଟକୁ ମାତ୍ର ୯ ଓଭରରେ ପୁରା । ଯୁଆଡେ ଆଖି ଗଲା ସିଆଡେ ଖାଲି ଚୌକା ଏବଂ ଛକ୍କାର ବର୍ଷା । ମ୍ୟାଚ୍ରେ ଚାଲିଲା କଙ୍ଗାରୁ ବ୍ୟାଟରଙ୍କ ଝଡ଼ ।
ଅଷ୍ଟ୍ରେଲିଆ ଏବଂ ସ୍କଟଲାଣ୍ଡ ମଧ୍ୟରେ ଚାଲିଛି ଟି-୨୦ ସିରିଜ୍ । ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ବୁଧବାର ଦିନ ଗ୍ରେଞ୍ଜ କ୍ରିକେଟ୍ କ୍ଲବରେ ଖେଳାଯାଉଥିଲା । ପ୍ରଥମ ଟି-୨୦ ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ଡିସାଇଡ୍ କରିଥିଲେ କ୍ୟାପଟେନ୍ ମିଚେଲ୍ ମାର୍ସ । ଅଷ୍ଟ୍ରେଲିଆର ଖତରନାକ୍ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ସ୍କଟଲାଣ୍ଡ ବ୍ୟାଟର । ୨୦ ଓଭରରେ ୯ ଓ୍ୱିକେଟ୍ ହରାଇ ୧୫୪ ରନ୍ କରିଥିଲା ଆୟରଲାଣ୍ଡ ଟିମ୍ । ଜର୍ଜ ମୁନ୍ସୀ ସ୍କଟଲାଣ୍ଡ ପକ୍ଷରୁ ସର୍ବାଧିକ ୨୮ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ସନ୍ ଆବୋଟ ୩ଟି, ଗାଭିୟର ବାର୍ଟଲେଟ୍ ଓ ଆଡାମ ଜାମ୍ପା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ସେପଟେ ୧୫୫ ରନ୍ର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ କଙ୍ଗାରୁ ଓପନର । ପ୍ରଥମ ଓଭରରେ ପଡିଥିଲା ଡେବ୍ୟୁଟାଣ୍ଟ ଜେକ ଫ୍ରେଜର ମ୍ୟାକ୍ଗର୍କଙ୍କ ଓ୍ୱିକେଟ୍ । ଆଉ ପଡିଆକୁ ଆସିଥିଲେ ଅଧିନାୟକ ମିଚେଲ୍ ମାର୍ସ, ପୂର୍ବରୁ କ୍ରିଜ୍ରେ ଥିଲେ ଟ୍ରାଭିସ୍ ହେଡ୍ । ଉଭୟ ଆରମ୍ଭ କରିଥିଲେ ଆଟାକିଂ ବ୍ୟାଟିଂ । ପ୍ରଥମ ଓଭରରେ ଓ୍ୱିକେଟ୍ ପଡିବା ଦୁଇ ବ୍ୟାଟରଙ୍କ ଉପରେ କୌଣସି ଫରକ୍ ପଡିନଥିଲା। ସାମ୍ନାରେ ଯେଉଁ ବୋଲର ଆସିଲେ ତାକୁ ନିର୍ଘାତ ପିଟିଲେ। ପାଓ୍ୱାରପ୍ଲେରେ ନିର୍ଘାତ ମାଡ଼ ମାରିଥିଲେ । ମାର୍କ ଓ୍ୱାଟ୍ଙ୍କ ଛାଡି ଆଉ ସମସ୍ତ ବୋଲରଙ୍କ ଇକୋନୋମି ୧୨ରୁ ଅଧିକ ଥିଲା । ସବୁଠୁ ଅଧିକ ଇକୋନୋମି ଥିଲା ଜାକ୍ ଜାରର୍ଭିସ୍ଙ୍କର ।
ସେପଟେ ଟ୍ରାଭିସ୍ ହେଡ୍ ଧୂଆଁଧାର ବ୍ୟାଟିଂ କରି ୧୭ଟି ବଲ୍ରେ ପୂରଣ କରିଥିଲେ ଅର୍ଦ୍ଧଶତକ। ମିଚେଲ ମାର୍ଶ ବି ଖେଳିଥିଲେ ବିସ୍ଫୋରକ ଇନିଂସ। ଉଭୟ ୧୧୩ ରନ୍ ଯୋଗ କରି ବିଜୟ ପଥ ପରିଷ୍କାର କରିଥିଲେ । ହେଡ୍ ୧୨ ଚୌକା ଓ ୫ ଛକା ବଳରେ ୮୦ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ । ପରେ ମାର୍ଶ ୧୨ଟି ବଲ୍ରୁ ୩୯ ରନ୍ କରି ପାଭିଲିୟନ ଫେରିଥିଲେ, ଯେଉଁଥିରେ ସାମିଲ ଥିଲା ୫ଚୌକା ଏବଂ ୩ ଛକା।
ସେହିପରି ଜୋସ ଇଂଲିଶଙ୍କ ୨୭ ରନ୍ ଓ ମାର୍କସ ଷ୍ଟଇନିସ୍ ଅପରାଜିତ ୮ ରନ୍ ବଳରେ କଙ୍ଗାରୁ ଟିମ୍ ବିଜୟୀ ହୋଇଥିଲେ। ୬୨ଟି ବଲ୍ ବାକି ଥାଇ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ୍ରେ ରେକର୍ଡ ବିଜୟ ହାସଲ କରିଛି । ମାତ୍ର ୯.୪ ଓଭରରେ ୩ ଓ୍ୱିକେଟ୍ ହରାଇ ଅଷ୍ଟ୍ରେଲିଆ ଏହି ବିଜୟ ହାସଲ କରିଛି । ୨୫ଟି ବଲ୍ରୁ ୮୦ ରନ୍ ସଂଗ୍ରହ କରି ଦଳକୁ ଜିତାଇଥିବା ଟ୍ରେଭିସ୍ ହେଡ୍ଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ର ପୁରସ୍କାର ମିଳିଛି ।