ନୂଆଦିଲ୍ଲୀ: ପୃଥିବୀର ମାଧ୍ୟାକର୍ଷଣ ବଳୟ ଭିତରେ ପ୍ରବେଶ କଲା ସୌର ଝଡ଼ । ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ସୌର ମାଡ଼ ହେବା ପରେ ଆକାଶରେ ଏକ ଅଦ୍ଭୁଦ ଦୃଶ୍ୟ ଦେଖିବାକୁ ମିଳିଛି । ଶୁକ୍ରବାର ଲେହ୍ ଆକାଶରେ ଚମତ୍କାର ଆଲୋକର ଆଭା ଆଚ୍ଛାଦିତ ହୋଇଥିଲା । ହାନ୍ଲେଠାରେ ଭାରତର ସର୍ବୋଚ୍ଚ ପର୍ଯ୍ୟବେକ୍ଷଣ ଗୃହରେ ଏହି ଦୃଶ୍ୟ କଏଦ ହୋଇଛି । ଏହି ଘଟଣା ସୂର୍ଯ୍ୟରୁ ନିର୍ଗତ ଶକ୍ତିଶାଳୀ କୋରୋନାଲ୍ ମାସ୍ ଇଜେକ୍ସନ୍ ଯୋଗୁ ଘଟିଥିଲା । ଯାହା ଗତ ଶୁକ୍ରବାର ପୃଥିବୀରେ ପହଞ୍ଚିଥିଲା । ଲେହ ଭଳି ପୂର୍ବରୁ ଆମେରିକାର ଆଲବାମା ଏବଂ ନ୍ୟୁମେକ୍ସିକୋରେ ମଧ୍ୟ ଆରୋରା ଦେଖାଯାଇଥିଲା ।
ଅକ୍ଟୋବର ୯ ତାରିଖରେ ଏକ ଢ. ୧.୮ ସୌରଜ୍ଜ୍ୱାଳାରୁ ଝଡ଼ ଉତ୍ପନ୍ନ ହୋଇଥିଲା । ଏହି ଝଡ଼ ଘଣ୍ଟା ପ୍ରତି ୧୫ ଲକ୍ଷ ମାଇଲଠୁ ଅଧିକ ବେଗରେ ଗତି କରିଥିଲା । ନ୍ୟାସ୍ନାଲ ଓସେନିକ୍ ଆଣ୍ଡ୍ ଆଟ୍ମୋସପିଅରିକ୍ ଆଡ୍ମିନିଷ୍ଟ୍ରେସନ୍ ଏହି ଭୂ-ଚୁମ୍ବକୀୟ ଝଡ଼କୁ ଜି୪ ଶ୍ରେଣୀରେ ବର୍ଗୀକୃତ କରିଥିଲା । ଏହି ସୌର ଝଡ଼ ପାୱାର ଗ୍ରୀଡ୍ ଓ ସାଟେଲାଇଟ୍ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ ବୋଲି ସ୍ପଷ୍ଟ ମଧ୍ୟ କରିଥିଲା ।
ରିପୋର୍ଟ ଅନୁସାରେ, ଏଭଳି ଝଡ଼ରୁ ସୃଷ୍ଟ ଆଲୋକ ସାଧାରଣ ତୁଳନାରେ ଅଧିକ ଦୃଶ୍ୟମାନ ହୋଇପାରେ । ସେହିପରି ଆମେରିକାର ଆଲବାମା ଓ ଉତ୍ତର କାଲିଫର୍ଣ୍ଣିଆ ପର୍ଯ୍ୟନ୍ତ ଏହା ଦେଖାଯାଇପାରେ । ଲେହ୍ରେ ଝଡ଼ରୁ ଉତ୍ପନ୍ନ ଆଲୋକର ଆଭା ରାତ୍ରି ଆକାଶରେ ଅତ୍ୟନ୍ତ ମନୋରମ ଥିଲା । ଏହି ଚମତ୍କାର ଦୃଶ୍ୟ ସତ୍ତ୍ବେ ବୈଜ୍ଞାନିକମାନେ ଏହାର ସମ୍ଭାବ୍ୟ ବିନାଶକାରୀ ବିପଦ ସମ୍ପର୍କରେ ଚେତାଇ ଦେଇଥିଲେ । ସୂର୍ଯ୍ୟ ନିଜର ଚରମ ସୌର ସ୍ଥିତିରେ ପହଞ୍ଚିବା ଦ୍ୱାରା ସୌର ଗତିବିଧି ବଢ଼ିଯାଏ । ଭୂ-ଚୁମ୍ବକୀୟ ଝଡ଼ ଏହି ଅବଧିର ଅଂଶ । ୨୦୨୫ରେ ସୌର ଗତିବିଧି ଶୀର୍ଷରେ ପହଞ୍ଚିବାର ଅନୁମାନ କରାଯାଉଛି । ଏହି ଚକ୍ର ସୌର ପ୍ରଜ୍ଜ୍ୱଳନ ଓ ସିଏମ୍ଇ ବୃଦ୍ଧିକୁ ତ୍ୱରାନ୍ୱିତ କରିଛି, ଯାହା ଆକାଶରେ ଲାଲ୍ ଆଲୋକ ସୃଷ୍ଟି କରନ୍ତି । ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହିତ ମାଡ଼ ହେବା ଦ୍ୱାରା ଏହି ଆଲୋକ ଉତ୍ପନ୍ନ ହୁଏ । ୨୦୨୫ରେ ଏକ ବଡ଼ ସୌର ଝଡ଼ ଉତ୍ପନ୍ନ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ୨୦୨୬ରେ ଦେଖାଯିବ ।