ପ୍ରଥମ ଦିନିକିଆରେ ଭାରତର ଘାତକ ବୋଲିଂ, ୧୮୮ ରନରେ ଅଲଆଉଟ୍ ଅଷ୍ଟ୍ରେଲିଆ
17/03/2023 at 4:34 PM

ମୁମ୍ବାଇ: ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ବୋଲର। ଚମତ୍କାର ବୋଲିଂ କରି ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ବଡ ସ୍କୋର କରିବାକୁ ଦେଇ ନାହାନ୍ତି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିରାଶଜନକ ପ୍ରଦର୍ଶନ କରି ୩୫.୪ ଓଭରରେ ୧୮୮ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଦିନିକିଆ ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୧୮୯ ରନର ସହଜ ବିଜୟ ଲକ୍ଷ୍ୟ। ଦଳ ପକ୍ଷରୁ ମିଚେଲ୍ ମାର୍ଶ ସର୍ବାଧିକ ୮୧ ରନର ଉପଯୋଗୀ ଇନିଂସ ଖେଳିଥିବା ବେଳେ ବାକି ବ୍ୟାଟର ନିରାଶ କରିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ଶାମି ଘାତକ ବୋଲିଂ କରି ମାତ୍ର ୧୭ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ ମହମ୍ମଦ ସିରାଜ ୩ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ଅଷ୍ଟ୍ରେଲିଆ ୫ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଟ୍ରେଭିସ୍ ହେଡ୍(୫) ଆଉଟ୍ ହୋଇଥିଲେ। ଏହା ପରେ ମିଚେଲ୍ ମାର୍ଶ ଏବଂ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଦୃଢତାର ସହ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡିଥିଲେ। ତେବେ ସ୍ମିଥ୍ ୨୨ ରନ କରି ବିଦାୟ ନେଇଥିଲେ। ଅନ୍ୟପଟେ କ୍ରିଜରେ ଜମି ରହି ମିଚେଲ୍ ମାର୍ଶ ଭଲ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ମାର୍ନସ ଲାବୁସେନଙ୍କ ସହ ମିଶି ତୃତୀୟ ଓ୍ଵିକେଟ୍ରେ ୫୬ ରନ ଯୋଡିଥିଲେ। ୧୨୯ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ମାର୍ଶ ଦ୍ରୁତ ବ୍ୟାଟିଂ କରି ୬୫ ବଲ୍ରୁ ୧୦ ଚୌକା ଏବଂ ୫ ଛକା ସହ ୮୧ ରନ କରି ଆଉଟ୍ ହୋଇଥିଲେ। ମଧ୍ୟ କ୍ରମରେ ଲାବୁସେନ(୧୫ ରନ) କରିଥିବା ବେଳେ ଜୋସ୍ ଇଙ୍ଗ୍ଲିସ୍ ୨୬ ରନ କରି ପାଭିଲିୟନ ଫେରିଥିଲେ। ନିମ୍ନକ୍ରମରେ କୌଣସି ବ୍ୟାଟର ଅଧିକ ସମୟ କ୍ରିଜର ତିଷ୍ଠି ପାରିନଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ(୮ ରନ) ନିରାଶ କରିଥିଲେ। ଶେଷରେ ଅଷ୍ଟ୍ରେଲିଆ ୩୫.୪ ଓଭରରେ ୧୮୮ ରନରେ ଅଲଆଉଟ୍ ହୋଇଛି।
ଭାରତ ପକ୍ଷରୁ ଶାଣିତ ବୋଲିଂ କରି ମହମ୍ମଦ ଶାମି ୬ ଓଭରରେ ୧୭ ରନ ଦେଇ ୩ଟି ଏବ୍ଂ ମହମ୍ମଦ ସିରାଜ ୩ ଓ୍ଵିକେଟ୍ ନେଇଛନ୍ତି। ରବୀନ୍ଦ୍ର ଜାଡେଜାଙ୍କୁ ୨ଟି ଓ୍ଵିକେଟ୍ ମିଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି।