ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସାମିଲ ଔରଙ୍ଗଜେବ ଆତଙ୍କବାଦୀ ଘୋଷିତ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

Published By : Prameya-News7 Bureau | April 12, 2022 IST

ନୂଆଦିଲ୍ଲୀ ୧୨।୪: ଗତ ୨୦୧୯ ମସିହାରେ ଜମ୍ମୁକାଶ୍ମୀର ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସାମିଲ ପାକିସ୍ତାନୀ ମୋହିଉଦ୍ଦିନ ଔରଙ୍ଗଜେବ ଆଲମଗିରି ଆତଙ୍କବାଦୀ ଘୋଷିତ । ସୋମବାର ଦିନ କେନ୍ଦ୍ର ସରକାର ଔରଙ୍ଗଜେବକୁ ଆତଙ୍କବାଦୀ ଘୋଷମା କରିଛନ୍ତି । ଏହି ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ବସ୍ କୁ ଟାର୍ଗେଟ୍ କରାଯାଇଥିଲା । ଯେଉଁ ଆକ୍ରମଣରେ ୪୦ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଔରଙ୍ଗଜେବ ପୁଲଓ୍ବାମା ଆକ୍ରମଣରେ ସାମିଲ ଥିଲା । ଯିଏକି ମକତବ ଅମିର, ମୁଜାହିଦ ଭାଇ ଏବଂ ମହମ୍ମଦ ଭାଇ ନାଁରେ ଜଣାଶୁଣା ଥିଲା । ଔରଙ୍ଗଜେବ ଆତଙ୍କୀ ସଂଗଠନ ଜୈଶ୍-ଏ-ମହମ୍ମଦ ତରଫରୁ ଭାରତ ବିରୋଧୀ ଆତଙ୍କବାଦୀ ଷଡଯନ୍ତ୍ରରେ ସାମିଲ ଥିଲା । ପାକିସ୍ତାନ ନାଗରିକଙ୍କଠାରୁ ସଂଗଠନ ପାଇଁ ଚାନ୍ଦା ସଂଗ୍ରହ କରିବା କାର୍ଯ୍ୟରେ ସଂପୃକ୍ତ ଥିଲା । ଏହି ଟଙ୍କାକୁ କାଶ୍ମୀର ପର୍ଯ୍ୟନ୍ତ ପହଞ୍ଚାଉଥିଲା ।

ଔରଙ୍ଗଜେବ ଆତଙ୍କବାଦୀ ଅନୁପ୍ରବେଶକୁ ସହଜ କରିବା ଏବଂ ଜମ୍ମୁକାଶ୍ମୀରରେ ଭାରତୀୟ ସୁରକ୍ଷାବଳ ଉପରେ ଆତଙ୍କୀ ଆକ୍ରମଣରେ ସାମିଲ ଥିଲା । ଗୃହ ମନ୍ତ୍ରଣାଳୟ କହିଛି ଯେ ଔରଙ୍ଗଜେବର କାର୍ଯ୍ୟକଳାପକୁ ଧ୍ୟାନରେ ରଖି ତାକୁ ବେଆଇନ କାର୍ଯ୍ୟକଳାପ ଆଇନ ଆଧାରରେ ଆତଙ୍କବାଦୀ ରୂପେ ଘୋଷଣା କରାଯାଇଛି ।

୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଜମ୍ମୁକାଶ୍ମୀର ପୁଲଓ୍ବାମାରେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.