୨୪ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ, ମ୍ୟାଚ୍‌ ସୂଚୀ ଜାରିକଲା ପିସିବି

Published By : Prameya-News7 Bureau | November 08, 2021 IST

ନୂଆଦିଲ୍ଲୀ ୦୮/୧୧ : ପାକିସ୍ତାନ ଗସ୍ତରେ ଯିବ ଅଷ୍ଟ୍ରେଲିଆ କ୍ରିକେଟ ଟିମ । ଆସନ୍ତା ମାର୍ଚ୍ଚ ୨୦୨୨ରେ କଙ୍ଗାରୁ ବାହିନୀ ପାକିସ୍ତାନ ଗସ୍ତ କରିବାକୁ ଯାଉଛି । ଏ ନେଇ ପୁରା ମ୍ୟାଚ ସୂଚୀ ଜାରି କରିଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) । ଅଷ୍ଟ୍ରେଲିଆର ଏହି ଗସ୍ତ ପାକିସ୍ତାନ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଠିକ ପୂର୍ବରୁ ପାକିସ୍ତାନ ଗସ୍ତ କରିଥିଲା ନ୍ୟୁଜିଲାଣ୍ଡ । ତେବେ ସେଠାରେ ସେମାନଙ୍କ ଧମକ ମିଳିବାରୁ ଟସ ପଡିବାର କିଛି ସମୟ ପୂର୍ବରୁ ଖେଳିବାକୁ ମନା କରିଦେଇଥିଲା କିଓ୍ବି ଟିମ । ସେହିଭଳି ଇଂଲଣ୍ଡ ମଧ୍ୟ ପାକିସ୍ତାନ ଗସ୍ତ କରିବାକୁ ପ୍ରଥମରୁ ହିଁ ମନା କରିଦେଇଥିଲା ।

ତେଣୁ ଏବେ ଅଷ୍ଟ୍ରେଲିଆର ପାକିସ୍ତାନ ଗସ୍ତ ବେଳେ ସେଭଳି କିଛି ବିପଦ ଆଶଙ୍କା ଥିବାରୁ ସତର୍କ ରହିବାକୁ ହେବ । ସେପଟେ ଅଷ୍ଟ୍ରେଲିଆ ଟିମ ପାକିସ୍ତାନ ଯିବା ପାଇଁ ରାଜି ହେବା ପିସିବିକୁ ଆଶ୍ବସ୍ତୀ ଦେଇଛି । କାରଣ ଦୀର୍ଘ ୨୪ ବର୍ଷ ପରେ ପାକିସ୍ତାନ ଗସ୍ତ କରିବାକୁ ଯାଉଛି ଅଷ୍ଟ୍ରେଲିଆ । ଏହା ପୂର୍ବରୁ ୧୯୯୮ ମସିହାରେ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା କଙ୍ଗାରୁ ଟିମ । ତେବେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତରେ କେତେ ସୁରକ୍ଷିତ ମାନ କରିବ ତାହା ତ ଭିନ୍ନ କଥା, ପାକ୍‌ ବିପକ୍ଷ ସିରିଜ୍‌ ପାଇଁ ଆହୁରି ୫ ମାସ ସମୟ ଥିବାରୁ ପାକିସ୍ତାନ ଗସ୍ତରେ ଯିବ କି ନାହିଁ ସେ ନେଇ ପୁଣି ଥରେ ସମୀକ୍ଷା କରିପାରେ କ୍ରିକେଟ ଅଷ୍ଟ୍ରେଲିଆ ।

ପାକିସ୍ତାନ ଗସ୍ତରେ ୩ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ଗୋଟିଏ ଟେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବ କଙ୍ଗାରୁ ଦଳ । ପ୍ରଥମ ଟେଷ୍ଟ ମାର୍ଚ୍ଚ ୩ ରୁ ୭ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ବେଳେ, ଦ୍ବିତୀୟ ଟେଷ୍ଟ ୧୨ ରୁ ୧୬, ତୃତୀୟ ୨୧ ରୁ ୨୫ ଲାହୋରରେ ଖେଳାଯିବ । ସେହିଭଳି ମାର୍ଚ୍ଚ ୨୯ରେ ପ୍ରଥମ ଦିନିକିଆ, ୩୧ ରେ ଦ୍ବିତୀୟ ଏବଂ ଏପ୍ରିଲ ୨ ତାରିଖରେ ତୃତୀୟ ଦିନିକିଆ ଲାହୋରେ ଖେଳାଯିବ । ଶେଷରେ ଏପ୍ରିଲ ୫ ତାରିଖରେ ଲାହୋରରେ ଏକ ମାତ୍ର ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍‌ ସୁପର ଲିଗ୍‌ର ଅଂଶ ରହିବ ବୋଲି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି ।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.