ମାହାଙ୍ଗା, ୨୦/୦୩: ଗାଁ'ରେ ଶୋକାକୂଳ ପରିବେଶ । କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁସହ ସଂଗ୍ରାମ କରି ହାରିଯାଇଥିବା ଜଣେ ଯୁବକର ଶବ ଫେରିଛି ଗାଁ'କୁ । ଏତଲା ମୁତାବକ ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ବେଗୁନିଆପଦା ଗାଁର ଧୀରେନ୍ଦ୍ର ଦାସ, ବୀରେନ୍ଦ୍ର ଦାସ ଏବଂ ତାଙ୍କ ସମ୍ପର୍କୀୟ ଅର୍ଜ୍ଜୁନ ଦାସଙ୍କ ସହ ପରିବାରର ଅନ୍ୟ ମହିଳା ମାନେ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଦ୍ୱାରା ମୃତ୍ୟୁଞ୍ଜୟ ଓରଫ ମଣ୍ଟୁ ନାମକ ଜଣେ ଯୁବକକୁ ଆକ୍ରମଣ କରିବାରୁ, ସେ ରକ୍ତାକ୍ତ ହୋଇପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ହୋଇପଡିଥିବା ମଣ୍ଟୁକୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା ।
ଘଟଣା ମୁତାବକ ମଣ୍ଟୁଙ୍କ ଦୋକାନ ଘରୁ ଚୋରି ହେବା ନେଇ ସେ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ କୁଆଡେ ପଚରାଉଚରା କରିବାକୁ ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଧୀରେନ୍ଦ୍ର, ବୀରେନ୍ଦ୍ର ଓ ଅର୍ଜ୍ଜୁନି ଦାସଙ୍କ ସହ ସେମାନଙ୍କ ପରିବାର ଲୋକେ ମଣ୍ଟୁ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ଫାଣ୍ଡିରେ ଗତ ଗୁରୁବାର ଦିନ ଅଭିଯୋଗ କରାଯାଇଥିଲା । ଅଭିଯୁକ୍ତମାନେ ସେହି ଦିନଠାରୁ ଫେରାର ଅଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ମେଡ଼ିକାଲରେ ମଣ୍ଟୁର ମୃତ୍ୟୁ ହେବା ସୂଚନା ମିଳିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି । ଆଜି ହତ୍ୟାର ଶୀକାର ମଣ୍ଟୁର ଶବ ବ୍ୟବଚ୍ଛେଦ ପରେ ଗାଁ'କୁ ଫେରିଛି । ପୋଲିସ ହତ୍ୟାକାରୀ ମାନଙ୍କ ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୀଡିତ ପରିବାରଙ୍କ ସହ ସ୍ଥାନୀୟ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି ।