ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ; ଝିଅର ହତ୍ୟା ପରଠୁ ରହୁଥିଲେ ଏକା ଏକା
28/01/2023 at 3:02 PM

ବରଗଡ଼ ୨୮/୦୧: ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ। ବରଗଡ଼ ଜିଲ୍ଲା ଭଟଲି ଥାନା ଭଡିଗାଁରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭଟଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଖବର ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ରଘୁ ଭୁଏ(୫୦) ଓ ତାଙ୍କ ସ୍ତ୍ରୀ ପ୍ରତିଷ୍ଠା ଭୁଏ (୪୫) ବେକରେ ଦଉଡ଼ିରେ ଫାସି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପରେ ଶନିବାର ସକାଳେ ସ୍ଥାନୀୟ ଲୋକମାନେ ଭଟଲି ପୋଲିସକୁ ଏନେଇ ଖବର ଦେଇଥିଲେ। ଏହା ଜାଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ସୂଚନାଥାଉକି, ୨୦୨୨ ଡିସେମ୍ବର ୨ରେ ମୃତ ଦମ୍ପତିଙ୍କ ଏକମାତ୍ର ଝିଅ ସଶ୍ମିତାକୁ ସେହି ଗାଁର ଅଜିତ ବରିହା ନାମକ ଜଣେ ଯୁବକ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିଲା। ଏକମାତ୍ର ଝିଅକୁ ହରାଇ ମାନସିକ ମାନସିକ ଭାରସାମ୍ୟ ହରାଇ ବସିଥିଲେ ସସ୍ମିତାଙ୍କ ମା ବାପା। ଝିଅ ଚାଲି ଯିବାର ଦୁଃଖ ସହି ନପାରି ଘଟଣାର ୫୭ ଦିନ ପରେ ଘର ଭିତରେ ଝୁଲିପଡ଼ିଲେ ଦମ୍ପତି। ଏଭଳି ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଦମ୍ପତିଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଠଛି ।
ମା,ବାପା ଓ ଝିଅ ତିନିପ୍ରାଣୀଙ୍କୁ ନେଇ ଗଢ଼ି ଉଠିଥିଲା ସୁନାର ସଂସାର। ନିଜ କର୍ମଠ ଝିଅ ସସ୍ମିତାକୁ ନେଇ ମା ବାପା ଦେଖିଥିଲେ ଅନେକ ସ୍ୱପ୍ନ। ଝିଅ ବାହାଘର ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ ମୃତ ଦମ୍ପତି। ହେଲେ ହଠାତ ଏହି ସମୟରେ ଦୁଃଖର କଳାବାଦଲ ଘୋଟି ଆସିଲା। କୌଣସି କାରଣକୁ ନେଇ ସସ୍ମିତାକୁ ଅଜିତ ବରିହା ହତ୍ୟା କରିଥିଲା। ନିଜ ଅଲିଅଳ ଝିଅକୁ ହରାଇ ମାନସିକ ଚାପଗ୍ରସ୍ତରେ ରହି ଶେଷରେ ବେକରେ ରଶି ଦେଇ ଘର ଭିତରେ ଝୁଲିପଡିଲେ ଦମ୍ପତି। ପ୍ରଥମେ ଝିଅ ପରେ ମା ବାପା ଚାଲିଯିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏବେ ଜେଲ୍ରେ ଥିବା ସସ୍ମିତାର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।