ଭୁବନେଶ୍ୱର ୧୧/୧୦: ସହିଦନଗର ଥାନା ଅନ୍ତର୍ଗତ ପଥରବନ୍ଧ ବସ୍ତିରେ ଦୁର୍ବୃତ୍ତମାନେ ଜଣେ ଡେଲିଭରି ବୟଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ଜିନିଷ ଲୁଟି ନେଇଛନ୍ତି । ଏନେଇ ଡେଲିଭରି ବୟ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଥାନାରେ ଏତଲା ଦେଇଛନ୍ତି । ପୋଲିସ୍ ମାମଲା ରୁଜୁ କରି ଆରମ୍ଭ କରିଛି ତନାଘନା ।
ମିଳିଥିବା ସୂଚନା ମୁତାବକ, ପଥରବନ୍ଧ ବସ୍ତିରେ କାର୍ତ୍ତିକ ନାୟକ ଓ ବୁନୁ ଦାସଙ୍କ ପରିବାର ଦୀର୍ଘ ବର୍ଷ ହେବ ରହି ଆସୁଛନ୍ତି। ଉଭୟ ପରିବାର ମଧ୍ୟରେ ବହୁ ଦିନରୁ ତିକ୍ତତା ଲାଗି ରହିଛି । ଶନିବାର କୌଣସି କଥାକୁ ନେଇ ଦୁଇ ପରିବାର ମଧ୍ୟରେ ପୁଣି ଥରେ ଗଣ୍ଡଗୋଳ ହୋଇଥିଲା। କାର୍ତ୍ତିକଙ୍କ ପୁଅ ଦୀପକ ଉତ୍ତ୍ୟକ୍ତ ହୋଇ ବୁନୁଙ୍କ ଭାଇ ତଥା ଉକ୍ତ ୱାର୍ଡର ସଭାପତି ଭାବେ କାର୍ଯ୍ୟ କରୁଥିବା ବୁଲୁ କୁମାରଙ୍କ ମୁଣ୍ଡକୁ ଏକ ଲୁହା ରଡ୍ରେ ଆକ୍ରମଣ କରିଥିଲା । ଫଳରେ ବୁଲୁଙ୍କ ମୁଣ୍ଡ ଫାଠିଯିବା ସହ ସେ ରକ୍ତାକ୍ତ ହୋଇ ଯାଇଥିଲେ।
ଏହି ଗଣ୍ଡଗୋଳ ବେଳେ ସ୍ଥାନୀୟ ଅଞ୍ଚଳର କୌଣସି ଜଣେ ବ୍ୟକ୍ତିଙ୍କ ପାଇଁ ଅନଲାଇନ୍ ଅର୍ଡର ଜିନିଷ ଡେଲିଭରି କରିବାକୁ ସେଠାରେ ପହଞ୍ଚି ଥିଲେ ପୂର୍ଣ୍ଣଚନ୍ଦ୍ର । ହଠାତ ତାଙ୍କୁ ଆକ୍ରମଣ କରି ଗଣ୍ଡଗୋଳ କରୁଥିବା ଲୋକମାନେ ଜିନିଷ ଲୁଟି ନେଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।