ଗ୍ରୀନ ଏବଂ ଡେଭିଡ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଭାରତକୁ ୧୮୭ ରନ ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

Published By : Prameya-News7 Bureau | September 25, 2022 IST

ହାଇଦ୍ରାବାଦ:  କ୍ୟାମେରୁନ ଗ୍ରୀନ ଏବଂ ଟିମ୍ ଡେଭିଡ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନିର୍ଣ୍ଣାୟକ ଟି-୨୦ ମୁକାବିଲାରେ ଅଷ୍ଟ୍ରେଲିଆ  ଚ୍ୟାଲେଞ୍ଜିଂ ସ୍କୋର କରିଛି। ଦଳ ୭ ଓ୍ଵିକେଟ୍ ହରାଇ ୧୮୬ ରନ  କରିଛି। ସିରିଜ୍ ଜିତିବା ପାଇଁ ଭାରତ ସମ୍ମୁଖରେ ୧୮୭ ରନର ବିଜୟ ଲକ୍ଷ୍ୟ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ଟିମ୍ ଡେଭିଡ୍ ସର୍ବାଧିକ ୫୪ ରନ କରିଥିବା ବେଳେ କ୍ୟାମେରୁନ ଗ୍ରୀନ ୨୧ ବଲ୍‌ରୁ ୫୨ ରନ କରିଛନ୍ତି। ଡାନିଏଲ ସାମ୍ସ ୨୮ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅକ୍ଷର ପଟେଲ୍ ୩୩ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି।

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିଲା। ବିଶେଷ କରି କ୍ୟାମେରୁନ ଗ୍ରୀନ ଧୂଆଁଧାର ବ୍ୟାଟିଂ କରି ଭାରତର ଚିନ୍ତା ବଢାଇଥିଲେ। ୩.୩ ଓଭରରେ ୪୪ ରନର ଦଳୀୟ ସ୍କୋରରେ ଅଧିନାୟକ ଆରୋନ ଫିଞ୍ଚ(୭)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟପଟେ ଗ୍ରୀନ ଧୂଆଁଧାର ବ୍ୟାଟିଂ କରି ମାତର୍ ୧୯ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଗ୍ରୀନଙ୍କୁ ଆଉଟ୍ କରି ଭୁବନେଶ୍ଵର କୁମାର ଦଳକୁ ବହୁତ ବଡ ସଫଳତା ଦେଇଥିଲେ। ଗ୍ରୀନ ମାତ୍ର ୨୧ ବଲ୍‌ରୁ ୭ ଚୌକା ଏବଂ ୩ ଛକା ସହ ୫୨ ରନ କରିଥିଲେ। ଏହା ପରେ କଙ୍ଗାରୁ ଦଳ ସଅଳ ଓ୍ଵିକେଟ୍ ହରାଇ ଚାପର ବଶବର୍ତ୍ତୀ ହୋଇଥିଲା ଏବଂ ଭାରତୀୟ ବୋଲର ଅଷ୍ଟ୍ରେଲିଆର ରନ ଗତି ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲେ।

ମ୍ୟାକ୍ସଓ୍ଵେଲ(୬) ରନ ଆଉଟ୍ ହୋଇଥିବା ବେଳେ  ଷ୍ଟିଭ୍ ସ୍ମିଥ(୯) ଚହଲଙ୍କ ବଲ୍‌ରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଜୋସ୍ ଇଙ୍ଗ୍ଲିସ୍(୨୪) କରିଥିଲେ। ମାଥ୍ୟୁ ଓ୍ଵେଦ(୧)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଦଳକୁ ବଡ ସଫଳତା ଦେଇଥିଲେ। ୧୧୭ ରନରେ ୬ ଓ୍ଵିକେଟ୍ ହରାଇବାର ଅଷ୍ଟ୍ରେଲିଆର ରନ ଗତି ଧିମେଇ ଯାଇଥିଲା। ଏହା ପରେ ଟିମ୍ ଡେଭିଡ୍ ଏବଂ ଡାନିଏଲ ସାମ୍ସ ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆର ସ୍ଥିତି ମଜବୁତ କରିଥିଲେ। ଡେଭିଡ୍ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୭ ବଲ୍‌ରୁ ୨ ଚୌକା ଏବଂ ୪ ଛକା ସହ ୫୪ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ସାମ୍ସ ୨୮ ରନରେ ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୬ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.