ପୁରୁଷ ହକି ବିଶ୍ଵ କପ୍ରେ ପ୍ରଥମ ଦଳ ଭାବେ ସେମିରେ ଅଷ୍ଟ୍ରେଲିଆ, ସ୍ପେନକୁ ୪-୩ରେ ଦେଲା ମାତ୍
24/01/2023 at 6:57 PM

ଭୁବନେଶ୍ଵର: ପୁରୁଷ ହକି ବିଶ୍ଵ କପ୍ ୨୦୨୩ରେ ପ୍ରଥମ ଦଳ ଭାବେ ସେମି ଫାଇନାଲ୍ରେ ପହଞ୍ଚିଲା ଅଷ୍ଟ୍ରେଲିଆ। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ସ୍ପେନକୁ ୪-୩ ଗୋଲ୍ରେ ହରାଇଛି। ଏଥିସହ ସ୍ପେନ ବିଶ୍ଵ କପ୍ରୁ ବିଦାୟ ନେଇଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଗ୍ରୁପ ପର୍ଯ୍ୟାୟରେ ନିଜ ଗ୍ରୁପରେ ଶୀର୍ଷରେ ରହି ସିଧାସଳଖ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲା।
Australia is the first team to seal its berth in the semi-final of the FIH Odisha Hockey Men's World Cup 2023 Bhubaneswar-Rourkela.
— Hockey India (@TheHockeyIndia) January 24, 2023
🇦🇺 AUS 4:3 ESP 🇪🇸 pic.twitter.com/9LWqyfx4zh
ପ୍ରଥମ କ୍ଵାର୍ଟରରେ ଦୁଇ ଦଳ ପରସ୍ପରକୁ ଗୋଲ୍ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଗୋଲଶୂନ୍ୟରେ ପ୍ରଥମ କ୍ଵାର୍ଟର ସରିଥିଲା। ଦ୍ଵିତୀୟ କ୍ଵାର୍ଟରରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଥିଲା। ୧୯ତମ ମିନିଟ୍ରେ ଜିସପର୍ଟ ଜାଭିୟର ଗୋଲ୍ ଦେଇ ସ୍ପେନକୁ ୧-୦ରେ ଆଗୁଆ କରିଥିଲେ। ପୁଣି ଏହାର ୪ ମିନିଟ୍ରେ ସ୍ପେନ ଗୋଲ୍ ଦେଇ ୨-୦ରେ ଆଗୁଆ ରହିଥିଲା। ଦ୍ଵିତୀୟ କ୍ଵାର୍ଟରର ଶେଷ ଆଡକୁ ୨୯ତମ ମିନିଟ୍ରେ ଓଲିଗିଭ ଫ୍ଲିନ୍ ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ଦ୍ଵିତୀୟ କ୍ଵାର୍ଟର ସୁଦ୍ଧା ସ୍ପେନ ୨-୧ରେ ଆଗୁଆ ରହିଥିଲା।
ତୃତୀୟ କ୍ଵାର୍ଟର ଆରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ୩୧ମ ମିନିଟ୍ରେ ଜେଲଓ୍ଵେସ୍କି ଆରନ ଅଷ୍ଟ୍ରେଲିଆ ପକ୍ଷରୁ ଗୋଲ୍ ଦେଇ ମ୍ୟାଚ୍କୁ ୨-୨ ସମାନ ସ୍ଥିତିକୁ ଆଣିଥିଲେ। ପୁଣି ୩୨ମ ଏବଂ ୩୬ମ ମିନିଟ୍ରେ ହେଓ୍ଵାର୍ଡ ଜେରେମି କ୍ରମାଗତ ଦୁଇଟି ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୪-୨ ଗୋଲ୍ରେ ଆଗୁଆ କରିଥିଲେ। ପୁଣି ୪୦ମ ମିନିଟ୍ରେ ମିରାଲେସ୍ ମାର୍କ ସ୍ପେନ ତରଫରୁ ଗୋଲ୍ ଦେଇ ବ୍ୟବଧାନ ୪-୩କୁ କମାଇଥିଲେ। ତୃତୀୟ କ୍ଵାର୍ଟର ସୁଦ୍ଧା ଅଷ୍ଟ୍ରେଲିଆ ମ୍ୟାଚ୍ରେ ୪-୩ରେ ଆଗୁଆ ରହିଥିଲା।
ଚତୁର୍ଥ କ୍ଵାର୍ଟରରେ ସ୍ପେନ୍ ଗୋଲ୍ ସୁଝିବାକୁ ବହୁ ଚେଷ୍ଟା କରିଥିଲେ ବି ସଫଳ ହୋଇ ପାରିନଥିଲା। ଅଷ୍ଟ୍ରେଲିଆର ରକ୍ଷଭଣାତ୍ମକ ସ୍ପେନକୁ ଗୋଲ୍ କରିବାର ସୁଯୋଗ ଦେଇନଥିଲେ। ଅଷ୍ଟ୍ରେଲିଆ ମିଳିଥିବା ଅଗ୍ରଣୀକୁ ମ୍ୟାଚ୍ ସରିବା ପର୍ଯ୍ୟନ୍ତ ବଜାୟ ରଖି ପାରିଥିଲା। ଚତୁର୍ଥ କ୍ଵାର୍ଟରରେ ଦୁଇ ଦଳ କୌଣସି ଗୋଲ୍ କରି ପାରିନଥିଲେ। ଶେଷରେ ଅଷ୍ଟ୍ରେଲିଆ ପ୍ରଥମ କ୍ଵାର୍ଟର ଫାଇନାଲ୍କୁ ୪-୩ରେ ଜିତି ପ୍ରଥମ ଦଳ ଭାବେ ଚଳିତ ପୁରୁଷ ହକି ବିଶ୍ଵ କପ୍ରେ ସେମି ଫାଇନାଲ୍ରେ ପ୍ରବେଶ କରିଛି।