ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | August 16, 2018 IST

ନୂଆଦିଲ୍ଲୀ ୧୬/୮ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ । ଦିଲ୍ଲୀ ଏମ୍ସରେ ଲାଇଫ୍ ସପୋର୍ଟ ସିଷ୍ଟମରେ ତାଙ୍କୁ ରଖାଯାଇଛି । ବାଜପାୟୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସର ଏକ ଅଭିଜ୍ଞ ଡାକ୍ତରୀ ଦଳ ତାଙ୍କ ଉପରେ ନିୟମିତ ନଜର ରଖିଛନ୍ତି । ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଅବଗତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏମ୍ସ ଯାଇ ବାଜପାୟୀଙ୍କୁ ଦେଖିଛନ୍ତି । ବାଜପାୟୀଙ୍କୁ ଦେଖିବା ପାଇଁ ଏମ୍ସରେ ନେତାମାନଙ୍କ ଭିଡ ଲାଗିଛି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଗୃହମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପ୍ରମୁଖ ଦିଲ୍ଲୀ ଏମ୍ସରେ ପହଞ୍ଚି ବାଜପାୟୀଙ୍କ ସ୍ବାସ୍ଥ୍ୟ ସଂପର୍କିତ ଖବର ବୁଝିଛନ୍ତି । ଏହା ସହ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ, ହର୍ଷ ବର୍ଦ୍ଧନ, ଜିତେନ୍ଦ୍ର ସିଂ, ପୀୟୂଶ ଗୋଏଲଙ୍କ ସମେତ ବହୁ ନେତା ଏମ୍ସ ଯାଇ ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତଦାରଖ କରିଛନ୍ତି । ଆଜି ସକାଳୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଏମ୍ସ ଯାଇ ବାଜପାୟୀଙ୍କୁ ଦେଖିଛନ୍ତି । ୯୩ ବର୍ଷିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଗତ ଜୁନ ୧୧ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିଡନୀ, ମୂତ୍ରାଶୟରେ ଇନଫେକସନ୍ ସହ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.