ମାତୃଶ ଏଣ୍ଟର ପ୍ରାଇଜେସ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ, ବ୍ୟାଙ୍କ ସମ୍ମୁଖରୁ ୧୫ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ
9/01/2023 at 6:40 PM

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଲୁଟ୍। ମାତୃଶ ଏଣ୍ଟର ପ୍ରାଇଜେସ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ କରି ବ୍ୟାଙ୍କ ସମ୍ମୁଖରେ ୧୫ ଲକ୍ଷ ଟଙ୍କା ଲୁଟି ନେଲେ ୪ଦୁର୍ବୁତ୍ତ।
ସୂଚନା ଅନୁଯାୟୀ, ମ୍ୟାନେଜର ଜଣକ ହେଉଛନ୍ତି କୁନ୍ଦନଦେଇପୁର କାଟେଣୀ ଗ୍ରାମର ଜୟନ୍ତ କୁମାର ଆଚାର୍ଯ୍ୟ। ସେ ଭାଲୁମୁଣ୍ଡା ସ୍ଥିତ ମାତୃଶ ଏଣ୍ଟେର ପ୍ରାଇଜେସ୍ରେ ଦୀର୍ଘ ୭ବର୍ଷ ହେବ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ତେବେ ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସେ ବ୍ୟାଙ୍କକୁ ଏକ ପିକଅପ ଭ୍ୟାନରେ ଟଙ୍କା ଜମା କରିବାକୁ ଯାଇଥିବା ବେଳେ, ଚାରି ଜଣ ଦୁର୍ବୁତ୍ତ ଦୁଇଟି ବାଇକରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଧାରୁଆ ଅସ୍ତ୍ର ଓ କ୍ରିକେଟ ବ୍ୟାଟରେ ମରଣାନ୍ତକ ଆକ୍ରମଣ କରିବା ସହ, ତାଙ୍କ ପାଖରେ ଥିବା ନଗଦ ୧୫ ଲକ୍ଷ ଟଙ୍କାର ବ୍ୟାଗଟି ଲୁଟି ନେଇ ଫେରାର ହୋଇଯାଇଛନ୍ତି।
ସେପଟେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ, ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି। ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳକୁ ଯାଇ ସିସି ଟିଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।