ସମସ୍ୟା ସମାଧାନ ପାଇଁ ରାଇସ ମିଲ ଭିତରେ ଆତ୍ମହୂତି ଉଦ୍ୟମ କଲେ ବ୍ୟକ୍ତି, ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | December 12, 2022 IST

ସମ୍ୱଲପୁର, ୧୨/୧୨: ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଦୌଡ଼ି ଦୌଡ଼ି ଶେଷରେ ନୟାନ୍ତ ହୋଇ ଆତ୍ମହୁତି ଉଦ୍ୟମ କଲେ ବ୍ୟକ୍ତି । ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା କଳାମାଟି ପଞ୍ଚାୟତ କର୍ଣ୍ଣପାଲି ଗ୍ରାମରେ ଏପରି ଅଘଟଣ ଘଟିଛି । ଦୀର୍ଘଦିନ ଧରି ଅଞ୍ଚଳରେ ଥିବା ଏକ ରାଇସମିଲରୁ ବାହାରୁଥିବା ଡଷ୍ଟ ଓ ଆବର୍ଜନା ଯୋଗୁଁ ନିଜ ପରିବାର ଓ ସ୍ଥାନୀୟ ଲୋକଙ୍କ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଛି ।

ତେଣୁ ସେ ଏହାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ବର୍ଷ ଧରି ଅନୁରୋଧ କରୁଥିଲେ । ହେଲେ ଏହାର କୌଣସି ପ୍ରକାର ସ୍ଥାୟୀ ସମାଧାନ ନହେବାରୁ ଅନ୍ୟ ବିକଳ୍ପ ନପାଇ ଶେଷରେ ଆତ୍ମହୂତି ଉଦ୍ୟମ କରିଛନ୍ତି । ବ୍ୟକ୍ତି ଜଣଙ୍କ ହେଲେ ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା କଳାମାଟି ପଞ୍ଚାୟତ କର୍ଣ୍ଣପାଲି ଗ୍ରାମର ୪୬ ବର୍ଷୀୟ ଗୁଣମଣି ଅମାତ ।

ଆଜି ଅପରାହ୍ନ ୧ଟା ସମୟରେ ଗୁଣମଣି ନିଜ ଘର ପାଖରେ ଥିବା ରାଇସ ମିଲକୁ ଆଲୋଚନା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ତା ସହିତ କୌଣସି ପ୍ରକାର ଆଲୋଚନା ହୋଇନଥିବା ବେଳେ ଓଲଟା ତାକୁ ମିଲ ମାଲିକ ଏଠୁ ଯିବା ପାଇଁ କହିଥିଲେ । ଅନ୍ୟପଟେ ଗୁଣମଣି ମଧ୍ୟ ଅନ୍ୟ କୌଣସି ଉପାୟ ନପାଇ ଶେଷରେ ସେହି ରାଇସ ମିଲ ଭିତରେ ହିଁ କିରୋସିନ ଢାଳି ଆତ୍ମହୂତି ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ଗୁଣମଣିକୁ ବୁର୍ଲା ଭୀମସାରକୁ ଆଣି ଚିକିତ୍ସା କରାଯାଇଛି । ଗୁଣମଣିର ପ୍ରାୟ ୭୦ ପ୍ରତିଶତ ପୋଡି ଯାଇଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.