ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୯୫ ତମ ଜୟନ୍ତୀ

Published By : Prameya-News7 Bureau | December 25, 2019 IST

ଦିଲ୍ଲୀ୨୫/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୯୫ ତମ ଜୟନ୍ତୀ । ଗୁଡ୍ ଗଭର୍ଣ୍ଣାନ୍ସ ଡେ ଭାବେ ପାଳିତ ଏହି ଦିନରେ ଆଜି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।ଏହା ସହିତ ଅଟଳ ଭୂତଳ ଜଳ ଯୋଜନାର ଶୁଭାରମ୍ଭ କରାଯାଇଛି ।ଭୁବନେଶ୍ବର ଏମ୍ସରେ ବାଜପେୟୀଜୀଙ୍କର ପ୍ରତିମୂର୍ତ୍ତିର ଲୋକାର୍ପଣ କରାଯାଇଛି ।  

ଦେଶ ମନେ ପକାଉଛି ସେହି ଅଭୁଲା ସ୍ବର। ସେହି ମହାନାୟକଙ୍କୁ । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜୟନ୍ତୀ। ବାଜପେୟୀଙ୍କ ସ୍ମାରକସ୍ଥଳ ସଦୈବ ଅଟଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ଲକ୍ଷ୍ନୌର ଲୋକ ଭବନଠାରେ ବାଜପେୟୀଙ୍କ ୨୫ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ବିଜ୍ଞାନ ଭବନରେ ଅଟଳ ଭୂଜଳ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭୂତଳ ଜଳସ୍ତର ବୃଦ୍ଧି କରିବା ଯୋଜନାର ଲକ୍ଷ୍ୟ ରହିଛି।  ଯୋଜନାରେ ୬ଟି ରାଜ୍ୟର ୮୩୫୦ ଗାଁ ଫାଇଦା ପାଇବେ ।

ବାଜପେୟୀଙ୍କ ଜନ୍ମଦିବସ ସୁଶାସନ ଦିବସ ଭାବେ ପାଳିତ ହେଉଥିବା ବେଳେ ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଭୁବନେଶ୍ବର AIIMS  ପରିସରରେ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଛି। ଏହାସହ ହସ୍ପିଟାଲରେ ନୂଆ ଭାବେ ନିର୍ମିତ ମଡୁଲାର ଅପରେସନ ଥିଏଟର, ICU COMPLEX ଓ CATH-LAB ର ଉଦଘାଟନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ସାରା ଦେଶରେ ଏମ୍ସ ପକ୍ଷରୁ ଦେଢ଼ ଲକ୍ଷ ୱେଲନେସ୍ ସେଣ୍ଟର ଖୋଲାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ରାଉରକେଲା ଆମ୍ବାଗାନ ଛକରେ ଷ୍ଟିଲ୍ ପ୍ଲାଣ୍ଟ ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି ।

ଅଟଳଜୀଙ୍କର ଓଡ଼ିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା ।୧୯୯୧-୯୨ ମସିହାରେ ବାଜପେୟୀଙ୍କର ଓଡ଼ିଶା ଗସ୍ତର ପୁରୁଣା ଫଟୋ ଟ୍ବିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହିସମୟରେ ବାଜପେୟୀ ରାଜ୍ୟ ବିଧାନସଭା ବୁଲିଥିଲେ ।ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ବାଜପେୟୀଙ୍କୁ ପାଛୋଟି ନେଇ ଅନ୍ତରଙ୍ଗ ଆଳାପ କରିଥିଲେ ।୧୯୯୯ ମହାବାତ୍ୟା ପରେ ଓଡ଼ିଶାର ପୁନର୍ଗଠନରେ ବାଜପେୟୀଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରିଛନ୍ତି ।

ଉତ୍ତର ପ୍ରଦେଶରେ ‘ଅଟଳବିହାରୀ ବାଜପେୟୀ ମେଡିକାଲ୍ ୟୁନିଭର୍ସିଟି’ର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ୟୁପି ସରକାର ୫୦ ଏକର ଜମି ଯୋଗାଇ ଦେବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.