ମ୍ୟାକ୍ସଓ୍ଵେଲଙ୍କ ପସନ୍ଦର 'ସ୍ଵିଚ୍ ସଟ୍' ଉପରେ କଟକଣା ଲଗାଇବାକୁ ଆଇସିସିକୁ ଅପିଲ୍ କଲେ ଇଆନ ଚାପେଲ୍, କହିଲେ ଏପରି କଥା

Published By : Prameya-News7 Bureau | December 01, 2020 IST

ସିଡନୀ ୦୧।୧୨: ଅଷ୍ଟ୍ରେଲିଆରେ ପୂର୍ବତନ ଅଧିନାୟକ ଇଆନ ଚାପେଲ୍‌ ଆଇସିସିକୁ ‘ସ୍ଵିଚ୍ ହିଟିଙ୍ଗ୍‌’ ଉପରେ କଟକଣା ଲଗାଇବାକୁ ଅପିଲ୍ କରିଛନ୍ତି। ସେ କହିଛନ୍ତି ଏହି ସଟ୍‌ ବୋଲର ଓ ଫିଲ୍ଡିଂ କରୁଥିବା ଟିମ୍‌ ପାଇଁ ବହୁତ ଅନୁଚିତ୍। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଡେଭିଡ୍ ଓ୍ଵାର୍ଣ୍ଣର ଓ ଗ୍ଲେନ ମ୍ୟାକ୍ସଓ୍ଵେଲ ଅନେକ ଥର ସ୍ଵିଗ୍ ସଟ୍‌ ଉପଯୋଗ କରିଥିଲେ।

ଚାପେଲ୍‌ ଓ୍ଵାଇଡ୍ ଅଫ୍ ସ୍ପୋର୍ଟ୍ସ ସହ ଆଲୋଚନା ବେଳେ କହିଛନ୍ତି, ମ୍ୟାକ୍ସଓ୍ଵେଲ ଓ ଓ୍ଵାର୍ଣ୍ଣର ଦ୍ଵିତୀୟ ମ୍ୟାଚ୍‌ରେ ଅନେକ ଥର ଏମିତି ସଟ୍‌ ଖେଳିଥିଲେ। ଯଦି କୌଣସି ବ୍ୟାଟମସ୍ୟାନ ବଲ୍ ପଡିବା ପୂର୍ବରୁ ନିଜ ପୋଜିସନ ବଦଳାଇ ଦେଉଛନ୍ତି, ତେବେ ଏହା ଅବୈଧ ସଟ୍ ହେବା ଉଚିତ୍। ବୋଲରଙ୍କୁ  ତ ବୋଲିଂ କରିବା ପୂର୍ବରୁ ଅମ୍ପାୟରଙ୍କୁ ସେ କେମିତି ବଲ୍ ପକାଇବେ ତାହା ଜଣାଇବାକୁ ପଡୁଛି। ତେବେ ବ୍ୟାଟସମ୍ୟାନଙ୍କ କ୍ଷେତ୍ରରେ ଏମିତି କାହିଁକି ହେବ ନାହିଁ। ବ୍ୟାଟସମ୍ୟାନ ଯଦି ଡାହାଣହାତୀ ହୋଇଥାନ୍ତି ତେବେ ଅଧିନାୟକ ସେହି ପରି କ୍ଷେତ୍ର ରକ୍ଷଣ ସଜାଇଥାନ୍ତି। କିନ୍ତୁ ବ୍ୟାଟସମ୍ୟାନ ଅଚାନକ ବାମହାତୀ ହୋଇ ସଟ୍‌ ଖେଳୁଛନ୍ତି ଯାହା ବିପକ୍ଷ ବୋଲର ଓ ଫିଲ୍‌ଡର ପାଇଁ ଅନ୍ୟାୟ।

ପୂର୍ବତନ ଅଧିନାୟକ କହିଛନ୍ତି, ମୁଁ ବୁଝି ପାରୁନାହି ଯେ, ବୋଲର କାହିଁକି ଏହାର ଅଭିଯୋଗ କରୁ ନାହାନ୍ତି। ସେ କହିଛନ୍ତି କ୍ରିକେଟ୍ ପ୍ରଶଂସକଙ୍କୁ ଏହା ଉପରେ ରୋକ୍ ଲଗାଇବା ଉଚିତ୍। ଦ୍ଵିତୀୟ ଦିନିକିଆରେ ଗ୍ଲେନ ମ୍ୟାକ୍ସଓ୍ଵେଲ ୨୯ ବଲରୁ ୬୩ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଏହି ସମୟରେ ସେ ଅନେକ ଥର ସ୍ଵିଚ୍‌ ହିଟ୍‌ ସଟ୍ ଖେଳିଥିଲେ। ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଡିସେମ୍ବର ୨ରେ ଖେଳାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.