ଦିନିକିଆ ସିରିଜ୍‌ର ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତ, ଆସନ୍ତାକାଲି ସିଡନୀରେ ଦ୍ଵିତୀୟ ଟି-୨୦ ମୁକାବିଲା

Published By : Prameya-News7 Bureau | December 05, 2020 IST

ସିଡନୀ ୦୫।୧୨: ପ୍ରଥମ ମ୍ୟାଚ୍‌ରେ ଦମଦାର ବିଜୟ ପରେ ଆସନ୍ତାକାଲି ଭ୍ରମଣକାରୀ ଭାରତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ମଧ୍ୟ ଆସନ୍ତାକାଲିର ମ୍ୟାଚ୍‌ରେ ଭାରତର ପଲ୍ଲା ଭାରି ରହିବ। ଦଳ ଦ୍ଵିତୀୟ ଟି-୨୦ ଜିତି କଙ୍ଗାରୁଠାରୁ ଦିନିକିଆ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଟେଷ୍ଟ ଶୃଙ୍ଖଳା ପୂର୍ବରୁ ଟି-୨୦  ଶୃଙ୍ଖଳା ଜିତିଲେ ଭାରତୀୟ ଦଳର ମନୋବଳ ବୃଦ୍ଧି ଘଟିବ।

କାନବେରାରେ ତୃତୀୟ ଦିନିକିଆ ଓ ପ୍ରଥମ ଟି-୨୦ ଜିତିବା ପରେ ଏବେ ଭାରତୀୟ ଦଳ ପୁଣି ଥରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡକୁ ଫେରିଛି। ଏଠାରେ ଅଷ୍ଟ୍ରେଲିଆ ପ୍ରଥମ ଦୁଇଟି ଦିନିକିଆ ଜିତି ସିରିଜ୍ ହାତେଇଥିଲା। ପ୍ରଥମ ଟି-୨୦ ମୁକାବିଲାରେ ଜାଡେଜାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ କନକୁସନ ବିକଳ୍ପ ଭାବେ ଖେଳିଥିବା ୟୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରି ୩ ଓ୍ଵିକେଟ୍ ନେଇ ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଭାରତକୁ ନିମ୍ନ ଅର୍ଡରରେ ଜାଡେଜାଙ୍କ ଅନୁପସ୍ଥିତି ଅନୁଭବ ହେବ। ତଥାପି ଦଳର ମନୋବଳ ଉର୍ଦ୍ଧ୍ଵରେ ରହିଛି। ଗତ ମ୍ୟାଚ୍‌ରେ ଜାଡେଜା ୨୩ ବଲରୁ ୪୪ ରନର ଅପରାଜିତ ଇନିଂସ ଖେଳି ଭାରତକୁ ଭଲ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ତେଣୁ କୋହଲି କାଲି ମ୍ୟାଚ୍‌ରେ ଆଶା କରିବେ ଯେ, ଶୀର୍ଷ ୫ ବ୍ୟାଟସମ୍ୟାନ ଏମିତି ବ୍ୟାଟିଂ କରନ୍ତୁ ଯେ, ନିମ୍ନ କ୍ରମ ପର୍ଯ୍ୟନ୍ତ ପହଞ୍ଚିବାର ଆବଶ୍ୟକ ନପଡୁ।

ଫିଟ୍ ନାହାନ୍ତି ଓ୍ଵାର୍ଣ୍ଣର, ଫିଞ୍ଚ ବି ଆହତ

ଅଷ୍ଟ୍ରେଲିଆର ତାରକା ବ୍ୟାଟସମ୍ୟାନ ଡେଭିଡ୍ ଓ୍ଵାର୍ଣ୍ଣର ଫିଟ୍ ନାହାନ୍ତି। ଅନ୍ୟପଟେ ଅଧିନାୟକ ଆରୋନ ଫିଞ୍ଚ ମଧ୍ୟ ସଂପୂର୍ଣ୍ଣ ଫିଟ୍ ନାହାନ୍ତି, ଯାହା ଅଷ୍ଟ୍ରେଲିଆ ପାଇଁ ଚିନ୍ତାର ବିଷୟ ପାଲଟିଛି। ଡାର୍ସି ସଟ୍‌ ପ୍ରଥମ ଟି-୨୦ ମ୍ୟାଚ୍‌ରେ ବ୍ୟାଟିଂ ବେଳେ ସହଜ ନଜର ଆସିନଥିଲେ। ଷ୍ଟିଭ୍ ସ୍ମିଥ୍ ଟେଷ୍ଟ ଓ ଦିନିକିଆରେ ମହାନ ବ୍ୟାଟସମ୍ୟାନ ହୋଇଥିଲେ ମଧ୍ୟ ଟି-୨୦ରେ ସେହି ପ୍ରଦର୍ଶନକୁ ଦୋହରାଇ ପାରୁନାହାନ୍ତି। ଅନ୍ୟପଟେ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କ ମଧ୍ୟ ଦୁର୍ବଳତା ରହିଛି ଯାହାକୁ ଶେଷ ଦିନିକିଆ ଓ ପ୍ରଥମ ଟି-୨୦ରେ ଯଶପ୍ରୀତ ବୁମରା ଓ ଟି ନଟରାଜନ ଉଜାଗର କରିଛନ୍ତି।

ଅଧିନାୟକ କୋହଲି ଅସାଧାରଣ ପ୍ରଦର୍ଶନ କରି ପାରି ନାହାନ୍ତି, ଯାହାର ପ୍ରଭାବ ଦଳ ଉପରେ ପଡିଛି। ତାଙ୍କଠୁ ଦଳ ଦମଦାର ଇନିଂସର ଆଶା କରୁଛି। ଦେଖିବା ବାକି ରହିଲା ଯେ, ରବିବାର ମୁକାବିଲାରେ ମନିଷ ପାଣ୍ଡେଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଉଛି ନା ନାହିଁ। ସଞ୍ଜୁ ସାମସନ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଓଭରରେ ଫାଇଦା ଉଠାଇବାକୁ ହେବ। ଅନ୍ୟପଟେ ଅଷ୍ଟ୍ରେଲିଆ ଅନୁଭବୀ ଟେଷ୍ଟ ବିଶେଷଜ୍ଞ ନାଥନ ଲିୟୋନଙ୍କୁ ଟି-୨୦ରେ ସାମିଲ କରିଛି।

ଭାରତ

ବିରାଟ କୋହଲି(ଅଧିନାୟକ), ଶିଖର ଧାଓ୍ଵନ, ମୟଙ୍କ ଅଗ୍ରଓ୍ଵାଲ, କେଏଲ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ସ, ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଦୀପକ ଚହର, ଟି ନଟରାଜନ, ଶାର୍ଦ୍ଦୁଳ ଠାକୁର।

ଅଷ୍ଟ୍ରେଲିଆ

ଆରୋନ ଫିଞ୍ଚ(ଅଧିନାୟକ), ସିନ ଆବୋଟ୍, ଆଷ୍ଟନ ଏଗର, ଆଲେକ୍ସ କାରେ, କ୍ୟାମରନ ଗ୍ରୀନ, ଜୋଶ ହେଜଲଉଡ, ମୋଇସେସ୍ ହେନରିକ୍ସ, ମାର୍ନସ ଲାବୁସେନ, ଡାନିଏଲ ସାମ୍ସ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ୍, ମିଚେଲ ଷ୍ଟାର୍କ, ମାର୍କସ୍ ଷ୍ଟୋଇନିସ, ମାଥ୍ୟୁ ଓ୍ଵାଦେ, ଡାର୍ସି ସର୍ଟ, ଆଡମ ଜାମ୍ପା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.