ସଂକ୍ଷେପରେ ଭାରତୀୟ ଜନତାପାର୍ଟିର ପ୍ରାଣ ପ୍ରତିଷ୍ଠାତା ଅଟଳ ବିହାରୀ

Published By : Prameya-News7 Bureau | August 16, 2018 IST

୧୯୨୪ ମସିହା ଡିସେମ୍ବର ୨୫ତାରିଖରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ହୋଇଥିଲା ଗୋଆଲିଅରଠାରେ । ମାଆଙ୍କ ନାମ କ୍ରିଷ୍ଣା ଦେବୀ ଓ ବାପାଙ୍କ ନାମ କ୍ରିଷ୍ଣବିହାରୀ ବାଜପେୟୀ । ବାପା ଥିଲେ ସ୍କୁଲ ଶିକ୍ଷକ ଏବଂ ଜଣେ କବି । ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିଜର ସ୍କୁଲ ଶିକ୍ଷା ଆରମ୍ଭ କରିଥିଲେ ଅଟଳବିହାରୀ ବାଜପେୟୀ ତତକାଳୀନ ଗୋଆଲିଅର ଭିକ୍ଟୋରିଆ କଲେଜ ଓ ବର୍ତ୍ତମାନର ଲକ୍ଷ୍ମୀବାଇ କଲେଜରୁ ଡିଷ୍ଟିଙ୍ଗସନ ସହ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ହିନ୍ଦୀ, ଇଂରାଜୀ ଓ ସଂସ୍କୃତରେ ସେ ସ୍ନାତକ କରିଥିଲେ । ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଡିଏଭି ମହାବିଦ୍ୟାଳୟରୁ । ଆର୍ଯ୍ୟ ସମାଜରେ ଯୋଗଦେଇ ସେ ସାମାଜିକ ଜୀବନରେ ପଦାର୍ପଣ କରିଥିଲେ । ଗୋଆଲିଅରର ଆର୍ଯ୍ୟକୁମାର ସହ ସଂପୃକ୍ତ ହୋଇ ଏହାର ଯୁବବାହିନୀ ଦାୟିତ୍ବ ତୁଲାଇଥିଲେ । ୧୯୪୪ମସିହାରେ ସେ ଆର୍ଯ୍ୟ ସମାଜର ସାଧାରଣ ସଂପାଦକ ହୋଇଥିଲେ । ତେବେ ୧୯୩୯ ମସିହାରୁ ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହ ସଂଯୁକ୍ତ ହୋଇସାରିଥିଲେ । ବାବା ସାହେବ ଆପ୍ତେଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବାଜପେୟୀ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଅଧିକାରୀ ପ୍ରଶିକ୍ଷଣ ଶିବିରରେ ଶିବିରାର୍ଥୀ ହୋଇଥିଲେ । ୧୯୪୦ରୁ ୧୯୪୪ ପର୍ଯ୍ୟନ୍ତ ସେ ସଂଘର ନିୟମିତ କର୍ମୀ ବା ପ୍ରଚାରକ ଭାବେ କାମ କରିଥିଲେ । ଉତ୍ତରପ୍ରଦେଶରେ ଆରଏସଏସର ବିସ୍ତାରକଭାବେ କାମ କରୁଥିବା ବେଳେ ସେ ଦୀନ୍ ଦୟାଲ ଉପାଧ୍ୟାୟଙ୍କ ମାସିକ ପତ୍ରିକା ରାଷ୍ଟ୍ରଧର୍ମ, ହିନ୍ଦୀ ସାପ୍ତାହିକ ପଞ୍ଚଜନ୍ୟ, ଦୈନିକ ଖବରକାଗଜ ସ୍ବଦେଶ, ବୀରଅର୍ଜୁନ ପାଇଁ କାମ କରିଥିଲେ । ବାଜପେୟୀଙ୍କ ରାଜନୈତିକ ଅଭିବ୍ୟକ୍ତି ଘଟିଥିଲା ୧୯୪୨ମସିହା ଭାରତ ଛାଡ ଆନ୍ଦୋଳନ ସମୟରେ । ବଡଭାଇ ପ୍ରେମ୍ ବାଜପେୟୀଙ୍କ ସହ ସେ ଗିରଫ ହୋଇ ୨୩ଦିନ ଜେଲଦଣ୍ଡ ଭୋଗିଥିଲେ । ତେବେ ଭବିଷ୍ୟତରେ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ କେବେ ଭାଗ ନେବିନାହିଁ ବୋଲି ଏକ ଘୋଷଣାପତ୍ର ଦାଖଲ କରି ସେ ଜେଲରୁ ମୁକୁଳିଥିଲେ । ୧୯୪୮ ମସିହା ବେଳକୁ ଦୀନ୍ ଦୟାଲଙ୍କ ପ୍ରେରଣାକ୍ରମେ ନବଗଠିତ ଭାରତୀୟ ଜନସଂଘ ପାର୍ଟିରେ କାମ କରିବା ସେ ଯୋଗଦେଇଥିଲେ । ଭାରତୀୟ ଜନସଂଘ ଏକ ହିନ୍ଦୁବାଦୀ ବିଚାରଧାରାର ଦଳ ଥିଲା । ଏହା ପଛରେ ଆରଏସଏସ ରହିଥିଲା । ଯୋଗଦାନ ପରେ ସେ ଭାରତୀୟ ଜନସଂଘ ଦଳର ଜାତୀୟ ସାଧାରଣ ସମ୍ପାଦକ ହେବାସହ ଉତ୍ତରାଞ୍ଚଳ ରାଜ୍ୟଗୁଡିକ ଦାୟିତ୍ବରେ ରହିଥିଲେ । ୧୯୫୪ ବେଳକୁ ଦଳର ମୁଖ୍ୟ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜଣେ ବିଶ୍ବସ୍ଥ ସହଯୋଗୀ ହୋଇପାରିଥିଲେ ବାଜପେୟୀ । କାଶ୍ମୀରରେ ଅଣକାଶ୍ମୀର ପର୍ଯ୍ୟଟକଙ୍କୁ ନ୍ୟୁନ ଦେଖାଯିବା ପ୍ରତିବାଦରେ ଏହି ବର୍ଷ ବାଜପେୟୀ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଅନଶନରେ ବସିଥିଲେ । ପରବର୍ତ୍ତୀ ସମୟରେ ଜେଲ୍ ଭିତରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା । ବାଜପେୟୀ ପ୍ରଥମକରି ଭୋଟ୍ ରାଜନୀତିରେ ପ୍ରବେଶ କରିଥିଲେ ୧୯୫୭ ମସିହାରେ । ଦୁଇଟି ଲୋକସଭା ଆସନ ମଥୁରା ଏବଂ ବଲରାମପୁର ଆସନରୁ ବିଜୟୀ ହୋଇ ଲୋକସଭାକୁ ଯାଇଥିଲେ । ନିର୍ବାଚନ ସମୟରେ ବାଜପେୟୀଙ୍କ ଓଜସ୍ବିନୀ ଭାଷଣ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ବେଶ୍ ପ୍ରଭାବିତ କରିଥିଲା ଓ ସେ କହିଥିଲେ ଯେ ବାଜପେୟୀ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ । ସାଂଗଠନିକ ଦକ୍ଷତା ଓ କହିବାର ଚମତ୍କାର କୌଶଳ ଯୋଗୁଁ ଦୀନଦୟାଲ ଉପାଧ୍ୟାୟଙ୍କ ଦେହାନ୍ତ ପରେ ଭାରତୀୟ ଜନସଂଘର ସମ୍ପୂର୍ଣ୍ଣ ଦାୟିତ୍ବ ବାଜପେୟୀଙ୍କ ଉପରେ ପଡିଥିଲା । ୧୯୬୮ମସିହାରେ ବାଜପେୟୀ ଭାରତୀୟ ଜନସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ । ନାନାଜୀ ଦେଶମୁଖ, ଲାଲକୃଷ୍ଣ ଆଡଭାନୀ ଏବଂ ବଲରାଜ ମେଧଙ୍କକ ସହ ମିଶି ଭାରତୀୟ ଦନସଂଘକୁ ବାଜପେୟୀ ଜାତୀୟସ୍ତରରେ ପ୍ରତିଷ୍ଠା କରିଥିଲେ । ଭାରତୀୟ କଂଗ୍ରେସ ପାର୍ଟିର ନେତ୍ରୀ ତଥା ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ ୧୯୭୫ରୁ ୧୯୭୭ ମଧ୍ୟରେ ବାଜପେୟୀ ମଧ୍ୟ ଅନ୍ୟ ବିରୋଧୀ ନେତାଙ୍କ ଭଳି ଗିରଫ ହୋଇ ଜେଲଦଣ୍ଡ ଭୋଗିଥିଲେ । ତେବେ ୧୯୭୭ ମସିହା ସାଧାରଣ ନିର୍ବାଚନରେ ଜନତା ପାର୍ଟି ବିଜୟୀ ହୋଇ ସରକାର ଗଠନ କରିଥିଲା । ଅଟଳବିହାରୀ ବାଜପେୟୀ ମୋରାରଜୀ ଦେଶାଇଙ୍କ ଜନତା ପାର୍ଟି ସରକାରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହି ସମୟରେ ପ୍ରଥମକରି ଅଟଳ ବିହାରୀ ବାଜପେୟୀ ବୈଦେଶିକ ମନ୍ତ୍ରୀ ହିସାବରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ ହିନ୍ଦୀରେ ଉଦବୋଧନ ଦେଇ ବେଶ୍ ଚର୍ଚ୍ଚିତ ହୋଇଥିଲେ । ୧୯୭୮ ମସିହା ବେଳକୁ ଜନତାପାର୍ଟି ମଧ୍ୟରେ ଗୋଷ୍ଠୀ କନ୍ଦଳ ଯୋଗୁଁ ମୋରାରଜୀ ଦେଶାଇ ଇସ୍ତଫା ଦେଇଥିଲେ । ମେଣ୍ଟକୁ ବଜାୟ ରଖିବା ପାଇଁ ଭାରତୀୟ ଜନସଂଘର ସମସ୍ତ ଚେଷ୍ଟା ଫେଲ୍ ମାରିଥିଲା ଓ ସରକାରଙ୍କ ପତନ ହୋଇଥିଲା । ଅଟଳ ବିହାରୀ ବାଜପେୟୀ ନିଜ ବ୍ୟକ୍ତିତ୍ବ ଓ ଦକ୍ଷତା ପାଇଁ ସେତେବେଳେ ଦେଶର ଜଣେ ଆଗଧାଡିର ସମ୍ମାନନୀୟ ନେତା ଭାବେ ବେଶ୍ ଆଦୃତ ଥିଲେ । ସରକାର ପତନ ପରେ ପରେ ୧୯୮୦ ମସିହାରେ ଭାରତୀୟ ଜାତିସଂଘକୁ ପରିବର୍ତ୍ତନ କରି ସେ ଗଠନ କରିଥିଲେ ଭାରତୀୟ ଜନତା ପାର୍ଟି । ତୁଙ୍ଗ ନେତା ଲାଲକୃଷ୍ଣ ଆଡଭାନୀ, ଭେରୋ ସିଂଶେଖାଓ୍ବତ ଏହି ନୂଆଦଳ ଗଠନରେ ବାଜପେୟୀଙ୍କୁ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.