ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କ ବଢିଲା କାର୍ଯ୍ୟକାଳ, ୨୦୧୭ରେ ପାଇଥିଲେ ନିଯୁକ୍ତି

Published By : Prameya-News7 Bureau | June 29, 2022 IST

ନୂଆଦିଲ୍ଲୀ: ଭାରତର ଆଟର୍ଣ୍ଣି ଜେନେରାଲ ଭାବେ  ବରିଷ୍ଠ ଆଇନଜୀବୀ କେକେ ବେଣୁଗୋପାଳଙ୍କ କାର୍ଯ୍ୟକାଳ ବୃଦ୍ଧି ଘଟିଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ତାଙ୍କର କାର୍ଯ୍ୟକାଳ ଜୁନ ୩୦ରେ ସରୁଥିଲା।

ସୂଚନା ଅନୁଯାୟୀ, ବେଣୁଗୋପାଳ ବ୍ୟକ୍ତିଗତ କାରଣରୁ ଆଟର୍ଣ୍ଣି ଜେନେରାଲ ପରି ସାମ୍ବିଧାନିକ ପଦରେ ରହିବାକୁ ଚାହୁଁନଥିଲେ। ହେଲେ କେନ୍ଦ୍ର ସରକାରଙ୍କ ଅନୁରୋଧକ୍ରମେ ଆଉ ତିନି ମାସ ପାଇଁ ଭାରତର ସର୍ବୋଚ୍ଚ ଆଇନ ଅଧିକାରୀ ପଦରେ କାମ କରିବାକୁ ସହମତି ପ୍ରକାଶ କରିଛନ୍ତି।

୯୧ ବର୍ଷୀୟ ବେଣୁଗୋପାଳଙ୍କୁ ୨୦୧୭ରେ ରାଷ୍ଟ୍ରପତି ଦେଶର ଆଟର୍ଣ୍ଣି ଜେନେରାଲ ପଦରେ ନିଯୁକ୍ତ କରିଥିଲେ। ସେ ମୁକୁଲ ରୋହତଗିଙ୍କ ସ୍ଥାନ ନେଇଥିଲେ।  ଏବେ ବେଣୁଗୋପାଳଙ୍କୁ ପୁନର୍ବାର ଏହି ପଦରେ ନିଯୁକ୍ତି ଦିଆଯାଇଛି।

ସୁପ୍ରିମକୋର୍ଟର ପ୍ରଖ୍ୟାତ ଆଇନଜୀବୀ କେକେ ବେଣୁଗୋପାଳ ସାମ୍ବିଧାନିକ ଏବଂ କର୍ପୋରେଟ୍ ଆଇନ ସଂପର୍କିତ ଗୁରୁତ୍ଵପୂର୍ଣ୍ଣ ମାମଲା ଲଢିଛନ୍ତି। ସେ ୧୯୭୯ ଏବଂ ୧୯୮୦ରେ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ପଦରେ କାମ କରି ସାରିଛନ୍ତି। ତାଙ୍କୁ ୨୦୦୨ରେ ପଦ୍ମଭୂଷଣ ଏବଂ ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.