କବାଟ ଭାଙ୍ଗି ମାଡ ଖାଇଲେ ପୁଲିସ୍: ଗାଁରେ ଜାରି ହେଲା ୧୪୪ ଧାରା

Published By : Prameya-News7 Bureau | August 31, 2020 IST

ବାଂଶପାଳ୩୧/୮: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କାଦକଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। କାଦକଳା ଗ୍ରାମର ଏକ ପରିବାରରେ ଗଣ୍ଡଗୋଳ ଖବର ପାଇ ନୟାକୋଟ ପୋଲିସ ଏସଆଇ ସିଲୁ ମଲ୍ଲିକଙ୍କ ସମେତ ୭/୮ ଜଣ କନେଷ୍ଟବଳ ଏବଂ ହୋମଗାର୍ଡ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ସେହି ଗ୍ରାମର  ସୁସମା ଦେହୁରୀ ନାମକ ଜଣେ ମହିଳା ଘରେ ଶୋଇଥିବା ବେଳେ ତାଙ୍କ ଘରର କବାଟ ପୋଲିସ୍ ଭାଙ୍ଗି ଦେଇଥିଲା।

ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ଗ୍ରାମର ଓ୍ୱାର୍ଡ ମେମ୍ୱର ନିକଟରେ ଅଭିଯୋଗ କରିଥିଲେ। ଏହି ଖବର ଜଣାଇବା ପରେ ଓ୍ୱାର୍ଡ ମେମ୍ୱର ବୈଦେହୀ ଦଣ୍ଡୁଆସି ଏବଂ ତାଙ୍କ ସ୍ୱାମୀ ଲକ୍ଷ୍ମଣ ଦଣ୍ଡୁ ଆସି ପୋଲିସ ସହିତ ବୁଝାମଣା କରିବାକୁ ଆସିଥିବା ବେଳେ ନୟାକୋଟ ଥାନା ଏସଆଇ ଓ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହି ଖବର ଗ୍ରାମରେ ପ୍ରଘଟ ହୋଇଯିବା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଏସଆଇ ସିଲ୍ଲୁ ମଲ୍ଲିକ ଏବଂ କର୍ମଚାରୀମାନଙ୍କୁ ଆକ୍ରମଣ କରିବା ସହ ପଥର ମାରି ପୋଲିସ ଗାଡିର ଝରକା କାଚ ଭାଙ୍ଗି ଦେଇଥିଲେ। ଉତ୍ତେଜନା ବଢିବାରୁ ପୁଲିସ୍‌ କର୍ମଚାରୀମାନେ ପଡିଆ ଭିତର ଦେଇ ଗାଡିକୁ ନେଇ ଦ୍ରୁତଗତିରେ ପଳେଇ ଯାଇଥିଲେ।

ଆଜି ଉକ୍ତ ଘଟଣାରେ ସଦର ଏସଡିପିଓ ପ୍ରକାଶ ଜେମସ୍ ଟପୋ,ତହସିଲଦାର ସପନକୁମାର ସାହୁ,ଆଇଆଇସି ବିଦେଶୀ ବାଗ ଓ ଏକ ପ୍ଲାଟୁନ ଫୋର୍ସ ଯାଇ କାଦକଳା ଗ୍ରାମରେ ଚଢଉ କରିଥିଲେ। ୧୪୪ ଧାରା ଲାଗୁହେବା ଜାଣି ପାରି ଗ୍ରାମ ପୁରୁଷ ଶୁନ୍ୟ ହୋଇ ଯାଇଥିଲା। ତେବେ ସଦର ଏସଡିପିଓ ପ୍ରକାଶ ଜେମ୍ସ ଟପୋ କବାଟ ଭାଙ୍ଗିବା ଓ ପୋଲିସ ଓ୍ୱାର୍ଡ ମେମ୍ୱରଙ୍କୁ ମାଡ ମାରିବା ଅସ୍ୱିକାର କରିଛନ୍ତି। ତେବେ ଏହି ଘଟଣାରେ ନୟାକୋଟ ପୋଲିସ ପକ୍ଷରୁ କାହାରିକୁ ଗିରଫ କରିନଥିବା ଜଣାପଡିଛି.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.