ଟ୍ରମ୍ପଙ୍କ ଗସ୍ତ ସମୟରେ ଦିଲ୍ଲୀରେ ହିଂସା ପାଇଁ କରାଯାଇଥିଲା ଯୋଜନା - ୧୦ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | February 25, 2020 IST

ନୂଆଦିଲ୍ଲୀ ୨୫।୦୨ - ଦିଲ୍ଲୀରେ ଥମୁନି ସିଏଏ ବିରୋଧୀ ହିଂସା । ଉତ୍ତରପୂର୍ବ ଦିଲ୍ଲୀର ଗୋକୁଳପୁରୀ ଇଲାକାରେ ସୋମବାର ଦିନ ଦେଖାଦେଇଥିବା ହିଂସାରେ ୧୦ ଜଣଙ୍କ ଜୀବନ ଯିବା ସହ, ୧୦୦ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଉପରକୁ ଗୁଳି ଚଳେଇଥିବା ଶାହରୁଖ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପରିସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବାଇଜାଲ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ହୋଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ, ଆପ୍ ବିଧାୟକ ଏବଂ ଅନ୍ୟ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଥିଲେ । ଦିଲ୍ଲୀ ବାହାରୁ ଅରାଜକ ତତ୍ବ ଆସୁଥିବାରୁ ଦିଲ୍ଲୀ ସୀମା ସିଲ୍ କରିବା ଉଚିତ ବୋଲି କେଜ୍ରିୱାଲ କହିଛନ୍ତି । ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ଦିଲ୍ଲୀର ସମସ୍ତ ଡାକ୍ତରଖାନାକୁ ପ୍ରସ୍ତୁତ ରହିବାକୁ ସେ ଦେଇଛନ୍ତି ନିର୍ଦ୍ଦେଶ । ଏଥିସହ, ଜନସାଧାରଣଙ୍କୁ ଶାନ୍ତି ବଜାୟ ରଖିବାକୁ ସେ ଅନୁରୋଧ କରିଛନ୍ତି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ସମୟରେ ଦିଲ୍ଲୀରେ ହିଂସା ପାଇଁ ଯୋଜନା କରାଯାଇଥିଲା ବୋଲି ଗୃହମନ୍ତ୍ରାଳୟ ସୂଚନା ଦେଇଛି । ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିସନ ରେଡ୍ଡୀ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ସୋମବାର ସକାଳେ ଦିଲ୍ଲୀର ମୌଜପୁର ଅଞ୍ଚଳରେ ସିଏଏ ବିରୋଧୀ ଆନ୍ଦୋଳନକାରୀ ଓ ସମର୍ଥକଙ୍କ ମଧ୍ୟରେ ଟେକା ପଥର ମାଡ଼ ହୋଇଥିଲା । ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ହେଡ୍ କନେଷ୍ଟବଲ ରତନ ଲାଲ ଫୋର୍ସ ସହ ଘଟଣାସ୍ଥଳକୁ ଯାଇଥିଲେ । ବିକ୍ଷୋଭକାରୀଙ୍କ ଆକ୍ରମଣରେ ରତନ ଲାଲ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିଲେ। ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅତି ସମ୍ବେଦନଶୀଳ ଉତ୍ତରପୂର୍ବ ଦିଲ୍ଲୀର ୧୨ଟି ଅଞ୍ଚଳରେ ଅଧିକ ୩୭ କମ୍ପାନୀ ସୁରକ୍ଷାକର୍ମୀ ନିୟୋଜିତ କରିବା ପାଇଁ ଗୃହ ବିଭାଗ ନିଷ୍ପତ୍ତି ନେଇଛି । ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଏକ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି । ଦେଶବ୍ୟାପୀ ସିଏଏ ବିରୋଧୀ ହିଂସା ପାଇଁ କଂଗ୍ରେସ ଏବଂ ବାମପନ୍ଥୀ ଦଳଗୁଡ଼ିକୁ ସମାଲୋଚନା କରାଯାଉଛି । ସେପଟେ, ହିଂସାରେ ଭାଗ ନ ନେବା ଲାଗି ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

ନାଗରିକତା ସଂଶୋଧନ ଆଇନ ଦେଶ ବିରୋଧୀ । ଏହା କାର୍ଯ୍ୟକାରୀ ହେଲେ ଦେଶରେ ପୁଣି ଅସ୍ଥିରତା ସୃଷ୍ଟି ହେବ ବୋଲି ବିରୋଧୀ ଆକ୍ଷେପ କରି ଆସୁଛନ୍ତି । ଏହି ଆଇନକୁ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟ ତୀବ୍ର ବିରୋଧ କରୁଛନ୍ତି । ଆସାମ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀ ସମେତ ଦେଶର ଅନେକ ଅଞ୍ଚଳରେ ଏହାକୁ କଡ଼ା ବିରୋଧ ଜାରୀ ରହିଛି । ତେବେ, ଦିଲ୍ଲୀରେ ଅଣାୟତ୍ତ ପରିସ୍ଥିତି ପରେ, କେନ୍ଦ୍ର ସରକାର ଏହାକୁ ରୋକିବା ପାଇଁ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.