India vs Australia, 2nd T20I: ଚମକିଲେ ଅକ୍ଷର ପଟେଲ୍, ଭାରତ ଆଗରେ ୯୧ ରନ୍‌ର ଟାର୍ଗେଟ ରଖିଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | September 23, 2022 IST

ନୂଆଦିଲ୍ଲୀ: ଆଜି ନାଗପୁର ବିଦର୍ଭ କ୍ରିକେଟ୍ ସଂଘ ଷ୍ଟାଡିୟମ୍‌ରେ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କଙ୍ଗାରୁ ଦଳ ନିର୍ଦ୍ଧାରିତ ୮ ଓଭର ଖେଳି ୯୦ ରନ୍ କରିଛି। ଭାରତ ସିରିଜ୍‌ରେ ରହିବାକୁ ହେଲେ ୯୧ରନର ଟାର୍ଗେଟ୍ ପୂରା କରି ଆଜିର ମ୍ୟାଚ୍ ଜିତିବାକୁ ହେବ। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱେଡ୍‌* ଶେଷ ପର୍ଯ୍ୟନ୍ତ ରହି ସର୍ବାଧିକ ୪୩ ରନ୍ କରିଥିବା ବେଳେ ଆରୋନ ଫିଞ୍ଚ ୩୧ ରନ୍ କରିଥିଲେ।

ସେହିପରି ଭାରତ ପକ୍ଷରୁ ଅକ୍ଷର ପଟେଲ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ। ସେ ଦୁଇଟି ୱିକେଟ୍ ନେଇଥିବା ବେଳେ ମାତ୍ର ୧୩ ରନ୍ ଦେଇଥିଲେ। ଜସପ୍ରୀତ ବୁମ୍ରା ୨୩ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିବା ବେଳେ ଦୁଇଟି ରନ୍‌ ଆଉଟ ହୋଇଥିଲା।  

ଭାରତ ପକ୍ଷରୁ ପ୍ରଥମେ ବୋଲିଂ କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ପ୍ରଥମ ବଲ୍‌ରେ ପାଣ୍ଡ୍ୟାଙ୍କୁ ୪ ମାରିଥିଲେ ଆରୋନ ଫିଞ୍ଚ। ଏହାପରେ ତାଙ୍କରି ଓଭରରେ ଆଉ ଏକ ଚୌକା ବି ହୋଇଥିଲା। ଫଳରେ ପ୍ରଥମ ଓଭରରେ ୧୦ ରନ୍ କରିଥିଲା ଅଷ୍ଟ୍ରେଲିଆ।

ସେହିପରି ଦ୍ୱିତୀୟ ଓଭର କରିବାକୁ ଆସିଥିବା ଅକ୍ଷର ପଟେଲ ମଧ୍ୟ ପାଣ୍ଡ୍ୟାଙ୍କ ପରି ପ୍ରଥମ ବଲ୍‌ରେ ଚୌକା ଖାଇଥିଲେ। ତେବେ ଏହି ଓଭରରେ ସେ କ୍ୟାମରନ ଗ୍ରୀନ ଗ୍ଲେନ୍‌ ମାକ୍ସୱେଲ୍‌ଙ୍କୁ ଆଉଟ କରିଥିଲେ। ୨ ଓଭର ଖେଳ ଶେଷ ସୁଧା ଅଷ୍ଟ୍ରେଲିଆ ୧୯ ରନ୍ କରି ଦୁଇ ୱିକେଟ୍ ହରାଇ ସାରିଥିଲା।

ତୃତୀୟ ଓଭର ପାଇଁ ଆସିଥିବା ଯୁଜବେନ୍ଦ୍ର ଚହଲଙ୍କ ଦ୍ୱିତୀୟ ବଲକୁ ଛକ୍କା ମାରିଥିଲେ ଫିଞ୍ଚ। ଚହଲଙ୍କ ଓଭରରେ ମୋଟ ୧୧ ରନ୍ ହୋଇଥିଲା। ଚତୁର୍ଥ ଓଭର କରିବାକୁ ଆସିଥିବା ଅକ୍ଷର ପଟେଲ ଏଥର ଆରମ୍ଭରୁ ୱିକେଟ୍‌ ନେଇଥିଲ। ବଡ଼ ଶଟ ଖେଳିବାକୁ ଯାଇ ବୋଲ୍ଡ ହୋଇଥିଲେ ଟିମ୍ ଡେଭିଡ୍। ଏହାପରେ ଗୋଟିଏ ପରେ ଗୋଟିଏ ଡଟ୍ ବଲ୍‌ ଦେଇଥିବା ବେଳେ ଶେଷ ବଲ୍‌କୁ ଚୌକା ମାରିଥିଲେ ମାଥ୍ୟୁ ୱେଡ୍। ୪ ଓଭର ଖେଳ ଶେଷ ସୁଧା ଅଷ୍ଟ୍ରେଲିଆ ୩ ୱିକେଟ୍ ହରାଇ ୩୫ ରନ୍ କରିଥିଲା।

ତେବେ ପଞ୍ଚମ ଓଭର ବୋଲିଂ କରିବାକୁ ଆସିଥିବା ଜଶପ୍ରୀତ ବୁମ୍ରା ଆରମ୍ଭରୁ ୱାଇଟ୍ ଫିଙ୍ଗିଥିଲେ। ଫଳରେ ଅଷ୍ଟ୍ରେଲିଆକୁ ବୋନସ ୧ ରନ୍ ମିଳିଯାଇଥିଲା। ତାଙ୍କ ଓଭରରେ ମୋଟ ୧୧ ରନ୍ ହୋଇଥିବା ବେଳେ ଶେଷ ବଲ୍‌ରେ ସେ ଆରୋନ ଫିଞ୍ଚ ୱିକେଟ୍ ନେଇଥିଲେ। ୟର୍କର ବୋଲିଂରେ କ୍ଲିନ ବୋଲ୍ଡ ହୋଇଥିଲେ ଫିଞ୍ଚ୍।

ଅକ୍ଷର ୨ ୱିକେଟ୍ ନେଇଥିବା ବେଳେ ଗୋଟିଏ ରନ୍ ଆଉଟ୍‌ ହୋଇଥିଲା। ଷଷ୍ଠ ଓଭର ବୋଲିଂ କରିବାକୁ ଆସିଥିବା ହର୍ଷଲ ପଟେଲ୍‌ ବିନା କୌଣସି ୱିକେଟ୍‌ରେ ୧୩ ରନ୍ ଦେଇଥିଲେ। ସପ୍ତମ ଓଭରରେ ବୁମ୍ରା ୧୨ ରନ୍ ଦେଇଥିବା ବେଳେ ଓଭର ଶେଷ ସୁଧା ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୭୧ ରନ୍ କରିଥିଲା।

ଭାରତ ପକ୍ଷରୁ ଶେଷ ଓଭର ବୋଲିଂ କରିଥିଲେ ହର୍ଷଲ ପଟେଲ୍। ଶେଷ ଓଭରରେ ଅଷ୍ଟ୍ରେଲିଆ ୯୦ ରନ୍ କରି ଭାରତକୁ ୯୧ର ଟାର୍ଗେଟ୍ ଦେଇଛି। ଭାରତକୁ ସିରିଜ୍‌ରେ ରହିବାକୁ ହେଲେ ମ୍ୟାଚ୍ ଜିତିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.