ଶ୍ରୀମନ୍ଦିରକୁ ମ୍ୟୁଜିୟମରେ ପରିଣତ କରିବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
Published By : Prameya-News7 Bureau | September 28, 2018 IST
ପୁରୀ ୨୮/୯ : ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବାକୁ ଥିବା ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରାଯାଇଛି। ଭିଆଇପି ଓ ଭିଭିଆଇପିଙ୍କ ଟିକେଟ୍ ଦର୍ଶନ ବ୍ୟବସ୍ଥା ନହେଉ। ଶ୍ରୀମନ୍ଦିରକୁ ମ୍ୟୁଜିୟମରେ ପରିଣତ କରିବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ମଧ୍ୟ ଦାବୀ ହୋଇଛି। ରିପୋର୍ଟକୁ RTI Act ପରିସରଭୁକ୍ତ କରିବାକୁ ମଧ୍ୟ ସେନା ଦାବୀ କରିଛି। ଦେଶର ଚାରିଧାମରେ ଟିକେଟ କିମ୍ୱା ଧାଡ଼ି ଦର୍ଶନ ବ୍ୟବସ୍ଥା ନଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଶ୍ରୀମନ୍ଦିରରେ ଏହାକୁ ଲାଗୁ କରିବା ପାଇଁ କାହିଁକି ଉଦ୍ୟମ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛି ସେନା। ଶ୍ରୀମନ୍ଦିରର ଧାର୍ମିକ ବ୍ୟବସ୍ଥାରେ ମାନ୍ୟବର ସୁପ୍ରିମକୋର୍ଟ ହସ୍ତକ୍ଷେପ ନକରିବାକୁ ଅନୁରୋଧ କରାଯାଇଛି। ୯ ଦଫା ଦାବୀ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ବିକ୍ଷୋଭ କରାଯାଇଛି। ଅନ୍ୟପଟେ ଧାଡ଼ି ଦର୍ଶନ ଦ୍ୱାରା ଭକ୍ତ ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ। ତେଣୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରାକର ଏବଂ ଶ୍ରୀମନ୍ଦିର ପ୍ରଶାସନ ବିକଳ୍ପ ଚିନ୍ତା କରନ୍ତୁ ବୋଲି ବରିଷ୍ଠ ସେବାୟତ ମାନେ କହିଛନ୍ତି।