'.. ଯଦି ମୋର ହେବନି ତୁମ ଚାକିରି ଖାଇଯିବି..' : ପୀଡିତାଙ୍କ ବୟାନରେ ବାବୁଙ୍କ ସଂପର୍କରେ ସଙ୍ଗୀନ ତଥ୍ୟ, କାଲିଠୁ ନିର୍ଦ୍ଦେଶକ ଫେରାର

Published By : Prameya-News7 Bureau | July 07, 2020 IST

ଭୁବନେଶ୍ୱର ୦୭।୦୭: "କାହିଁକି କେଜାଣି କିଛି ଦିନ ହେବ ତୁମେ ମତେ ଭାରି ଭଲ ଲାଗୁଛ । ଏ ବୟସରେ ବି ପୁଣି ଥରେ ତୁମକୁ ବାହା ହୋଇ ମିଶିବାକୁ ଇଚ୍ଛା ହେଉଛି । ତୁମକୁ ପାଇବା ପାଇଁ ମୁଁ କିଛି ବି କରିପାରେ । ତୁମେ ଯଦି ମୋର ହେବନି ତେବେ ତୁମ ଚାକିରି ଖାଇଯିବି, ତୁମକୁ ବରବାଦ କରିଦେବି ।' ଏହା କେଉଁ ସିନେମା ଡାଇଲଗ୍ ନୁହେଁ । ଏମିତି କହିଛନ୍ତି ଚାକିରିର ଶେଷ ସୋପାନରେ ପାଦ ଥାପିଥିବା ଜଣେ ବରିଷ୍ଠ ଓଏଏସ ଅଫିସର । ଜଣେ ୨୫ ବର୍ଷର ଯୁବତୀଙ୍କୁ ହ୍ୱାଟସ୍ଅପରେ ଏମିତି ମେସେଜ ଦେଇ ଫସିଛନ୍ତି ବରିଷ୍ଠ ଓଏଏସ୍ ଅଫିସର ବାବୁ ଜଣଙ୍କ ।

ଓଡ଼ିଶା ଆୟୁଷ ଡାଏରୋକ୍ଟୋରେଟ୍ ର ନିର୍ଦ୍ଦେଶକଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଅଫିସରେ ଜଣେ ମହିଳା କର୍ମଚାରୀଙ୍କ ମୋବାଇଲକୁ ଆପତ୍ତିଜନକ ମେସେଜ୍ କରିବା ସହ ଅଶ୍ଳୀଳ ଇଂଗିତ କରିଥିବା ମହିଳା ଥାନାରେ ଅଭିଯୋଗ କରିଛନ୍ତି ମହିଳା କର୍ମଚାରୀ ଜଣକ । ଉଭୟଙ୍କ ଭିତରେ ହୋଇଥିବା ଫୋନ୍ ରେକର୍ଡ଼ ମଧ୍ୟ ଦେଇଛନ୍ତି ମହିଳା । ଓଡ଼ିଶା ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ ଗଲା ୩ ମାସ ଧରି ଏଭଳି ନିର୍ଯ୍ୟାତନା ଦେଉଥିଲେ, ତେବେ ଚାକିରି ହରାଇବା ଭୟରେ ମୁହଁ ଖୋଲୁନଥିଲେ ପୀଡ଼ିତା । ଶେଷରେ ମହିଳା ଥାନାରେ ଏ ନେଇ ସେ ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ୧୬୧ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବା ସହ ମୋବାଇଲ୍ ମେସେଜ୍ ଓ ଭଏସ୍ କଲକୁ ପରୀକ୍ଷା ପାଇଁ ଲ୍ୟାବ ପଠାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ସେପଟେ ଘଟଣା ସମ୍ପର୍କରେ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ । ଆୟୁଷ କାର୍ଯ୍ୟାଳୟରେ ମଧ୍ୟ ତାଙ୍କର ଅନୁପସ୍ଥିତି ଅଭିଯୋଗକୁ ଅଧିକ ଜଟିଳ କରିଛି । ଜାନୁଆରୀରେ ଚାକିରିରୁ ଅବସର ନେବାକୁ ଥିବା ଶ୍ରୀ ଷଡ଼ଙ୍ଗୀ ହେଉଛନ୍ତି ଆୟୁଷର ନିର୍ଦ୍ଦେଶକ । ସେଠାରେ ଚୁକ୍ତିଭିତ୍ତିକ ଭାବେ ଦେଢ଼ ବର୍ଷ ହେବ କାର୍ଯ୍ୟ କରୁଛନ୍ତି କେନ୍ଦ୍ରାପଡ଼ାର ଜଣେ ଯୁବତୀ । ଯୁବତୀଙ୍କ ଅଭିଯୋଗ ଅନୁସାରେ ଅଫିସ୍‌ରେ ସବୁ ଠିକ୍‌ଠାକ୍‌ ଥିଲା । ଗତ ୨୮ ତାରିଖ ଦିନ ଶ୍ରୀ ଷଡଙ୍ଗୀଙ୍କ ନଜର ପଡିଥିଲା ଯୁବତୀଙ୍କ ଉପରେ । ଏହାପରେ ଶ୍ରୀ ଷଡଙ୍ଗୀଙ୍କୁ ଧରିଥିଲା ପ୍ରେମ ଜ୍ୱର । ସେ ଯୁବତୀଙ୍କ ପଛରେ ପଡ଼ି ଯାଇଥିଲେ । ତାଙ୍କୁ ହ୍ୱାଟ୍ସଆପ୍‌ରେ ପ୍ରେମ ନିବେଦନ କରିବା ସହ ଅଶ୍ଳୀଳ ମେସେଜ୍ ଓ ଭିଡିଓ ପଠାଉ ଥିଲେ । ଯୁବତୀ ଏହାର ଉତ୍ତର ନଦେଲେ ଅଫିସରେ ତାଙ୍କୁ ବିଭିନ୍ନ ପ୍ରକାର ଗାଳି କରୁଥିଲେ । ଯୁବତୀ କିଛି ବାଟ ନ ପାଇ ବାଧ୍ୟ ହୋଇ ଶ୍ରୀ ଷଡଙ୍ଗୀଙ୍କ ନମ୍ବରକୁ ହ୍ୱାଟ୍ସଆପ୍‌ ବ୍ଲକ୍ କରି ଦେଇଥିଲେ । ଏହାପରେ ଶ୍ରୀ ଷଡଙ୍ଗୀ ତାଙ୍କୁ ଫୋନ୍ କରି ଅଶ୍ଳୀଳ କଥା କହିଥିଲେ । ଯାହାର ରେକର୍ଡିଂ ଯୁବତୀ ପୁଲିସ୍‌କୁ ଦେଇଛନ୍ତି । ପୁଲିସକୁ ଦିଆଯାଇଥିବା ଉକ୍ତ ରେକର୍ଡିଂରେ ଜଣେ ପୁରୁଷଙ୍କ ଭଏସ ରହିଛି ।

wp:core-embed/wordpress {"url":"http://www.prameyanews7.com/audio-call-of-oas-officer-viral-in-social-media/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/audio-call-of-oas-officer-viral-in-social-media/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.