ଆମ୍ବ ତୋଳାକୁ ନେଇ ଆକ୍ରମଣ, ୫ବର୍ଷର ଶିଶୁ ଓ ମହିଳାଙ୍କ ସମେତ ୪ଜଣ ଗୁରୁତର

Published By : Prameya-News7 Bureau | June 12, 2022 IST

ଢେଙ୍କାନାଳ, ୧୨/୦୬: ଆମ୍ବ ତୋଳାକୁ ସଂଘବଦ୍ଧ ଆକ୍ରମଣ । ଏହି ଆକ୍ରମଣରେ ଜଣେ ୫ବର୍ଷର ଶିଶୁ ଓ ମହିଳାଙ୍କ ସମେତ ୪ଜଣ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାଙ୍କୁଆଳ ଗ୍ରାମରେ ଏପରି ଅଭାବନୀୟ କାଣ୍ଡ ଘଟିଛି । ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗୁରୁତରମାନେ ବାଙ୍କୁ ଆଲ ଗ୍ରାମର ଲୋକନାଥ ବିଶ୍ୱାଳ, ତାଙ୍କ ପତ୍ନୀ ବାସନ୍ତୀ ବିଶ୍ୱାଳ, ପୁଅ ରାଜା ବିଶ୍ୱାଳ ଓ ୫ବର୍ଷର ନାତି କରଣ ବିଶ୍ୱାଳ ବୋଲି ଜଣାପଡିଛି । ଲୋକନାଥ ବିଶ୍ୱାଳ ଓ ତାଙ୍କ ସମ୍ପର୍କୀୟ ଭାଇ ବସନ୍ତ ବିଶ୍ୱାଳଙ୍କର ଜମିଜମାକୁ ନେଇ ପୂର୍ବରୁ ବିବାଦ ରହିଥିଲା । ତେବେ ଉଭୟଙ୍କର କୋଠରେ ଥିବା ଏକ ଆମ୍ବ ଗଛରୁ ଆଜି ରାଜା ବିଶ୍ୱାଳ ଆମ୍ବ ତୋଳିବାକୁ ନେଇ ପାଟିତୁଣ୍ଡରୁ ହାତାହାତି ହୋଇଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ବସନ୍ତ ବିଶ୍ୱାଳ ଓ ତାଙ୍କ ସମର୍ଥକମାନେ ଲୋକନାଥଙ୍କ ଘରେ ପଶି ଆକ୍ରମଣ କରିଥିବା ସହ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.