ଟି-୨୦ ବିଶ୍ବକପ ଫାଇନାଲ : ଓ୍ବିଲିୟମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ବିଶ୍ବବିଜୟୀ ପାଇଁ ଅଷ୍ଟ୍ରେଲିଆକୁ ବିଜୟ ଲକ୍ଷ୍ୟ...

Published By : Prameya-News7 Bureau | November 14, 2021 IST

ଦୁବାଇ ୧୪/୧୧ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ମହାକୁମ୍ଭର ଗ୍ରାଣ୍ଡ ଫାଇନାଲ​‌ରେ ମୁହାଁମୁହିଁ ହୋଇଛନ୍ତି ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୭୨ ରନ ସଂଗ୍ରହ କରିଛି ନ୍ୟୁଜିଲାଣ୍ଡ । ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବଡ ସ୍କୋର କରିବାକୁ ସକ୍ଷମ ହୋଇଛି କିଓ୍ବି ଟିମ୍‌ । କଙ୍ଗାରୁ ଟିମକୁ ବିଶ୍ବବିଜୟୀ ହେବାକୁ ହେଲେ ୧୭୩ରନ କରିବାକୁ ହେବ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଓପନର ମାର୍ଟିନ୍‌ ଗପ୍ଟିଲ ଏବଂ ଡାରିଲ ମିଚେଲ ଭଲ ଆରମ୍ଭ କରିଥିଲେ । ଗପ୍ଟିଲ ବ୍ୟକ୍ତିଗତ ଭାବେ ୩୫ ବଲରୁ ୨୮ ରନ କରି ଆଉଟ ହୋଇଥିବା ବେଳେ ମିଚେଲ ୧୧ରନ କରି ଆଉଟ ହୋଇଛନ୍ତି । ପରେ ଅଧିନାୟକ ଓ୍ବିଲିୟମସନ୍‌ ବିସ୍ଫୋରକ ବ୍ୟାଟିଂକରି ୪୮ ବଲରୁ ୧୦ ଚୌକା ଏବଂ ୩ଟି ଛକା ସହାୟତାରେ ୮୫ ରନ କରି ଆଉଟ ହୋଇଛନ୍ତି । ଗ୍ଲେନ୍‌ ଫିଲିପ୍ସ ୧୭ ବଲ ଖେଳି ଗୋଟିଏ ଲେଖାଏଁ ଛକା ଏବଂ ଚୌକା ବଳରେ ୧୮ ରନ କରି ଆଉଟ ହୋଇଛନ୍ତି । ଜେମସ୍‌ ନିଶାମ୍‌ ୧୩ ଏବଂ ଟିମ ସେଫର୍ଟ ୮ ରନ କରି ଅପରାଜିତ ଅଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର ବୋଲା ମିଚେଲ ଷ୍ଟାର୍କ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ୪ ଓଭର ବୋଲିଂ କରି ୬୦ ରନ ଦେଇ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଛନ୍ତି ଷ୍ଟାର୍କ । ଗ୍ଲେନ୍‌ ମାକ୍ସଓ୍ବେଲ ୩ ଓଭରରେ ୨୮ ରନ ଦେଇଥିବା ବେଳେ, ଜୋସ୍‌ ହେଜେଲଉଡ୍‌ ଚମତ୍କାର ବୋଲିଂକରି ୪ ଓଭରରେ ୧୬ରନ ଦେଇ ୩ ଓ୍ବିକେଟ, ପ୍ୟାଟ୍‌ କମିନ୍ସ ୪ ଓଭରରେ ୨୭ ରନ, ଆଡାମ ଜାମ୍ପା ୪ ଓଭରରେ ୨୬ରନ ୧ ଓ୍ବିକେଟ, ମିଚେଲ ମାର୍ସ ୧ ସଭରରେ ୧୧ ରନ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.