ପୁଣି କାଶ୍ମୀରୀ ପଣ୍ଡିତଙ୍କ ଆସ୍ଥା ଉପରେ ପ୍ରହାର, ବରଘଶିଖା ଭବାନୀ ମନ୍ଦିର ଉପରେ ହମଲା

Published By : Prameya-News7 Bureau | October 02, 2021 IST

ଶ୍ରୀନଗର ୦୨।୧୦: ଜାମ୍ମୁ-କାଶ୍ମୀରରେ ଉପଦ୍ରବୀ ପୁଣି ଥରେ କାଶ୍ମୀର ପଣ୍ଡିତଙ୍କ ଆସ୍ଥା ଉପରେ ପ୍ରହାର କରିଛନ୍ତି। ଅନନ୍ତନାଗରେ ଶନିବାର ବରଘଶେଖା ଭବାନୀ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଏହି ସମୟରେ ମନ୍ଦିରର ଭଙ୍ଗାରୁଜା କରାଯାଇଛି।  ପୋଲିସ ଏହି ମାମଲାର କେସ୍ ରୁଜୁ କରିବା ସହ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି।

ବରଘଶେଖା ଭବାନୀ ମନ୍ଦିର କାଶ୍ମୀର ଘାଟିର ଅନନ୍ତନାଗ ଜିଲ୍ଲାରେ ମଟ୍ଟନ ପାହାରେ ଅବସ୍ଥିତ। କାଶ୍ମୀରୀ ପଣ୍ଡିତଙ୍କ ପାଇଁ ଏହି ମନ୍ଦିର ହେଉଛି ଆସ୍ଥାର କେନ୍ଦ୍ର। ବରଘଶିଖା ମନ୍ଦିର ଉପରେ ଏମିତି ସମୟରେ ହମଲା ହୋଇଛି, ଯେଉଁ ସମୟରେ ସରକାର ଘାଟିରେ ପଣ୍ଡିତଙ୍କ ପ୍ରତ୍ୟାବର୍ତ୍ତନ ଉଦ୍ୟମରେ ଜୁଟି ଯାଇଛନ୍ତି।

ଜାମ୍ମୁ-କାଶ୍ମୀର ପୋଲିସ ଘଟଣା ବିଷୟରେ କହିଛନ୍ତି, ବିଶ୍ଵସନୀୟ ସୂଚନା ଆଧାରରେ ମଟ୍ଟନ ପାହାଡ ଉପରେ ସ୍ଥିତ ବରଘଶେଖା ଭବାନୀ ମନ୍ଦିରରେ କିଛି ଉପଦବ୍ରୀ ଭଙ୍ଗାରୁଜା କରିଛନ୍ତି। କେସ୍ ରୁଜୁ କରାଯିବା ସହ ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯାଇଛି।

ଏହାର ସୂଚନା ମିଳିବା ମାତ୍ରେ ପୋଲିସ ଏବଂ ପ୍ରଶାସନର  ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଅନନ୍ତନାଗ ଡିସିପି ପିୟୂଷ ସିଙ୍ଗଲା କହିଛନ୍ତି, ଦୋଷୀଙ୍କୁ ସଜା ମିଳିବ ଏବଂ କାହାରିକୁ ମଧ୍ୟ ସାମାଜିକ ସଦଭାବ ବିଗାଡିବାର ଅନୁମତି ଦିଆଯିବ ନାହିଁ। ଏହି ଧରଣର ହୀନ କାର୍ଯ୍ୟକୁ ବରଦାସ୍ତ କରାଯାଇ ପାରିବ ନାହିଁ। ଦୋଷୀଙ୍କୁ ଆଇନ ସମ୍ବନ୍ଧିତ ଧାରା ଅନୁସାରେ ଦଣ୍ଡିତ କରାଯିବ।

ନ୍ୟାସନାଲ କନଫରେନ୍ସର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଘଟଣାର ନିନ୍ଦା କରିଛନ୍ତି। ସେ କହିଛନ୍ତି ଏହା ଅସ୍ଵୀକାର୍ଯ୍ୟ। ଏହି ପରି ଭଙ୍ଗାରୁଜା ଘଟଣାର ମୁଁ କଡା  ନିନ୍ଦା କରୁଛି। ପ୍ରଶାସନ  ବିଶେଷ କରି ଜାମ୍ମୁ-କାଶ୍ମୀର ପୋଲିସକୁ ଅପିଲ୍ କରୁଛି ଯେ, ଦୋଷୀଙ୍କୁ ଚିହ୍ନଟ କରି କଠୋର ଦଣ୍ଡରେ ଦଣ୍ଡିତ କରନ୍ତୁ। ପିଡିପି ନେତା ନଇମ ଅଖତର ମଧ୍ୟ ଏହି ଘଟଣାର ନିନ୍ଦା କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.