ସମୁଦ୍ରରେ ଚୀନକୁ ଚେକ୍ ଦେବ ମହାମେଣ୍ଟ 'ଅକସ୍', ଡ୍ରାଗନ୍ କହିଲା- ଦାୟିତ୍ୱହୀନତା

Published By : Prameya-News7 Bureau | September 17, 2021 IST

ନୂଆଦିଲ୍ଲୀ, ୧୭।୦୯ :   ଚୀନକୁ ଘେରିବାକୁ ଏକାଠି ହେଲେ ୩ ମହାଶକ୍ତି । ଅଷ୍ଟ୍ରେଲିଆ, ଆମେରିକା ଓ ବ୍ରିଟେନ୍ ଚୀନ୍‌ର ଦବଦବାକୁ ପ୍ରତିହତ କରିବା ପାଇଁ ଏକ ମହାମେଣ୍ଟ ଗଠନ କରିଛନ୍ତି । ଏହି ମେଣ୍ଟର ନିୟମାନୁସାରେ, ଆମେରିକା ଓ ବ୍ରିଟେନ୍ ଆସନ୍ତା ୧୮ ମାସରେ ଅଷ୍ଟ୍ରେଲିଆକୁ ୮ଟି ଶକ୍ତିଶାଳୀ ବୁଡାଜାହାଜ ପ୍ରଦାନ କରିବେ । ଯାହା ପରମାଣୁ ସମ୍ପନ୍ନ ଅଟେ । ଏହା ସିଧାସଳଖ ଭାବେ ଭାରତର ସୁରକ୍ଷାକୁ ମଧ୍ୟ ମଜବୁତ କରିବ । କାରଣ ଗତ କିଛି ବର୍ଷ ଧରି ଅଷ୍ଟ୍ରେଲିଆକୁ ଭାରତ ହିଁ ଅନେକ ପ୍ରସଙ୍ଗରେ ସହଯୋଗ କରିଆସିଛି ।

ଆମେରିକା, ବ୍ରିଟେନ୍ ଓ ଅଷ୍ଟ୍ରେଲିଆ ତରଫରୁ ମହାମେଣ୍ଟ ବାବଦରେ ଘୋଷଣା କରାଯାଇଛି । ଏହି ମହାମେଣ୍ଟର ନାଁ ଅକସ୍ ଦିଆଯାଇଛି । ଅଷ୍ଟ୍ରେଲିଆ ଏନେଇ ପ୍ରଥମେ ଭାରତକୁ ସୂଚନା ଦେଇଥିଲା । କୁହାଯାଉଛି ଯେ, ବୁଧବାର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ କଥା ହୋଇଥିଲେ ।  ତେବେ ଏବେସୁଦ୍ଧା ଅକସ୍ ନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି ଯେ, ଆକସ୍ ଅଷ୍ଟ୍ରେଲିଆକୁ ରଣନୀତିକ ଦୃଷ୍ଟିକୋଣରୁ ଆହୁରି ମଜବୁତ କରିବ ।ଏହା ଏସିଆନର ସଦସ୍ୟ ଦେଶ, ପ୍ରଶାନ୍ତ ସାଗରୀଦ ଦେଶକୁ ସମର୍ଥନ ଦେବ । ତେବେ ଆସନ୍ତା ୨୪ ତାରିଖରେ ଓ୍ୱାଶିଂଟନରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ମଧ୍ୟରେ ଶିଖର ସମ୍ମିଳନୀ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଥିଲେ ଯେ,ସେମାନଙ୍କ ପାଖରେ ଦେଶର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାର ସ୍ୱାଧିନତା ରହିଛି । ଏହା ସେମାନଙ୍କର ଅଧିକାର । ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରତିଯୋଗୀତା ଅଧିକ । ତେଣୁ ଏପରି ଏକ ମହାମେଣ୍ଟର ଆବଶ୍ୟକତା ପଡିଲା । ଚାଇନାର ପରମାଣୁ ଶକ୍ତି ସମ୍ପନ୍ନ ବୁଡାଜାହାଜ ଉପରେ ତୀକ୍ଷ୍ଣ ନଜର ରହିଛି ।ତେବେ ଏହି ମହାମେଣ୍ଟକୁ ନେଇ ଚୀନ୍ ଖପ୍ପା । ଚୀନ୍ କହିଛି ଯେ, ଏହା ଦାୟିତ୍ୱହୀନତାର ପରିଚୟ ଅଟେ ।  

ସୂଚନାଯୋଗ୍ୟ, ୩ ମହାଶକ୍ତି ଏକାଠି ହେବା ପରେ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଓ ଭାରତ ମହାସାଗରୀୟ କ୍ଷେତ୍ରରେ ଚୀନ୍ ପାଇଁ ଅଡୁଆ ସୃଷ୍ଟି ହେବ । ଚୀନର ଦବଦବା ଓ ମନମାନୀ ଅନେକାଂଶରେ ହ୍ରାସ ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.