ବିଦାୟ ଅଟଳ ; ଅନ୍ତିମ ଯାତ୍ରାରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି
17/08/2018 at 10:21 AM

ନୂଆଦିଲ୍ଲୀ ୧୭/୮ : ମହାନ ଜନନାୟକ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଯାଇଛି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଅନ୍ତିମ ଦର୍ଶନ ପରେ ବାଜପେୟୀଙ୍କ ପାର୍ଥିବ ଶରୀରକୁ ସଂସ୍କାର ପାଇଁ ଶୋଭାଯାତ୍ରାରେ ନିଆଯାଉଛି । ଅପରାହ୍ନ ୪ଟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ହେବ ଅନ୍ତିମ ସଂସ୍କାର। ଅଟଳ ବିହାରୀଙ୍କ ଅନ୍ତିମ ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ବହୁ ତୁଙ୍ଗ ନେତା ସାମିଲ ହୋଇ ଚାଲିଚାଲି ଯାଉଛନ୍ତି। ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ଶେଷ ବିଦାୟ ଜଣାଉଛନ୍ତି। ରାସ୍ତାରେ ଅଟଳଙ୍କ ପାର୍ଥିବ ଶରୀର ଉପରକୁ ପୁଷ୍ପ ବୃଷ୍ଟି ମଧ୍ୟ କରାଯାଉଛି । ଅଟଳ ଅମର ରହେ, ବନ୍ଦେ ମାତରମ୍ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଆଜି ସକାଳେ କ୍ରିଷ୍ଣା ମେନନ୍ ମାର୍ଗ ସ୍ଥିତ ବାଜପେୟୀଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ରହିଥିବା ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ବିଜେପି ମୁଖ୍ୟାଳୟକୁ ଅଣା ଯାଇଥିଲା। ବିଜେପି ମୁଖ୍ୟାଳୟରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଲୋକ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଚୀନ୍ ଏବଂ ଆମେରିକାର କିଛି ସଦସ୍ୟ ମଧ୍ୟ ଆଜି ତାଙ୍କ ବାସବଭବନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ।