ATM ଲୁଟ୍ ଘଟଣାର ପର୍ଦ୍ଦାଫାସ: ଲୁଟେରା ଗିରଫ; ଟଙ୍କା ଓ ଏଟିଏମ କାର୍ଡ ଜବତ
7/12/2022 at 5:50 PM

ଉମରକୋଟ ୦୭/୧୨: ଏଟିଏମ ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ପୋଲିସ। ଲୁଟେରା ଜଣଙ୍କ ବହୁଦିନ ହେଲା ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅପରାଧ ଘଟାଇ ଚାଲିଥିଲା। ବିଶେଷ କରି ଅଭିଯୁକ୍ତଟି ବିଭିନ୍ନ ବୟସ୍କ ବ୍ୟକ୍ତିମାନଙ୍କୁ ଟାର୍ଗଟ କରି ସେମାନଙ୍କ ଏଟିଏମରୁ ଟଙ୍କା ନେଇଯାଉଥିଲା। ଏହି ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତର ପରିଚୟ ଚୈତନ୍ୟ ନାଗ। ସେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅନ୍ତର୍ଗତ ପୂଜାରିଗୁଡ଼ା ଗାଁର ବାସିନ୍ଦା।

ସେ ବିଭିନ୍ନ ଏଟିଏମ କାଉଣ୍ଟର ଭିତରେ ପଶି ବୟସ୍କ ବ୍ୟକ୍ତିମାନଙ୍କୁ ଠକୁଥିଲା। ଯେଉଁମାନେ ଏଟିଏମ ଭଲଭାବେ ପରିଚାଳନା କରି ପାରନ୍ତିନି ସେମାନଙ୍କୁ ସାହାଯ୍ୟ କରିବା ବାହାନାରେ ତାଙ୍କ ପାସୱାର୍ଡକୁ ନେଇଯାଉଥିଲା। ପରେ କୌଶଳକ୍ରମେ ଅନ୍ୟ ଏଟିଏମ କାର୍ଡ ଦେଇ ସେମାନଙ୍କ ଏଟିଏମ କାର୍ଡକୁ ନେଇ ଯାଉଥିଲା। ତାପରେ ଅଲଗା ଏଟିଏମ କାଉଣ୍ଟରକୁ ଯାଇ ସେହି କାର୍ଡରେ ଟଙ୍କା ଉଠାଇ ନେଉଥିଲା।

ଏନେଇ ଲୁଟର ଶିକାର ହେଇଥିବା ଜଣେ ଅବସର ପ୍ରାପ୍ତ ଶିକ୍ଷକ ସେଖ ହସେନ୍ ଉମରକୋଟ ଥାନାରେ ଅଭିଯୋଗ କରିଥିଲେ। ଏତଲାକୁ ଆଧାର କରି ଉମରକୋଟ ପୋଲିସ ତଦନ୍ତ କରିଥିଲା। ଶେଷରେ ସିସିଟିଭି ଫୁଟେଜ୍ ଆଧାରରେ ଲୁଟେରା ଚିହ୍ନଟ ହୋଇଥିଲା। ସମସ୍ତ ତଥ୍ୟ ପ୍ରମାଣ ପାଇବା ପରେ ଲୁଟେରାକୁ ଚନ୍ଦାହାଣ୍ଡି ପୂଜାରିଗୁଡ଼ା ଗାଁରୁ ତାଘରୁ ଗିରଫ କରିଥିଲା ଉମରକୋଟ ପୋଲିସ।

ଚୈତନ୍ୟ ଠାରୁ ଗୋଟିଏ ମୋଟର ସାଇକେଲ, ୪ଟି ଏଟିଏମ କାର୍ଡ, ଗୋଟିଏ ମୋବାଇଲ ଓ ୧୦ ହଜାର ଟଙ୍କା ଜବତ କରାଯାଇଛି। ଏହି ଲୁଟରେ ଆଉ କାହାର ସମ୍ପୃକ୍ତି ଅଛି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।