ଫ୍ଲାଟ୍ ଛାଡି ଆଲିଶାନ ବସ୍‌କୁ ଘର କରିଛନ୍ତି ଏହି ଦମ୍ପତି, ରହିଛି ସମସ୍ତ ପ୍ରକାରରର ସୁବିଧା

Published By : Prameya-News7 Bureau | May 13, 2024 IST

ମୁମ୍ଵାଇ ୧୩।୦୫: ଆମେରିକାର ଏକ ଦମ୍ପତି କ୍ରିସ୍‌ ଓ ହିଲାରି ଏକ ବିଳାସବହୁଳ ବସ୍‌ କିଣି ତାକୁ ନିଜର ଘର ଭାବେ ପରିବର୍ତ୍ତନ କରିଛନ୍ତି । ବସ୍‌ ମଧ୍ୟରେ ସୋଫା, ଡବଲ ବେଡ୍‌, ଦୁଇଟି ବାଥରୁମ୍‌, ରୋଷେଇ ଘର ଭଳି ସମସ୍ତ ପ୍ରକାର ସୁବିଧା ରହିଛି । ନର୍ଥ କାରୋଲିନାର ବାସିନ୍ଦା କ୍ରିସ୍‌ ଓ ହିଲାରି ଉଭୟ ଭ୍ରମଣପ୍ରିୟ । ସେମାନେ ଟିକିଏ ଫୁରସତ୍‌ ପାଇବା ମାତ୍ରେ ଆଖପାଖ ସ୍ଥାନକୁ ବୁଲିବାକୁ ବାହାରି ଯାଉଥିଲେ । ତେବେ ପ୍ରଥମ ଥର ଲାଗି ୨୦୨୦ରେ କରୋନା ମହାମାରୀ ଯୋଗୁ ସେମାନଙ୍କର ଯାତ୍ରା ବନ୍ଦ ହୋଇଗଲା। 

ପୂରା ବର୍ଷ ସେମାନେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରିଲେ ନାହଁ । ୨୦୨୧ରେ ମଧ୍ୟ ସମାନ କଥା ହେବାରୁ ସେମାନେ ବିକଳ୍ପ ଚିନ୍ତା କଲେ। ଏହାପରେ ଏକ ବିଳାସବହୁଳ ବସ୍‌ କିଣିଲେ ଦମ୍ପତି। ତାକୁ ନିଜର ମନମୁତାବକ ଡିଜାଇନ୍‌ କରାଇଲେ । ସେଥିରେ ମନଇଚ୍ଛା ବୁଲିବାକୁ ଲାଗିଲେ। ଧୀରେ ଧୀରେ ସେମାନଙ୍କୁ ବସ୍‌ ରହଣି ଖୁବ୍‌ ଭଲ ଲାଗିଲା। 

ତେଣୁ ବସ୍‌କୁ ନିଜର ଘର ଭାବେ ବ୍ୟବହାର କରିବାକୁ ଚିନ୍ତା କଲେ ସେମାନେ। ଏହାପରେ ସବୁଦିନ ଲାଗି ୱାର୍କଫ୍ରମ୍‌ ହୋମ୍‌ର ବିକଳ୍ପ ଦେଉଥିବା ଏକ କଂପାନିରେ ଯୋଗ ଦେଲେ । ପରବର୍ତ୍ତୀ ସମୟରେ ନିଜର ଫ୍ଲାଟ୍‌କୁ ବିକ୍ରି କରି ସ୍ଥାୟୀ ଭାବେ ବସ୍‌ରେ ରହିବାକୁ ଲାଗିଲେ । ସେମାନେ ନିଜର ସୁବିଧା ଅନୁସାରେ ଅଫିସ୍‌ କାମ କରନ୍ତି। ଅବଶିଷ୍ଟ ସମୟରେ ବିଭିନ୍ନ ସ୍ଥାନ ଭ୍ରମଣ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.