ଅଷ୍ଟ୍ରେଲିଆରେ ମନ୍ଦିର ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଲେ ମୋଦୀ, ସୁରକ୍ଷା ପ୍ରତିଶ୍ରୁତି ଦେଲେ ଆଲବାନିଜ୍
10/03/2023 at 4:18 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ନିଜ ଅଷ୍ଟ୍ରେଲିଆ ସମକକ୍ଷଙ୍କ ସାମନାରେ ଖୋଲା ମଞ୍ଚରେ ତାଙ୍କ ଦେଶରେ ଘଟୁଥିବା ମନ୍ଦିର ଭଙ୍ଗାରୁଜା ପ୍ରସଙ୍ଗ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜଙ୍କ ସହ ଆଲୋଚନା ପରେ ସାମ୍ୱାଦିକଙ୍କ ସମ୍ୱୋଧିତ କରି ପିଏମ ମୋଦୀ କହିଛନ୍ତି ଯେ ଅଷ୍ଟ୍ରେଲିଆରେ ମନ୍ଦିର ଉପରେ ଆକ୍ରମଣର ଖବର ନିୟମିତ ରୂପେ ଆସୁଛି । ସ୍ୱଭାବିକ ଯେ ଏପରି ଖବରକୁ ନେଇ ଭାରତରେ ସମସ୍ତେ ଚିନ୍ତିତ ଅଛନ୍ତି ଏବଂ ଆମ ମନକୁ ଏହା ବ୍ୟଥିତ କରାଉଛି । ପିଏମ କହିଛନ୍ତି, ‘ଏହି ଭାବନା ଏବଂ ଚିନ୍ତା ବିଷୟରେ ପ୍ରଧାନମନ୍ତ୍ରୀ ଅଲବାନିଜଙ୍କୁ ଅବଗତ କରାଇଛି । ଭାରତୀୟ ସମୁଦାୟର ସୁରକ୍ଷା ତାଙ୍କ ପାଇଁ ପ୍ରାଥମିକତା ଥିବା ସେ କହିଛନ୍ତି’ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ବିଷୟ`ଉପରେ ଦୁଇ ଦେଶ ନିୟମିତ ରୂପେ ଯୋଗାଯୋଗରେ ରହିବେ ଏବଂ ଯଥାସମ୍ଭବ ସହଯୋଗ କରିବେ । ନିଜ ଅଷ୍ଟ୍ରେଲିଆ ସମକକ୍ଷଙ୍କ ସହ ଇଣ୍ଡୋ-ପେସିପିକ୍ କ୍ଷେତ୍ରରେ ସମୁଦ୍ର ସୁରକ୍ଷା ଏବଂ ପରସ୍ପର ପ୍ରତି ସୁରକ୍ଷା ସହଯୋଗ ବଢାଇବା ଉପରେ ଚର୍ଚ୍ଚା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଉଭୟ ପକ୍ଷ ଏକ ବ୍ୟାପକ ଆର୍ଥିକ ବୁଝାମଣା ଉପରେ କାମ କରୁଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆମେ ଗତ କିଛି ବର୍ଷରେ ଉଲ୍ଲେଖନୀୟ ଚୁକ୍ତି ସ୍ୱାକ୍ଷର କରିଛୁ । ଏଥିରେ ପରସ୍ପରର ସେନା ପାଇଁ ଅସ୍ତ୍ରଶସ୍ତ୍ର ସହଯୋଗ ସାମିଲ ରହିଛି ।
ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବନିଜ୍ ଏହି ସମୟରେ କହିଥିଲେ ଯେ ଆଜି ପିଏମ ମୋଦୀଙ୍କ ସହ ମହତ୍ୱାକାଂକ୍ଷୀ ବ୍ୟାପକ ଆର୍ଥିକ ସହଯୋଗ ବୁଝାମଣାକୁ ଶୀଘ୍ର ପୂରଣ କରିବା ଉପରେ ସହମତି ପ୍ରକାଶ ପାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଚୂଡାନ୍ତ ରୂପ ଦେବାରେ ଆମେ ସକ୍ଷମ ହେବୁ । ମାଲାବାର ଅଭ୍ୟାସ ଉପରେ ମଧ୍ୟ ଚର୍ଚ୍ଚା କରିଛୁ, ଯାହାର ଆୟୋଜନ ଚଳିତ ଥର ଅଷ୍ଟ୍ରେଲିଆ କରୁଛି ।