ମେଲବର୍ଣ୍ଣ: କିଶୋର ଓ ଶିଶୁଙ୍କୁ ସୋସିଆଲ୍ ମିଡିଆର କୁ ପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ବଡ଼ ପଦକ୍ଷେପ। ୧୬ ବର୍ଷରୁ କମ୍ ବୟସ ପିଲାଙ୍କ ବ୍ୟାନ୍ ହେବ ଫେସ୍ବୁକ, ଇନଷ୍ଟା, ଓ ଏକ୍ସ ଭଳି ସୋସିଆଲ୍ ମିଡିଆ। ଗୁରୁବାର ଅଷ୍ଟ୍ରେଲିଆ ସଂସଦର ଉଭୟ ସଦନରେ ଏନେଇ ବିଲ୍ ପାସ୍ ହୋଇଛି। ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ ଏଭଳି ପଦକ୍ଷେପ ନେଇଛି।
ବିଲ୍ ପାସ୍ ହେବା ପରେ ଆଇନ ଅନୁସାରେ ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କ ଦାୟିତ୍ୱ ପାଳନ କରିବେ। କିଭଳି ଛୋଟ ପିଲାମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ବନ୍ଦ ହେବ। ଉପଯୁକ୍ତ ବୟସ ନ ହେଲା ପର୍ଯ୍ୟନ୍ତ ଆକାଉଣ୍ଟ ଖୋଲି ହେବ ନାହିଁ ସେ ନେଇ ସୋସିଆଲ୍ ମିଡିଆ କମ୍ପାନୀଗୁଡ଼ିକ କାମ କରିବେ। ଯଦି ଏଥିରେ ଖିଲାପ ହୁଏ ତେବେ ୫୦ ମିଲିଅନ ଅଷ୍ଟ୍ରେଲିଆ ଡଲାର (ୟୁଏସ ୩୨.୫ ମିଲିଅନ ଡଲାର) ଫାଇନ ପଡ଼ିବ।
ବୁଧବାର ନିମ୍ନ ସଦନରେ ବିଲ୍ ପାସ୍ ହେବା ପରେ ଗୁରୁବାର ସଂନ୍ଧ୍ୟାରେ ସିନେଟ୍ରେ ପାସ୍ ହୋଇଥିଲା। ଉଭୟ ସଦିନରେ ବିଲ୍ ପାସ୍ ପରେ ଆଇନରେ ପରିଣତ ହେବା ଏକପ୍ରକାର ନିଶ୍ଚିତ ହୋଇଛି।
ସେପଟେ ଆଶନ୍ତା ବର୍ଷ ଅଷ୍ଟ୍ରେଲିଆରେ ନିର୍ବାଚନ ହେବାର ଅଛି। ତେଣୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନୀଙ୍କର ଏହା ଏକ ରାଜନୈତିକ ଷ୍ଟଣ୍ଟ ବୋଲି କୁହାଯାଉଛି। ହେଲେ ଅଷ୍ଟ୍ରେଲିଆର କିଶୋରମାନେ କିନ୍ତୁ ଏଥିରେ ଖୁସୀ ନାହାନ୍ତି ବୋଲି ମିଡିଆ ରିପୋର୍ଟ କହୁଛି।
ତେବେ ଅଷ୍ଟ୍ରେଲିଆର ନୂଆ ନିୟମରେ ହ୍ୱାଟ୍ସଆପ୍ ଓ ୟୁଟ୍ୟୁବ ଭଳି କିଛି ସୋସିଆଲ୍ ମିଡିଆ କମ୍ପାନୀଙ୍କ ପାଇଁ ନିୟମ କୋହଳ କରାଯାଇଛି। କାରଣ ପିଲାମାନେ ଏଥିରେ ଶିକ୍ଷା ସମ୍ବନ୍ଧୀୟ କାରବାର କରିପାରିବେ।
ଅଷ୍ଟ୍ରେଲିଆ ସମେତ ଆମେରିକା ଓ ସ୍ପେନ୍ର ସାଂସଦମାନେ ମଧ୍ୟ ନାବାଳକଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ କରିବା କଥା ଅନେକ ଥର ଉଠାଇଛନ୍ତି। ହେଲେ ସେଠାରେ ଏନେଇ କୌଣସି ବଡ଼ ଆଇନ ଲାଗୁ କରାଯାଇ ନାହିଁ। ଅନ୍ୟପଟେ ଚୀନ କିନ୍ତୁ ଏ କ୍ଷେତ୍ରରେ ନିୟମ କଡ଼ା କରିଛି। କିଶୋର କିଶୋରୀଙ୍କ ପାଇଁ ଚୀନରେ ଏକାଧିକ ନିୟମ ଲାଗୁ କରାଯାଇଛି। ୨୦୨୧ ଠାରୁ ଚୀନ ନାବାଳକଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରରେ କଟକଣା ଲଗାଇଛନ୍ତି। ୧୪ ବର୍ଷର କମ ବୟସ ପିଲା ୪୦ ମିନିଟ୍ରୁ ଅଧିକ ସମୟ ଡୋୟୀନ(ଟିକଟକ ଚୀନ ଭର୍ଜନ) ବ୍ୟବହାର କରିପାରିବେ ନାହିଁ। ଅନଲାଇନ ଗେମିଂରେ ମଧ୍ୟ କଟକଣା ଲଗାଯାଇଛି।